News18 Odia Digital
ଭୁବନେଶ୍ବର: ବଦଳିବ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ରୂପରେଖା। ପିତ୍ତଳ ପରିବର୍ତ୍ତେ ରୂପା ଚାଦର ଛାଉଣୀ ହେବ ସିଂହଦ୍ୱାର। ଏ ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ। ସିଂହଦ୍ୱାର ସମେତ ମନ୍ଦିରରେ ଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ଓ ମରାମତି ମଧ୍ୟ କରାଯିବ। ଏ ନେଇ ଆସନ୍ତା ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ ବି.ଏମ.ସି. କମିଶନର ସଞ୍ଜୟ ସିଂହ ।
ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ଓ ମନ୍ଦିରର ସୁରକ୍ଷା ନେଇ ବି.ଏମ.ସି. କମିଶନରଙ୍କ ଅଧ୍ୟକ୍ଷତାରେ ଏ.ଏସ.ଆଇ. କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ଦିରର ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ ବୈଠକରେ ଉପସ୍ଥିତ ସମସ୍ତଙ୍କର ସହମତି ମିଳିଥିଲା।
ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଲିଙ୍ଗରାଜଙ୍କ ମନ୍ଦିରର ସିଂହଦ୍ୱାର ଚିତ୍ର ବଦଳିବାକୁ ଯାଉଛି । ବର୍ତମାନ ଥିବା ପିତ୍ତଳ ପରିବର୍ତ୍ତେ ରୂପା ଚଦରର ଛାଉଣୀ କରାଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବି.ଏମ.ସି. କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏ ନେଇ ଆସନ୍ତା ଶୁକ୍ରବାର କମିଶନର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସିଂହଦ୍ୱାର ସମେତ ବିଭିନ୍ନ ସମସ୍ୟାର ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

ବଦଳିବ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ରୂପରେଖା
ଭାରତୀୟ ପ୍ରତ୍ନତତ୍ଵ ବିଭାଗର ଅବହେଳା ଫଳରେ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ସିଂହଦ୍ୱାର ଏଯାବତ ମରାମତି ହେଉନଥିଲା, ଯାହା ପାଇଁ ସେବାୟତ ମାନେ ବାରମ୍ବାର ଅଭିଯୋଗ କରିଥିଲେ। ବର୍ତ୍ତମାନ ସିଂହଦ୍ୱାରର ଚିତ୍ର ବଦଳାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ପ୍ରଭୁ ଲିଙ୍ଗରାଜଙ୍କ ରୋଷ ଘର, ଗର୍ଭ ଗୃହ, ଭୋଗ ମଣ୍ଡପ, ମଙ୍ଗଳ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ଵରୀ ମନ୍ଦିର, ସମେତ ଅନ୍ୟ ମନ୍ଦିରରେ ପାଣି ଗଳୁଛି ବୋଲି ସେବାୟତମାନେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥି ସହିତ ପ୍ରତ୍ନତତ୍ଵ ବିଭାଗର ଅବହେଳା ପାଇଁ ମନ୍ଦିରର ବିଭିନ୍ନ ସ୍ଥାନରେ ଅନାବନା ଗଛ ଭରି ରହିଛି। ପାଚେରୀରେ ଘାସ, ଶିଉଳି ମାଡ଼ି ଗଲାଣି। ଶ୍ରୀଜୀଉଙ୍କ କୂଅ ପାଣି ଅପରିଷ୍କାର ହୋଇପଡ଼ିଛି। ମନ୍ଦିରର ଚଟାଣ ଗୁଡ଼ିକ ଦୁର୍ବଳ ଯୋଗୁଁ ବିଭିନ୍ନ ସ୍ଥାନରେ ଖାଲ ହେଲାଣି। ଏ ସମସ୍ତ ଅବ୍ୟବସ୍ଥା ଫଳରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ ଦିନକୁ ଦିନ ନଷ୍ଟ ହେବାକୁ ବସିଛି ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି। ଏଥି ପାଇଁ ବିଭିନ୍ନ ସମସ୍ୟାର ପ୍ରକୃତ ସ୍ଥିତି ପରଖିବା ପାଇଁ କମିଶନର ନିଜେ ମନ୍ଦିର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

ଲିଙ୍ଗରାଜ ମନ୍ଦିରର ହେବ ଉନ୍ନତିକରଣ
ସିଂହଦ୍ଵାର କବାଟ ମରାମତି ସହ ଏଥିରେ ପୂର୍ବରୁ ଲାଗିଥିବା ପିତଳ ଚାଦର ହଟାଇ ରୂପା ଚାଦର ଲଗାଇବାକୁ ନିଷ୍ପତ୍ତି ହୋଇଛି। ମନ୍ଦିରର ସ୍ଥିତି ଅନୁଧ୍ୟାନ ପରେ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ବି.ଏମ.ସି. କମିଶନର ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ପ୍ରତ୍ନତତ୍ଵ ବିଭାଗ ଅଧିକ୍ଷକ ଅରୁଣ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।