ବଦଳିବ ଲୋକନାଥ ମନ୍ଦିର ଓ ଅଲାରନାଥ ପୀଠର ନକ୍ସା; ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଓ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

ବଦଳିବ ଲୋକନାଥ ମନ୍ଦିର ଓ ଅଲାରନାଥ ପୀଠର ନକ୍ସା; ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ବଦଳିବ ଲୋକନାଥ ମନ୍ଦିର ଓ ଅଲାରନାଥ ପୀଠର ନକ୍ସା; ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର;  ମନ୍ଦିର ବିକାଶ ଦିଗରେ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ବିଭିନ୍ନ ମନ୍ଦିର ସହ ଏହାର ପାରିପାର୍ଶ୍ୱିକ ବିକାଶ ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର କ୍ଷେତ୍ର, ତାରାତାରିଣୀ ପରି ମନ୍ଦିର ଏହାର ନିଦର୍ଶନ । ରାଜ୍ୟ ସରକାର ଏହି ପ୍ରକଳ୍ପ ବିକାଶ ଦିଗରେ କାର୍ଯ୍ୟ ଜାରି ରଖିବା ସହ ଅନ୍ୟ ପୁରାତନ ମନ୍ଦିର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଏହି କ୍ରମରେ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଓ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।  ଦୁଇ ମନ୍ଦିରର ପୁନଃଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।  ମାଷ୍ଟରପ୍ଲାନ ଅନୁଯାୟୀ ଲୋକନାଥ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ବାରରେ ସେବାୟତ ମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢାଯାଇ ଖଣ୍ଡାଲାଇଟ୍‌ସ ପଥର ଲଗାଯିବ। ମନ୍ଦିରର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡ ସ୍ଲେପିଂ କରାଯିବ।  ମନ୍ଦିର ପାଚେରୀର ମରାମତି ସହିତ ଆଲୋକୀକରଣର ବ୍ୟବସ୍ଥା କରାଯିବ। ବାହାର ବେଢାକୁ ସଂପ୍ରସାରିତ କରାଯିବା ସହିତ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବା ପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଏଥିସହ ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ, ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ।

ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ମଧ୍ୟ ଉନ୍ନତିକରଣ କରାଯିବ। ଏହାର ଚାରିପଟେ ୨୬୭ ମିଟରର ସୁଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ ।  ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ମନ୍ଦିରକୁ ସଂଯୋଗ କରୁଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ। ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ। ସେହିପରି ବ୍ରହ୍ଣଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ। ମାଷ୍ଟରପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ପୁରା ଅଞ୍ଚଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ। ଏହାର ପ୍ରବେଶ ଦ୍ୱାରକୁ ୪୦ ଫୁଟ ଚଉଡା ଓ ୧୮ ଫୁଟ ଉଚ୍ଚ କରାଯିବ। ଏଥିରେ ଖଣ୍ଡାଲାଇଟସ ପଥର ଲଗାଯିବ । ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡାଲାଇଟ୍‌ସ ଓ ପେଭର ବ୍ଲକ ଲଗାଯିବା ସହିତ ଡ୍ରେନର ବ୍ୟବସ୍ଥା ମଧ୍ୟ କରାଯିବ । ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢାଯାଇ ଖଣ୍ଡାଲାଇଟ୍‌ସ ଲଗାଯିବ। ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ । ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ  କାମ ସଂପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।  ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନ କରିବେ ବୋଲି କହିଥିଲେ ।
Published by:Soubhagya Mishra
First published: