News18 Odia Digital
ଭୁବନେଶ୍ବର: ମୁଖ୍ୟ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ କିଏ ଅଧିକ ଚିନ୍ତିତ ଓ କାହାର ଅଧିକ ଚିନ୍ତା। ଗୁଜବ ଖବରକୁ ନେଇ ଜୋର ଧରିଛି ରାଜନୀତି। ନିଜେ ନବୀନ ପଟ୍ଟନାୟକ ଗୁଜବକାରୀଙ୍କୁ ଦୃଢ଼ ଜବାବ ଦେଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗାଫିଙ୍ଗି। ଗଣତନ୍ତ୍ରରେ ଏଭଳି ଏକ ସମ୍ଵେଦନଶୀଳ ଘଟଣାକୁ ନେଇ ହୋଉଥିବା ରାଜନୀତିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
ବିଜେପି ନେତା ଯତୀନ ମହାନ୍ତି କହିଛନ୍ତି, "ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ନାଁରେ ଯେତେବେଳେ ଗୁଜବ ସୃଷ୍ଟି ହେଉଛି ଆଉ ତାଙ୍କ ପାଖରେ ପୋଲିସ ପ୍ରଶାସନ ଅଛି କିନ୍ତୁ ତା ପରେ ବି ତଦନ୍ତ କରି ଗୁଜବ କେଉଁଠୁ ସୃଷ୍ଟି ହେଉଛି କିଏ କରୁଛି ତାହାର ତଦନ୍ତ ସେ କରିବାକୁ ଚାହୁଁ ନାହାଁନ୍ତି। ମୁଖ୍ୟ ମନ୍ତ୍ରୀ ବି ନିଜେ କହିଛନ୍ତି ଯେବେ ଗୁଜବ ହେଉଛି ବିଜେଡି ଭଲ କରୁଛି। ଏହାର ଅର୍ଥ ବିଜେଡି ନିଜର ପ୍ରଦର୍ଶନକୁ ଡରି ପ୍ରତିଦ୍ବନ୍ଦିମାନଙ୍କୁ ହଟାଇବା ପାଇଁ ଏହି ଗୁଜବ ସୃଷ୍ଟି କରୁଛି। ଲୋକଙ୍କ ସମ୍ବେଦନକୁ ସାଉଁଟିବା ପାଇଁ ଏଭଳି ସବୁ ଗୁଜବ ସୃଷ୍ଟି କରାଯାଉଛି। କାଉଣ୍ଟର କରିବା ପାଇଁ ଦୁଇ ବର୍ଷ ହେବ ସଚିବାଳୟ କି ବିଧାନସଭା ଆସିନଥିବା ମୁଖ୍ୟ ମନ୍ତ୍ରୀ ନିଜେ ଆସି ବିଭିନ୍ନ ଜାଗାରେ ଛିଡ଼ା ହୋଇ ଫଟୋ ଉଠାଉଛନ୍ତି । ଭୂତ ହୋଇ ଲାଗିବା ଗୁଣିଆ ହୋଇ ଛଡ଼ାଇବା ହେଉଛି ବିଜେଡିର ପଲିସି। ବିଜେଡି ସେହିଭଳି ଭାବେ ନିଜ ନାଁରେ ଗୁଜବ ସୃଷ୍ଟି କରି ଲୋକଙ୍କ ସମ୍ବେଦନ ସହ ଖେଳ ୱାର୍ଡ କରୁଛି ଓ ପୁଣି ମୁଖ୍ୟ ମନ୍ତ୍ରୀଙ୍କୁ ଛିଡ଼ା କରି ଆମେ ଭଲ ଅଛୁ ତାହା ପ୍ରମାଣିତ କରୁଛି। ତେଣୁ ଏହି ଗୁଜବ ତାଙ୍କରି ତାଲା ତାଙ୍କରି ଚାବି ଭଳି। ନିଜର ପ୍ରତିଦ୍ବନ୍ଦିଙ୍କୁ ବଦନାମ କରିବା ପାଇଁ ବାରମ୍ବାର ଏଭଳି ଚାଲ ଓ ଡ୍ରାମା କରାଯାଉଛି।’’
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "କିଏ ଏଭଳି ଗୁଜବ କରୁଛି ତାର ତଦନ୍ତ ହେବା ଦରକାର। ନିଜ ପାଖରେ ଗୃହ ବିଭାଗ ରହିଛି ତେଣୁ ଗୁଜବକାରୀଙ୍କୁ ଖୋଜି ବାହାର କରାଯାଊ।"
ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେଉଁମାନେ କୁହେଳିକା ସୃଷ୍ଟି କରନ୍ତି ତାଙ୍କ ସ୍ବାସ୍ଥ୍ୟ ବସ୍ଥାକୁ ନେଇ କୁହନ୍ତି ଏହା ରାଜନୀତି ନୁହେଁ ଅତି ନିଚଧରଣକାର୍ଯ୍ୟ। ପରବର୍ତ୍ତୀ ଅବସ୍ଥାରେ ନିର୍ବାଚନ ଫଳାଫଳ କ'ଣ ହେବ ଓଡ଼ିଶାବାସୀ ତା'ର ଜବାବ ଦେବେ। ଗତଥର ଅପେକ୍ଷା ବିଜେଡି ବହୁତ ଭଲ କରିବ। ବିଜେପିର ଆଉ କିଛି ବକ୍ତବ୍ୟ ଯେହେତୁ ନାହିଁ ଡିଫେନ୍ସିଭ ହୋଇଛନ୍ତି ଏଭଳି କଥା କହୁଛନ୍ତି।’’
ଶୁକ୍ରବାର ମୁଖ୍ୟ ମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାର୍ତ୍ତା ଦେଇଥିଲେ। ୩୦ ମିନିଟ ପାଖାପାଖି ସମୟ ଅତିବାହିତ କରିବା ସହ ମନ୍ଦିର ବେଢ଼ା ବୁଲିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ଥିବା ରାଜ୍ୟବାସୀଙ୍କ ସେବାରେ ଲାଗିଥିବା କହିଥିଲେ। କୋଭିଡ଼ ନିୟମ ମାନିବାକୁ ଅପିଲ କରିଥିଲେ ମୁଖ୍ୟ ମନ୍ତ୍ରୀ।
ତେବେ ଏଭଳି ଗୁଜବ କିଛି ନୂଆ କଥା ନୁହେଁ। ଦଶ ବାର ବର୍ଷ ଧରି ଏଭଳି ଗୁଜବ ହୋଇ ଆସୁଛି। ଏହା ପୁର୍ବରୁ ଏଭଳି ଚର୍ଚ୍ଚା ହୋଇଥିବା ବେଳେ ଜାନୁଆରୀ ୨୬ରେ ମହାତ୍ମା ଗାନ୍ଧି ମାର୍ଗରେ ମୁଖ୍ୟ ମନ୍ତ୍ରୀ ଚାଲି ଚାଲି ଆସିବା ସହ ସଚିବାଳୟ ଯାଇ ଗୁଜବକାରୀଙ୍କୁ କଡ଼ା ଜବାବ ଦେଇଥିଲେ। ଏବେ ସେଭଳି ଚର୍ଚ୍ଚା ହେବାରୁ ଲିଙ୍ଗରାଜ ମନ୍ଦିର ଯିବା ସହ ସାମ୍ବାଦିକ ପ୍ରଶ୍ନର ଜବାବ ରଖିଲେ। ନିର୍ବାଚନ ଆସିଲେ ଗୁଜବ ପ୍ରଚାର ହୋଇଥାଏ ବୋଲି ମୁଖ୍ୟ ମନ୍ତ୍ରୀ କହିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।