• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ CM ନବୀନ; କହିଲେ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିବେ ସରକାର

ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ CM ନବୀନ; କହିଲେ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିବେ ସରକାର

ଆଜି ମାଲକାନଗିରିରେ ଆୟୋଜିତ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନରେ ଯୋଗ ଦେଇଥିଲେ ମୁଖ୍ୟ ମନ୍ତ୍ରୀ । ଏହି ଆୟୋଜନରେ ବଣ୍ଡା ଜନଜାତିର ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲ୍ଥ କାର୍ଡ଼ ଦିଆଯାଇଛି ।

ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ CM ନବୀନ

ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ CM ନବୀନ

  • Share this:
News18 Odia Digital

ଭୁବନେଶ୍ବର: ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ ଵି ବାଧକ ନ'ହେଉ ଏହି ଲକ୍ଷ ନେଇ ଅପହଞ୍ଚ ତଥା ମାଓ ପ୍ରବଣ ମାଲକାନଗିରି ଜିଲ୍ଳାରେ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ହିତାଧିକାରୀ ଭାବେ ବଣ୍ଡା ଜନଜାତିର ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କ ଠୁ ଏହି ସାର୍ବଜନୀନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି, ଯାହାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲ୍ଥ କାର୍ଡ଼ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆଜି ମାଲକାନଗିରିରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ପରବର୍ତୀ ମୁହୂର୍ତ୍ତରେ ସୁନ୍ଦରଗଡ଼, ମୟୁରଭଞ୍ଜ ଓ ବଲାଙ୍ଗୀରକୁ ଏହି ସେବା ଉପଲବ୍ଧ ହେବ। ପର୍ଯ୍ୟାୟ କ୍ରମେ ନସଭେମ୍ବର ସୁଦ୍ଧା ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ ଏହି କାର୍ଡ଼ ଯୋଗାଇ ଦିଆଯିବ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ । ନୂଆ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ନୂଆ ଯୋଜନାର ଶୁଭାରମ୍ଭ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ। ଏହି ଯୋଜନାରେ ପ୍ରାୟ ସାଢେ ତିନି କୋଟି ଲୋକ ଉପକୃତ ହେବେ।

ଏହି ନୂଆ ବ୍ୟବସ୍ଥାରେ ହସ୍ପିଟାଲରେ କିଛି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ନାହିଁ । କେବଳ ଏହି ସ୍ମାର୍ଟ ହେଲଥ କାର୍ଡ଼ ସାଥିରେ ନେଇ ହସ୍ପିଟାଲ ଯିବାକୁ ହେବ। ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ । କାର୍ଡ଼ରେ ପରିବାର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଓ ମା' ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ।

ସମ୍ବୋଧିତ କରି ମୁଖ୍ୟ ମନ୍ତ୍ରୀ କହିଛନ୍ତି, ‘‘ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୂଲ୍ୟବାନ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି।’’

ଏହି ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ସମସ୍ତଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିବା ବେଳେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ମନ୍ତ୍ରୀ ଆଗହୁରି କହିଛନ୍ତି ଯେ ୨୦୧୮ରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସମୟରେ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଜଣେ ଝିଅ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା' ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାଲକାନଗିରିର ମମତା ପଡ଼ିଆମୀଙ୍କ ପ୍ରସ୍ତାବ ଭଲ ଲାଗିବାରୁ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟ ମନ୍ତ୍ରୀ ଉଦାହରଣ ରଖି କହିଥିଲେ ପରିବାରରେ କେହି ଅସୁସ୍ଥ ହୋଇପଡ଼ିଲେ ଚିନ୍ତା ବଢିଯାଇଥାଏ । ସବଠୁ ବଡ଼ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠ ପଢ଼ା ମଧ୍ୟ ବନ୍ଦ କରିଦେଇଥାନ୍ତି । ଅନେକ ଲୋକ ଧାର କରଜ କରିଥାନ୍ତି । ହେଲେ ଏହି ସ୍ମାର୍ଟ ହେଲ୍ଥ କାର୍ଡ଼ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ। ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ଏଥି ପାଇଁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠ ପଢ଼ା ପାଇଁ ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସରକାରୀ ହସ୍ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପି, ସିଟି ସ୍କାନ, ଏମ.ଆର.ଆଇ. ସହ ବିଭିନ୍ନ ପାଥୋଲୋଜୀ ଟେଷ୍ଟ ମଧ୍ୟ କରିପାରିବେ ସମସ୍ତେ ।

ପୂର୍ବରୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ କାର୍ଡ଼ ଧାରୀ ଓ ନିମ୍ନ ଆୟ ବ୍ୟକ୍ତିଙ୍କ ଭଳି ୭୧ ଲକ୍ଷ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏଣିକି ଏହି ସମସ୍ତ ହିତାଧିକାରୀଙ୍କ ସହ ସମସ୍ତ ଜାତୀୟ ଓ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଯୋଜନାର ଲାଭ ନେଇ ପାରିବେ ।

ସ୍ମାର୍ଟ କାର୍ଡ଼ ପ୍ରଦାନ କରାଯିବା ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ସେମାନଙ୍କ ନିୟମିତ କର୍ଡ଼ ଦେଖାଇ ଚିକିତ୍ସା ସୁବିଧା ପାଇ ପାରିବେ। ସ୍ମାର୍ଟ କାର୍ଡ଼ ମିଳିବା ପରେ ଚିକିତ୍ସା ପାଇଁ ଆଉ କୌଣସି ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବନି। ଚିକିତ୍ସା ପାଇଁ ହସ୍ପିଟାଲରେ ଆଡ଼ମିସନ ହେବାର ୭୨ ଘଣ୍ଟା ମଧ୍ୟରେ କାର୍ଡ ଦେଖାଇ ଏହାର ସୁବିଧା ପାଇପାରିବେ। ସେପ୍ଟେମ୍ବର ୧ ତାରିଖରୁ ଏହି କାର୍ଡ଼ କାର୍ଯ୍ୟକାରୀ ହେବ। ଏକ ବର୍ଷ ପର୍ଯ୍ୟନ୍ତ ଏହି କାର୍ଡ଼ ଭ୍ୟାଲିଡ଼ ରହିବ। ୨୦୨୨ ଅଗଷ୍ଟ ୩୧ ପରେ ଏହି କାର୍ଡ଼ ଅଟୋମେଟିକ ରିନ୍ୟୁ ହୋଇଯିବ। ଏହି କାର୍ଡ଼ ବ୍ୟବହାର କରି ସମସ୍ତ ସ୍ୱାସ୍ଥ୍ୟ ସେବା ଦେୟ ମୁକ୍ତ ପାଇ ପାରିବେ ହିତାଧିକାରୀ।
Published by:Lipina Das
First published: