News18 Odia Digital
ଭୁବନେଶ୍ବର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବରା ଦିନ ପରଲୋକ ହୋଇଥିବା ସୂଚନା ମିଳିଛି।
ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଯାଜପୁରରୁ ଦୁଇଥର ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ମୋହନଙ୍କ ମୃତ୍ୟୁରେ ଅନେକ ନେତା ଶୋକ ପ୍ରକାଶ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି।
ସେ ଟ୍ବିଟରେ ଲେଖିଛନ୍ତି, ‘ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’’
ପ୍ରକାଶ ଥାଉକି ୧୪ତମ ଓ ୧୫ତମ ଲୋକସଭାର ସେ ସଦସ୍ୟ ରହିଥିଲେ। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଯାଜପୁର ବଡଚଣାର ଶାସନସିମାରେ ୧୪ ଜୁଲାଇ ୧୯୫୭ରେ ଜନ୍ମଗ୍ରହଣ କରିଥିବା ମୋହନ କେନ୍ଦ୍ରାପଡା କଲେଜର ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିବାବେଳେ ସେ ଏକାଧାରରେ ଜଣେ ଲୋକପ୍ରିୟ ନେତା, ସମାଜସେବୀ, ପ୍ରକାଶକ ଥିଲେ।
ସେହିପରି ୧୯୯୨-୧୯୯୪ ପର୍ଯ୍ୟନ୍ତ ସେ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ। ଆଉ ୧୯୯୪-୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।