News 18 Odia Digital
ଭୁବନେଶ୍ୱର; କମିଶନରେଟ ପୋଲିସ ହାତରେ ଇରାନୀ ଗ୍ୟାଙ୍ଗ । ଭୁବନେଶ୍ୱର ସମେତ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଚେନ ସ୍ନାଚିଂ , ଚୋରୀ , ଲୁଟ କରୁଥିଲେ ଏହି ଇରାନୀ ଗ୍ୟାଙ୍ଗ ଲୁଟେରା । ଧରପଡିବା ପରେ ଏବେ ଏମାନଙ୍କର ଅପରାଧର ତାଲିକା ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ ।
ଏକା ଦେଖି ଲୁଟ କରୁଥିଲେ ଲୁଟ କରିବା ପରେ ବଦଳାଇ ଦେଉଥିଲେ ଠିକଣା। ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ଲୁଟେରାଙ୍କ ପୂର୍ବ ପୁରୁଷ ଇରାନର ବୋଲି ଜଣାପଡିଛି । ଲୁଟେରାଙ୍କ ଠାରୁ ୫ ଟି ବାଇକ, ୧୭ଟି ସୁନା ଚେନ, ୩ ଟି ମୋବାଇଲ ଜବତ ହୋଇଛି । ଏହି ଗ୍ୟାଙ୍ଗ ରାଜପଥରେ ଲୁଟପାଟ କରନ୍ତି। ଏମାନଙ୍କ ନାମରେ ଭୁବନେଶ୍ୱର ସମେତ ଯାଜପୁର , ଭଦ୍ରକ , ପୁରୀ ଭଳି ବିଭିନ୍ନ ଜିଲ୍ଲାରେ ମାମଲା ରହିଛି । ଏମାନେ ଲୁଟ କରି ଦ୍ରୁତ ଗତୀରେ ବାଇକ ଚଳାଇ ଫେରାର ହୋଇଯାଉଥିଲେ । ଗତବର୍ଷ ସବୁଠାରୁ ଅଧିକ ସକ୍ରିୟ ଥିଲା ଏହି ଗ୍ୟାଙ୍ଗ । ଡିସିପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି ।
ଗିରଫମାନେ ହେଲେ ଜାହିର ହୁସେନ , ମନୋଜ କୁମ୍ଭାର , କିସ୍ମତ ଅଲ୍ଲୀ , ସିକନ୍ଦର ଅଲ୍ଲୀ । ତେବେ ଏମାନେ ଦୀର୍ଘଦିନ ଧରି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ , ମଧ୍ୟପ୍ରଦେଶ , କର୍ଣ୍ଣାଟକ , ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଲୁଟ କରିଥିବା ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି । ସେହିପରି ଏମାନଙ୍କ ନାମରେ ଯାଜପୁର , ଭଦ୍ରକ କଟକ ଆଦି ଜିଲ୍ଲାରେ ମଧ୍ୟ ଏକାଧିକ କେସ୍ ଥିବାବେଳେ କେବଳ ଭୁବନେଶ୍ୱରରେ ୨୨ ଟି ସ୍ନାଚିଂ ଘଟଣା ସାମ୍ନାକୁ ଆସିଥିବା ମଧ୍ୟ ଡିସିପି ସୂଚନା ଦେଇଛନ୍ତି ।
ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ କେଉଁ ଥାନାରେ କେତେ ମାମଲା ରହିଛି ସେନେଇ ଅପରାଧିକ ତାଲିକା ପ୍ରସ୍ତୁତ କରୁଛି ପୋଲିସ । ଏଥିସହ ଏମାନଙ୍କ ସହିତ ଆଉ କେହି ସହଯୋଗୀ ରହିଛନ୍ତି କି ନାହିଁ ସେନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।