cNews18 Odia Digital
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ବେଗୁନିଆ ଅଞ୍ଚଳର ଜଣେ ପେଷ୍ଟ୍ରି ସେଫ ରାକେଶ କୁମାର ସାହୁ । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଛନ୍ତି ୭୨ କେଜି ଓଜନର ଚକୋଲେଟରେ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀଙ୍କର ଏକ ପ୍ରତିକୃତି ବା ସ୍ଥାପତ୍ୟକଳା ।
ଶନିବାର ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଚଳିତବର୍ଷ ଜନ୍ମୋତ୍ସବ ପାଳିବେନି ବୋଲି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ୩୨ ବର୍ଷିୟ ରାକେଶ ସାହୁ ଟଙ୍କପାଣି ରୋଡରେ ନିଜର ଏକ ଇନଷ୍ଟିଚ୍ୟୁଟ କରି ବେକିଂ ଏବଂ ପେଷ୍ଟ୍ରି କଳା ତିଆରି ଉପରେ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ଭିନ୍ନ କଳା ପ୍ରସ୍ତୁତ ପାଇଁ ସେ ଚିନ୍ତା କରିଥିଲେ । ଏନେଇ ପ୍ରଥମେ ନିଜ ପ୍ରସ୍ତାବ ଓ ପରିକଳ୍ପନାକୁ କ୍ରୀଡ଼ା ବିଭାଗ ଆଗରେ ପ୍ରକାଶ କରିଥିଲେ । ଆଉ କ୍ରୀଡ଼ା ବିଭାଗ ଏଭଳି ଏକ ନିଆରା ପ୍ରସ୍ତୁତି ପାଇଁ ତୁରନ୍ତ ଆଗ୍ରହ ପ୍ରକାଶ କରିଥିଲେ । ତାପରେ ଆରମ୍ଭ ହୋଇଥିଲା ରାକେଶଙ୍କ ଅଭିଯାନ। ଦୀର୍ଘ ୧୫ ଦିନ ଧରି ନିଜର ୬ ଜଣ ଛାତ୍ରଛାତ୍ରୀଙ୍କ ସହ ମିଶି ୭୨ କେଜି ଓଜନର ଚକୋଲେଟ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସେଫ ରାକେଶ । କେବଳ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ନୁହେଁ । ବିଭିନ୍ନ କ୍ରୀଡ଼ା ସରଞ୍ଜାମ ମଧ୍ୟ ଏହି ସ୍ଥାପତ୍ୟତଳାରେ ସ୍ଥାନ ପାଇଛି ।

ମୁଖ୍ଯମନ୍ତ୍ରୀଙ୍କ ପ୍ରତିମୂର୍ତ୍ତୀକୁ କ୍ରିଡ଼ାମନ୍ତ୍ରୀ ଉଦଘାଟନ କରିିଛନ୍ତି (ପ୍ରତୀକାତ୍ମକ ଛବି)
“ବିଗତ କିଛି ବର୍ଷ ହେଲା ଲଗାତର ଭାବେ ଭାରତୀୟ ହକି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅତୁଳନୀୟ ଅବଦାନ ରହିଛି । ହକି ଖେଳ ପ୍ରତି ଚାହିଦା ଧୀରେ ଧୀରେ କମିବାକୁ ଲାଗୁଥିବା ବେଳେ ଓଡ଼ିଶା ସରକାର ତାକୁ ଏକ ନୂଆ ଦିଗନ୍ତ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୋତ୍ସାହନ ହକିକୁ ବେଶ ଅଗ୍ରସର କରାଇଥିଲା । ଯାହାର ପରିଣାମ ନିକଟରେ ଟୋକିଓ ଅଲମ୍ପିକରେ ମଧ୍ୟ ଦେଖିବାକୁ ମିଳିଛି । ତେଣୁ ଏଭଳି ଜଣେ କ୍ରୀଡ଼ାପ୍ରେମୀଙ୍କ ଉଦ୍ଦେଶ୍ୟରେ ଭିନ୍ନ ଶୈଳୀରେ ଜନ୍ମଦିନ ଭେଟି ଦେବାକୁ ନିଷ୍ପତ୍ତି ନେଇଥିଲି । ଆଉ ଏହି ଚକୋଲେଟ ପ୍ରତିମୂର୍ତ୍ତି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି,” କହିଛନ୍ତି ସେଫ ରାକେଶ କୁମାର ସାହୁ ।
ଏହି ସ୍ଥାପତ୍ୟ ପ୍ରସ୍ତୁତ ସମୟରେ ସେଫ ରାକେଶ ଓ ତାଙ୍କ ଟିମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ପାଣିପାଗର ପରିବର୍ତ୍ତନ ଓ ବାୟୁମଣ୍ଡଳର ଆର୍ଦ୍ରତା ପାଇଁ ଅନେକ ସମସ୍ୟା ଉପୁଜିଥିଲା । କିନ୍ତୁ ସେମାନଙ୍କର କଠିନ ପରିଶ୍ରମ ବର୍ତ୍ତମାନ ବାସ୍ତବ ରୂପ ନେଇଛି । ଆଉ ସୁନ୍ଦର ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇପାରିଛି ।

ଉଦଘାଟନୀ ଉତ୍ସବରେ ହକି କ୍ରିଡ଼ାବିତ ଉପସ୍ଥିତ ଥିଲେ (ପ୍ରତୀକାତ୍ମକ ଛବି)
ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଏହି ଚକୋଲେଟ ସ୍ଥାପତ୍ୟକଳାର ଲୋକାପର୍ଣ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ଅବସରରେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ଓଡ଼ିଶା ହକି ପ୍ରମୋଶନ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଉପସ୍ଥିତ ରହିଥିଲେ । ଏଥିସହ ହକି ହାଇ ପର୍ଫମାନସ ସେଣ୍ଟରର କର୍ମକର୍ତ୍ତା ଓ କ୍ରୀଡ଼ାବିତମାନେ ମଧ୍ୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।