ପୋଲାଭରମ୍ ଚିନ୍ତା ଥାଉଁ ଥାଉଁ ମାଲକାନଗିରିରେ ମୁଣ୍ଡ ବ୍ୟଥା ସାଜିଲାଣି ଛତିଶଗଡ଼ର କୋକ୍ରାଲ୍ ଡ୍ୟାମ୍
ଓଡି଼ଶା ସୀମାନ୍ତରେ ଛତିଶଗଡ଼ ସରକାର ନିର୍ମାଣ କରିବାକୁ ଯାଉଥିବା କୋକ୍ରାଲ ଡ୍ୟାମ୍ ପ୍ରକଳ୍ପକୁ ପ୍ରବଳ ବିରୋଧ କରିଛି ମାଲକାନଗିରି ଆଦିବାସୀ ସଙ୍ଘ । ଏହି ଡ୍ୟାମ୍ ନିର୍ମାଣ ହେଲେ ମାଥିଲି ବ୍ଲକର ସାତଟି ପଞ୍ଚାୟତର ପ୍ରାୟ ୪୮ଟି ଗାଁ ଜଳମଗ୍ନ ହୋଇପାରେ ।

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କ୍ରୋକାଲ ଡ୍ୟାମ ବିରୋଧରେ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି ଆଦିବାସୀମାନେ ।
- News18 Odia
- Last Updated: January 22, 2021, 9:35 PM IST
ମାଲକାନଗିରି: ଓଡ଼ିଶାର ସୀମାନ୍ତରେ ମାଲକାନଗିରିରେ ପୂର୍ବରୁ ପୋଲାଭରମ ଡ୍ୟାମକୁ ନେଇ ବିଭିନ୍ନ ସ୍ତରରେ ବିରୋଧ, ଆନ୍ଦୋଳନ ଓ ଆଲୋଚନା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସମାଧାନର ବାଟ ଖୋଲି ନ ଥିବା ବେଳେ ସେହି ଅଞ୍ଚଳରେ ଆଉ ଏକ ଡ୍ୟାମ୍ ନିର୍ମାଣକୁ ନେଇ ଏବେ ଭୟ ଓ କ୍ଷୋଭର ବାତାବରଣ ସୃଷ୍ଟି ହୋଇଛି । ଛତିଶଗଡ଼ ଓ ଓଡି଼ଶା ସୀମାନ୍ତରେ କୋକ୍ରାଲ୍ ଡ୍ୟାମ୍ ପ୍ରକଳ୍ପକୁ ପ୍ରବଳ ବିରୋଧ କରିଛି ମାଲକାନଗିରି ଆଦିବାସୀ ସଙ୍ଘ ।
କ୍ରୋକାଲ୍ ଡ୍ୟାମ୍ ନିର୍ମାଣ ହେଲେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର ଅନେକ ଗାଁ ବୁଡ଼ିଯିବାର ଆଶଙ୍କା ରହିଛି । ପୋଲାଭରମ୍ ଡ୍ୟାମକୁ ନେଇ କୌଣସି ସମାଧାନ ବାହାରି ନ ଥିବା ବେଳେ ଏବେ କୋକ୍ରାଲ୍ ଡ୍ୟାମ୍ ମାଲକାନଗିରି ଜିଲ୍ଲା ବାସୀଙ୍କୁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଜିଲ୍ଲାର ସୀମାନ୍ତରେ ଛତିଶଗଡ଼ର କୋକ୍ରାଲ୍ ଠାରେ ଏକ ଡ୍ୟାମ୍ ନିର୍ମାଣ କରିବା ପାଇଁ ଛତିଶଗଡ଼ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସୂତ୍ରଙ୍କ ଅନୁସାରେ ଏହି ଡ୍ୟାମ୍ ପାଇଁ ବିଭିନ୍ନ ପ୍ରକାରର ସର୍ଭେ କାମ ଶେଷ ହୋଇଯାଇଛି ।
ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଓ ମିସା

କୋକ୍ରାଲ୍ ଡ୍ୟାମ୍ ବିରୋଧୀ ଶୋଭାଯାତ୍ରାରେ ମାଥିଲି ବ୍ଲକର ବିଭିନ୍ନ ଗାଁର ବାସିନ୍ଦାମାନେ ସାମିଲ ହୋଇଥିଲେ ।
‘‘କୋକ୍ରାଲ୍ ଡ୍ୟାମ୍ ନିର୍ମାଣ ହେଲେ ବହୁ ଚାଷ ଜମି ନଷ୍ଟ ହେବା ସହ ବହୁ ଗାଁ ଜଳମଗ୍ନ ହେଇଯିବ । ଅନେକ ଗାଁର ଲୋକେ ବୁଡ଼ିଯିବେ । ଆମର ଏକର ଏକର ଜମି ଜଳମଗ୍ନ ହେଇଯିବ । ବର୍ଷା ହେଲେ ତ ଆମ ଅବସ୍ଥା ଖରାପ, ଆଉ ଡ୍ୟାମ ହେଲେ କ’ଣ ରହିବ ଆମର ଘରଦ୍ୱାର ଓ ଚାଷ ଜମି?’’ ପଚାରିଛନ୍ତି କୋମାରପାଲ୍ଲୀର ପୂର୍ବତନ ସରପଞ୍ଚ ଲକିନାଥ ଭୂମିଆ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ତୁର୍କୀର ଏହି ଧାର୍ମିକ ନେତାଙ୍କର ୧,୦୦୦ ଜଣ ଗର୍ଲଫ୍ରେଣ୍ଡ ଥିଲେ; ତାଙ୍କୁ ୧,୦୭୫ ବର୍ଷ ଜେଲ୍ ଦଣ୍ଡ ମିଳିଛି
ଆନ୍ଧ୍ର ପ୍ରଦେଶ ସହ ପୋଲାଭରମ ପ୍ରକଳ୍ପକୁ ନେଇ କୌଣସି ନିଷ୍କର୍ଷ ବାହାରି ନ ଥିବା ବେଳେ ଛତିଶଗଡ଼ର କୋକ୍ରାଲ୍ ପ୍ରକଳ୍ପ କାମ ବି ସେମିତି ଆଗେଇ ଚାଲିବ ବୋଲି ଆଦିବାସୀମାନେ ଭୟ କରୁଛନ୍ତି । କୋକ୍ରାଲ୍ ଡ୍ୟାମ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିଭିନ୍ନ ଗ୍ରାମର ଆଦିବାସୀମାନେ ଏକଜୁଟ ହେବା ଆରମ୍ଭ କରିଛନ୍ତି । ସେହି ଏକଜୁଟତାର ପ୍ରଥମ ପ୍ରଦର୍ଶନ ଥିଲା ଏହି ଶୋଭାଯାତ୍ରା, ଯେଉଁଥିରେ ମହିଳାମାନେ ବଡ଼ ସଂଖ୍ୟାରେ ଭାଗ ନେଇଥିଲେ ।
ଏହା ବି ପଢ଼ନ୍ତୁ | ଆମେରିକାରେ ନୂଆ ଯୁଗର ଆରମ୍ଭ ହେଲା; ଜୋ ବାଇଡେନ୍ President ଓ କମଳା ହ୍ୟାରିସ୍ VP ରୂପେ ଶପଥ ନେଲେ
‘‘ଲୋକଙ୍କୁ ଏ କଥା ଆଉ ବୁଝିବା ବାକି ନାହିଁ ଯେ ବର୍ଷା ହେଲେ ସପ୍ତାହେ ପାଣିରେ ବୁଡ଼ି ରହୁଥିବା ଗାଁଗୁଡ଼ିକର ଅସ୍ତିତ୍ୱ କୋକ୍ରାଲ୍ ଡ୍ୟାମ ହେଲେ ଆଉ ରହିବ ନାହିଁ । ଏହି ଡ୍ୟାମ୍ କାର୍ଯ୍ୟ ବନ୍ଦ ହେଲେ ଯାଇ ଆମର ଏକ ବଡ଼ ଚିନ୍ତା ଯିବ,’’ କହିଛନ୍ତି କୋମାରପାଲ୍ଲୀର ସରପଞ୍ଚ ବସନ୍ତ ମାଢ଼ି ।
ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପୂର୍ଣଚନ୍ଦ୍ର ବାକା କହିଛନ୍ତି, ‘‘ଆମେ ଆଦିବାସୀଙ୍କ ସାଙ୍ଗରେ ଅଛୁ । କୋକ୍ରାଲ୍ ଡ୍ୟାମ ଉପରେ ସେମାନଙ୍କ ବିରୋଧ ବାବଦରେ ଆମେ ମୁଖ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇବୁ । ଏହି ଡ୍ୟାମ ନିର୍ମାଣ ହେଲେ ମାଥିଲି ବ୍ଲକର ବହୁ ଗାଁ ଜଳମଗ୍ନ ହେବ ଓ ହଜାର ହଜାର ଲୋକ ବିସ୍ଥାପିତ ହେବେ ।’’