News18 Odia Digital
ଭୁବନେଶ୍ୱର/ପଦ୍ମପୁର: ପଦ୍ମପୁରରେ ଅଭୂତପୂର୍ବ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ପଦ୍ମପୁର ବାସୀଙ୍କ ଆର୍ଶୀବାଦ ପାଇଁ ଜଲଦି ପଦ୍ମପୁର ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ।
ନବୀନ କହିଛନ୍ତି, କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍ସନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍ସନରେ ବି ଯାଇ ନ ଥିଲେ, ଏ ପଦ୍ମପୁର ଇଲେକ୍ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା।
ରାଜନୀତିରେ ହାରିବା ଓ ଜିତିବା, ଇଲେକସ୍ନ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ।ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂଙ୍କ ପାଖରେ ଠିଆ ହେବି ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି । ଏଥିପାଇଁ ବାପା ହରାଇଥିବା ବର୍ଷାଙ୍କ ସାଙ୍କରେ ଠିଆ ହୋଇଥିଲି ବୋଲି କହିଛନ୍ତି ସିଏମ।
ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ତଥା ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇଛନ୍ତି ଯେ ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ।
ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ, ଓଡିଶାବାସୀଙ୍କୁ, ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, ... This is extremely unfortunate. ଏହା ଠିକ୍ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡିଶାର ଉନ୍ନତି ପାଇଁ କାମ କରିବା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ପଦମପୁରବାସୀଙ୍କ ପାଖରେ ଋଣୀ ରହିବା ସହ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ ବୋଲି ଜଣାଇଛନ୍ତି CM।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।