ଚାନ୍ଦିପୁର ITR ମାମଲା ଆଉ ଜଣେ ଅଭିଯୁକ୍ତ ଗିରଫ
- News18 Odia
- Last Updated :
News18 Odia Digital
ବାଲେଶ୍ବର: ଡି.ଆର୍.ଡି.ଓ.ର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ (ଆଇ.ଟି.ଆର୍.) ସମ୍ବେଦନଶୀଳ ତଥ୍ୟ ଲିକ୍ କରିବା ଓ ବାହାରକୁ ପଠାଇବା ଅଭିଯୋଗରେ ଗିରଫ ହୋଇଥିବା ଚାରି ଜଣ ସନ୍ଦିଗ୍ଧ ଗୁପ୍ତଚରଙ୍କ ମାମଲାର ତଦନ୍ତ ଏବେ ଏବେ କ୍ରାଇମ୍ ବ୍ରାଞ୍ଚ୍ କରିବ । ଏହି ମାମଲାରେ ଗୁରୁବାର ପୁଣି ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ କୋର୍ଟରେ ଜାମିନ ପିଟିସନ ଖାରଜ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଏସଡିଜିଏମ କୋର୍ଟ।
ଗିରଫ ହୋଇଥିବା ବ୍ୟକ୍ତି ୟୁପି ମେରଠ ଅଞ୍ଚଳର ସଚିନ କୁମାର ଛେତା । ବଡ଼ କଥା ହେଲା ସଚିନ ହେଉଛନ୍ତି DRDO ଆଇଟିଆରର ଜଣେ ସ୍ଥାୟୀ କର୍ମଚାରୀ । ଏହା ଠାରୁ ବି ସାଙ୍ଘାତିକ କଥା ହେଲା ସୂଚନା ମୁତାବକ ସଚିନ ଆଇଟିଆରର ଜଣେ ବରିଷ୍ଠ ଅଧିକାରୀଙ୍କ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ତେବେ ସଚିନ ଗିରଫ ପରେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି । ସଚିନ ମେରଠର ବସିନ୍ଦା ହୋଇଥିବା ବେଳେ ୨୦୧୫ ବିଦେଶୀଙ୍କୁ ଗୁପ୍ତତଥ୍ୟ ଦେଇ ଗିରଫ ହୋଇଥିବା ଈଶ୍ୱରଙ୍କ ଆକାଉଣ୍ଟକୁ ମଧ୍ୟ ଏକାଧିକ ବାର ମେରଠରୁ ଟଙ୍କା ଟ୍ରାନ୍ସଫର ହୋଇଥିଲା । ଏବେ ଏହି ଦୁଇ ଲିଙ୍କ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସରକାରୀ ଓକିଲ ଗାୟତ୍ରୀ ଦାସ ଗୁରୁବାର କହିଥିଲେ ଯେ ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ କୁମାର ଓ ତାଙ୍କ ଘର ୟୁପିର ମେରଠରେ । ତେବେ ପ୍ରତିପକ୍ଷ ଓକିଲ ସଚିନର ବେଲ ପିଟିସନ ଦାଖଲ କରିଥିବା ବେଳେ ଏହାକୁ କୋର୍ଟ ଖଣ୍ଡନ କରିଦେଇଛନ୍ତି। ଏବେ ତାଙ୍କୁ ମଧ୍ୟ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଯାଇଛି।
ଗୁରୁବାର ସନ୍ଧ୍ୟାରେ ଦୁଇ ଜାଣିଆ NIA ( ରାଷ୍ଟ୍ରୀୟ ଯାଞ୍ଚ ସଂସ୍ଥା ) ବାଲେଶ୍ୱର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୋଲକାତା କାର୍ଯ୍ୟାଳୟରୁ ଦୁଇ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ଏସସି ଅଫିସରେ ଅଧିକାରୀ ମାନଙ୍କ ସହିତ ସମ୍ପର୍କ କରିଥିଲେ । ଏହାପରେ ସେମାନେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ସହିତ ସମ୍ପୃକ୍ତ ଅନ୍ୟ କେହି ଅଛନ୍ତି କି ନାହିଁ ସେ ଦିଗରେ ତଦନ୍ତ ଆରମ୍ଭ କରିଛନ୍ତି ।
ଗୁରୁବାର ଠାରୁ ତଦନ୍ତ ଭାର ହାତକୁ ନେଇଛି କ୍ରାଇମ୍ ବ୍ରାଞ୍ଚ୍ । ବୁଧବାର ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଚାରି ଜଣିଆ ଏସଆଇଟି ଟିମ ବାଲେଶ୍ୱର ପହଞ୍ଚି ତଦନ୍ତ ଭାର ହାତକୁ ନେଇଛନ୍ତି । କ୍ରାଇମ୍ ବ୍ରାଞ୍ଚ୍ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇଙ୍କ ନେତୃତ୍ୱରେ ଜଣେ ସାଇବର ସେଲ ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ଏହି ଟିମରେ ସାମିଲ ଅଛନ୍ତି । ତେବେ ଟିମ ଗୁରୁବାର ପ୍ରଥମେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଥିଲେ । ଏହାପରେ ତଦନ୍ତ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରିମାଣ୍ଡ ପାଇଁ ଆବେଦନ କରିପାରେ କ୍ରାଇମ୍ ବ୍ରାଞ୍ଚ୍ ।
ଅତିରିକ୍ତ ଏସପି ପ୍ରଶାନ୍ତ ବିଶୋଇ କହିଛନ୍ତି, ‘‘କ୍ରାଇମ୍ ବ୍ରାଞ୍ଚ୍ କହିଛନ୍ତି ଆମେ ତଦନ୍ତ ଆରମ୍ଭ କରିଛୁ । ଏହା ଏକ ସମ୍ବେଦନଶୀଳ ବିଷୟ ଓ ରାଷ୍ଟ୍ରୀୟ ସୁରକ୍ଷା ବିଷୟ ହୋଇଥିବାରୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରାଯାଇଛି । ସମ୍ପୂର୍ଣ୍ଣ କେସ ଡିଟେଲ ଜାଣି ସରିବା ପରେ ରିମାଣ୍ଡ ଆବଶ୍ୟକ କି ନାହିଁ ଦେଖିବୁ।"
ବିଦେଶୀ ହାତରେ ଦେଶର ତଥ୍ୟ ଦେବା ଘଟଣାରେ ଗୋଟିଏ ପରେ ଗୋଟିଏ ଗିରଫ ହେବାରେ ଲାଗିଛନ୍ତି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।