News18 Odia Digital
କଟକ: ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସଂପାଦନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଲୋକଙ୍କ ବିଶ୍ୱାସ ଆଧାରରେ ମିଡିଆ ଚାଲିଥାଏ । ତେଣୁ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ୍। ମିଡିଆ ମୁଖ୍ୟତଃ ଲୋକଙ୍କ ସ୍ୱର ହେବା ଉଚିତ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଆମ ଇତିହାସର ଏକ ରେଡ ଲେଟର ଡେ। ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ ଜଣାଉଛି। ଏହି ସମୟରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ଅମୃତ ସଂଯୋଗ। ଏହି ଖୁସି ଅବସରରେ ଆପଣମାନଙ୍କୁ ଓ ପ୍ରଜାତନ୍ତ୍ର ପରିବାରକୁ ମୋର ଅଭିନନ୍ଦନ ଜଣାଉଛି। ଖୁସିର କଥା ଏହି କାର୍ଯ୍ୟକ୍ରମରେ ଆଜି ଆମ ସହିତ ଯୋଗ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମୁଁ ତାଙ୍କୁ ଓଡ଼ିଶାକୁ ସ୍ବାଗତ କରୁଛି ।
ବଳିଷ୍ଠ ଗଣତାନ୍ତ୍ରିକ ମୂଲ୍ୟବୋଧର ଦେଶ ହେଉଛି ଭାରତ। ଗଣମାଧ୍ୟମ ଲୋକଙ୍କ ସ୍ବର ହୋଇଥିବାରୁ ଗଣତନ୍ତ୍ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉ। ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ। ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।