News18 Odia Digital
ଝାରସୁଗୁ଼ଡ଼ା; ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) । ଝାରସୁଗୁଡ଼ା ସର୍କିଟ ହାଉସ ପଡ଼ିଆରେ ବିଜେଡି ପକ୍ଷରୁ ଏହି ଅଵସରରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ବେଶ ଉତ୍ସାହିତ ରହିଥିଲେ । ଯେତେବେଳେ ମଞ୍ଚ ଉପରକୁ ମୁଖ୍ୟମନ୍ତ୍ରୀ ଆସିଥିଲେ ସେତେବେଳେ ତାଙ୍କ ପାଦ ଛୁଇଁ ସ୍ବାଗତ ଜଣାଇଥିଲେ ଦୀପାଳି ଦାସ ।
ଏହା ସହ ମଞ୍ଚରେ ବସିଥିବା ବେଳେ ପିତାଙ୍କୁ ମନେପକାଇ ଭାବବିହ୍ବଳ ହୋଇପଡ଼ିଥିଲେ ଦୀପାଳି । ପରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ଲୁହ ପୋଛୁ ଥିବାର ନଜର ଆସିଥିଲେ । ସେହିପରି ଦୀପାଳିଙ୍କୁ ଦେଖି ଅନ୍ୟ ନେତା ମାନେ ମଧ୍ୟ ଭାବିବହ୍ବଳ ହୋଇପଡ଼ିଥିଲେ । ସେପଟେ ନବ ଦାସଙ୍କୁ ମଞ୍ଚରେ ଶ୍ରଦ୍ଧାଞ୍ଜଳ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦୀପାଳିଙ୍କ ପାଇଁ ମଧ୍ୟ ଭୋଟ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।
ପୂର୍ବରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅମିଲିପାଲି ପଡିଆ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ପହଞ୍ଚି ସ୍ଥିତି ପରଖିଥିଲେ ।ସେପଟେ ନବୀନଙ୍କ ଝାରସୁଗୁଡା ଗସ୍ତକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା । ଏୟାରପୋର୍ଟଠାରୁ ଅମିଲିପାଲି ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ପୋଲିସ ଛାଉଣୀ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲ ଅନୁସାରେ ଜେଡ ପ୍ଳସ ସୁରକ୍ଷା ବ୍ୟବସ୍ଥା କରିଛି ଝାରସୁଗୁଡା ପୋଲିସ। ସୁରକ୍ଷା ଦାୟିତ୍ୱରେ ରହିଥିଲେ ୨୨ ପ୍ଳାଟୁନ ପୋଲିସ ଫୋର୍ସ। ବାହାର ଜିଲ୍ଲାରୁ ବଛା ବଛା ୧୦୦ ଅଫିସରଙ୍କୁ ମୁତୟନ ମଧ୍ୟ କରାଯାଇଥିଲା । ୧୦୦ରୁ ଅଧିକ ହୋମଗାର୍ଡଙ୍କ ସହ ପାରାମିଲିଟାରୀ ଫୋର୍ସ ଏୟାରପୋର୍ଟଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ନିୟୋଜିତ କରାଯାଇଥିଲା । ନିର୍ବାଚନ ଆଦର୍ଶ ଆଚରଣବିଧି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସେପଟେ ଝାରସୁଗୁଡା ପ୍ରଚାର ମୈଦାନରେ ବିଜେପି ପାଇଁ ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି କୋଲାବିରା ବ୍ଲକ ଝିର୍ଲାପାଲି ପଞ୍ଚାୟତ ବିରିଗୁଡ଼ା ପଡିଆରୁ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଜଣେ କେହି ବାପାଙ୍କୁ ହରାଇବାର କଷ୍ଟ ଅନେକ । ଦୀପାଲିଙ୍କ ପ୍ରତି ସମବେଦନା ଜଣାଇ, ନବ ଦାସଙ୍କୁ କାହିଁକି ହତ୍ୟା କଲେ ପୋଲିସ ବୋଲି ସିଧା ପ୍ରଶ୍ନ କରିଛନ୍ତି । ‘କାର୍ଯ୍ୟରତ ମନ୍ତ୍ରୀଙ୍କୁ କାର୍ଯ୍ୟରତ ପୋଲିସ କାହିଁକି ମାରିଲା , ନବ ବାବୁଙ୍କ ହତ୍ୟାର କାରଣ କୁହନ୍ତୁ ରାଜ୍ୟ ସରକାର ବୋଲି, ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ।
ସେହିପରି ଝାରସୁଗୁଡାରେ ଜଣେ ନାବାଳକକୁ ଅପହରଣ ହତ୍ୟା ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ଖଣି ପାଣ୍ଠି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାରଙ୍କ କଳାପାହାଡ଼ ଲୁଟିବାରେ ବ୍ୟସ୍ତ’ । ‘ଜିଲ୍ଲାକୁ ୧୧୩୬ କୋଟି DMF ଟଙ୍କା କୁଆଡ଼େ ଗଲା ’ । ଖଣି ରାଜସ୍ବ ବାବଦକୁ ୫୦ ହଜାର କୋଟି ପାଉଛନ୍ତି ସରକାର । ଏହି ଟଙ୍କା ଗରିବଙ୍କ ପାଇଁ ଖର୍ଚ୍ଚ ହେଉଛି କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର' । ‘ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କ'ଣ କରିଛନ୍ତି’, ୫ ବର୍ଷର ହିସାବ ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରି କହିଛନ୍ତି ରାଜ୍ୟରେ କଳାପାହାଡ଼ମାନେ ଶାସନ କରୁଛନ୍ତି ।
ପଢନ୍ତଉ ଏହି ଖବର :
Recharge Plan: VIର ଧମାକା ପ୍ଲାନ୍; ୪୫ ଟଙ୍କାରେ ମିଳୁଛି ୧୮୦ ଦିନର ଭ୍ୟାଲିଡିଟିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।