News 18 Odia Digital
ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣର ରୂପାନ୍ତର ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜୟପୁର ବିମାନପଟ୍ଟୀକୁ UDAN (Ude Desh ki Aam Naagrik) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡ଼ିଶା ସରକାର ଏବଂ ବିମାନବନ୍ଦର ପ୍ରାଧିକରଣଙ୍କ ମିଳିତ ଉଦ୍ୟମରେ ବିମାନବନ୍ଦର ରୂପେ ବିକାଶ କରାଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆଞ୍ଚଳିକ ଅଞ୍ଚଳରେ ଯାତ୍ରୀଙ୍କ ଯାତାୟାତ ବୃଦ୍ଧି ତଥା ସୁଲଭ ମୂଲ୍ୟରେ ବିମାନ ସଂଯୋଗ ଯୋଗାଇବା ତଥା ନୂତନ ବିମାନପଟ୍ଟୀକୁ ବିକଶିତ କରିବା ଉଦ୍ଦେଶ୍ୟରେ UDAN ଯୋଜନା ପ୍ରଣୟନ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ରାଜ୍ୟ ସରକାର ବିମାନବନ୍ଦର ନିମନ୍ତେ ଆବଶ୍ୟକ ହେଉଥିବା ଜମି, ସୁରକ୍ଷା ଏବଂ ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ୍ ଏବଂ ଜଳ ଦେୟ, ମାନବ ଶକ୍ତି ଏବଂ ଆର୍ଥିକ ପ୍ରୋତ୍ସାହନ ଇତ୍ୟାଦି ପ୍ରଦାନ କରିଥାନ୍ତି । ୨୦.୧୦.୨୦୨୨ ରେ ଜୟପୁର ବିମାନବନ୍ଦର ଆନୁଷ୍ଠାନିକ ଭାବରେ ନୂଆଦିଲ୍ଲୀର ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କଠାରୁ 2B VFR ବର୍ଗରେ ଉଡାଣ ନିମନ୍ତେ ଲାଇସେନ୍ସ ପାଇଥିଲା । ଭୁବନେଶ୍ୱର, ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପରେ ଏହା ରାଜ୍ୟର ଚତୁର୍ଥ ଲାଇସେନ୍ସ ପ୍ରାପ୍ତ ବିମାନବନ୍ଦର ଭାବେ ପରିଗଣିତ ହୋଇଛି । ଏହା ରାଜ୍ୟର ପ୍ରଥମ ନିଜସ୍ୱ ବିମାନବନ୍ଦର ଯାହା ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସପ୍ରାପ୍ତ । ପ୍ରଥମ ପର୍ଯ୍ୟାୟରେ, ଜୟପୁର ସହର ଆକାଶପଥରେ ଭୁବନେଶ୍ୱରକୁ ସଂଯୋଗ ହୋଇଛି । ଏବଂ M /s ଇଣ୍ଡିଆ ୱାନ ଏୟାରକୁ ନିୟମିତ ଭାବେ ୯ ସିଟ ବିଶିଷ୍ଟ ବିମାନକୁ ବ୍ୟବହାର କରି ଉପରୋକ୍ତ ମାର୍ଗରେ ପ୍ରାରମ୍ଭିକ ଭାବେ ୯୯୯ ଟଙ୍କା ମୂଲ୍ୟରେ ଉଡାଣ ପାଇଁ ଚୟନ କରାଯାଇଛି । ଏହା ରାଜ୍ୟ ରାଜଧାନୀ ଏବଂ ଜୟପୁର ସହର ମଧ୍ୟରେ ଯାତ୍ରା ସମୟକୁ ୧.୩୦ ଘଣ୍ଟାକୁ ହ୍ରାସ କରିବ ।
ଜୟପୁର ସହରରେ ବିମାନବନ୍ଦର ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଓ ରାଜ୍ୟ ରାଜଧାନୀକୁ ସଂଯୋଗ କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା । ବର୍ତ୍ତମାନ ଏହି ସିଟି
ଏକ ବାଣିଜ୍ୟ କେନ୍ଦ୍ର ଭାବରେ ଉଭା ହୋଇଛି ଯେଉଁଥିରେ ଅନେକ ଉତ୍ପାଦନକ୍ଷମ କାରଖାନା ଅଛି । ଏହା ବ୍ୟତୀତ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଏବଂ ବିଭିନ୍ନ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ରହିଛି । ଜୟପୁର ବିମାନବନ୍ଦର ପାଇଁ ଅନେକ ଦିନ ଧରି ଜନସାଧାରଣଙ୍କର ଦାବି ଥିଲା ଏବଂ ବର୍ତ୍ତମାନ ବିମାନ ସଂଯୋଗ ପ୍ରତ୍ୟେକ ଦିଗରେ ସମସ୍ତଙ୍କ ସ୍ୱପ୍ନକୁ ପୂରଣ କରିପାରିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭିକେ ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।