News18 Odia Digital
କଟକ: କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିରର ବିକାଶ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବା ସହ ବର୍ଷକ ମଧ୍ୟରେ ମନ୍ଦିରର ନବର୍ନିମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି।
ମା' କଟକ ଚଣ୍ଡୀଙ୍କ ମନ୍ଦିରର ବିକାଶ କାର୍ଯ୍ୟକ୍ରମକୁ 5T initiative ଅଧୀନରେ ଐତିହ୍ୟ ସମନ୍ୱିତ ବିକାଶ, ସ୍ମାରକୀ ଓ ପର୍ଯ୍ୟଟନ ସ୍ଥଳ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଯୋଜନା ଵିଷୟରେ ଏକ ପ୍ରେଜେଣ୍ଟେସନ ଉପସ୍ଥାପନ କରାଯାଇଥିଲା।
OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ। ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ। ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଓ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଓ ସିସିଟିଭି ମଧ୍ୟ ଲଗାଯିବ। ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ।

କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର
ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା'ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ୍, cloak room, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ। ଏହା ସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ। ବିସ୍ଥାପିତ ଦୋକାନୀମାନଙ୍କ ପାଇଁ ୧୮ଟି ଦୋକାନ ମନ୍ଦିର ପରିସରରେ ସେବାୟତମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ।
ପାର୍କିଂ ସହିତ ଖୋଲା ସ୍ଥାନ ଓ ଲ୍ୟାଣ୍ଡସ୍କେପ୍ ମଧ୍ୟ ବିକାଶ କରାଯିବ। ଏହି ଯୋଜନାରେ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ବ ଆରୋପ କରାଯାଇଛି।
ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀମାନଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି। ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରାଯିବ। ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ। ବର୍ଷ ସାରା ହଜାର ହଜାର ଭକ୍ତମାନେ ଦର୍ଶନ ପାଇଁ ପ୍ରତିଦନ ଏଠାକୁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମା'ଙ୍କ ଷୋଡଶ ଦିନାତ୍ମକ ପୂଜାରେ ମା'ଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ମଧ୍ୟ ମନ୍ଦିରରେ ପ୍ରବଳ ଜନସମାବେଶ ହୋଇଥାଏ।
ଗତ ମାସ ୨୧ ତାରିଖ ଦିନ ୫ଟି ସଚିବ ଭି.କେ. ପାଣ୍ଡିଆନ ମା'ଙ୍କ ପୀଠକୁ ଆସି ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।