ଚାନ୍ଦିପୁର ITRରେ ଗୁପ୍ତଚର ମାମଲା
- News18 Odia
- Last Updated :
News18 Odia Digital
ବାଲେଶ୍ବର/କଟକ: ଡି.ଆର୍.ଡି.ଓ.ର (DRDO) ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ (ଆଇ.ଟି.ଆର୍.) ଚାଲିଥିବା ଗୁପ୍ତଚର କାର୍ଯ୍ୟ ପାଇଁ ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ମାରାଥନ ଜେରା ଜାରି ରହିଛି । ସାତ ଦିନିଆ କ୍ରାଇମ୍ ବ୍ରାଞ୍ଚ୍ ରିମାଣ୍ଡର ସୋମବାର ଥିଲା ତୃତିୟ ଦିନ । ରବିବାର ଦିନ କ୍ରାଇମ୍ ବ୍ରାଞ୍ଚର ଅଧିକାରୀମାନେ ଜେରା କରିଥିବା ବେଳେ ଦ୍ବିତୀୟ ଦିନ ଜୋରାରେ ସାମିଲ ହୋଇଥିଲା ଏନ.ଆଇ.ଏ. ।
କୋଲକତା ସ୍ଥିତ ଏନ.ଆଇ.ଏ. କାର୍ଯ୍ୟାଳୟରୁ ଆସିଥିବା ଦୁଇ ଜଣିଆ ସଦସ୍ୟ ବିଶିଷ୍ଟ ଏନ.ଆଇ.ଏ. ଟିମ ଦୁଇଟି ପାର୍ଯ୍ୟାୟରେ ଅଭିଯୁକ୍ତମାନଙ୍କୁ ପାଳି କରି ପଚରା ଉଚରା କରିଛନ୍ତି ।
ସୋମବାର ଦିନ ସକାଳ ପ୍ରାୟ ୧୦ଟା ବେଳୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେରା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଚାଲିଥିଲା । ପାଖାପାଖି ଦେଢ ଘଣ୍ଟା ପରେ ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚର କରିଥିଲେ ଏନ.ଆଇ.ଏ.ର ଦୁଇ ଅଧିକାରୀ । ଏହି ଦୁଇ ଜଣିଆ ସଦସ୍ୟ ବିଶିଷ୍ଟ ଟିମରେ ଜଣେ ଟେଲିକମ୍ ଏକ୍ସପର୍ଟ ଥିବା ମଧ୍ୟ ଜଣା ପଡ଼ିଛି ।
ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରା ସହିତ ଅନ୍ୟ ଅଭିଯୁକ୍ତମାନେ କେଉଁ କେଉଁ ମାଧ୍ୟମ ଜରିଆରେ ବିଦେଶୀ ଏଜେଣ୍ଟଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଦେଶ ଓ ଦେଶ ବାହାରର କେଉଁ କେଉଁ ସ୍ଥାନରୁ ସୋମନଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଥିଲା । ସୋମବାର ଦିନର ଜେରା ମୁଖ୍ୟତଃ ଏହାରି ଉପରେ ହିଁ ଆଧାରିତ ହୋଇଥିଲା ।
ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନ ଗୁଡ଼ିକରୁ ତଥ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ବାଲେଶ୍ବର ପୋଲିସ ଜବତ ହୋଇଥିବା ମୋବାଇଲ ଗୁଡ଼ିକୁ ଯାଞ୍ଚ ପାଇଁ ଭୁବନେଶ୍ବର ସ୍ଥିତ ଏସ.ଏଫ.ଏସ.ଏଲ.କୁ ପଠାଇଥିବା ବେଳେ ସେହି ମୋବାଇଲଗୁଡ଼ିକର ଡାଟା ରିଟ୍ରିଭ କାର୍ଯ୍ୟ ଶେଷ ହୋଇଛି । ସମସ୍ତ ଅଭିଯୁକ୍ତଙ୍କ ମୋବାଇଲରେ ଥିବା ତଥ୍ୟ ସହ ଡିଲିଟ୍ ହୋଇଥିବା ତଥ୍ୟ ଗୁଡ଼ିକକୁ ଏକତ୍ର କରି କ୍ରାଇମ୍ ବ୍ରାଞ୍ଚକୁ ପ୍ରଦାନ କରିଛି ଏସ୍.ଏଫ୍.ଏସ୍.ଏଲ୍ ।
ମିଳିଥିବା ସେହି ତଥ୍ୟ ଗୁଡ଼ିକୁ ଉଭୟ କ୍ରାଇମ୍ ବ୍ରାଞ୍ଚ୍ ଓ ଏନ.ଆଇ.ଏ. ଯାଞ୍ଚ କରୁଛି । ତେବେ ଏସ.ଏଫ.ଏସ.ଏଲ.ରୁ ମିଳିଥିବା ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିବା କୁହାଯାଉଛି । ଏହି ସମସ୍ତ ତଥ୍ୟରୁ ଅଭିଯୁକ୍ତମାନଙ୍କର ବିଦେଶୀ ଏଜେଣ୍ଟ ସହ ଘନିଷ୍ଟତା ସ୍ପଷ୍ଟ ହେଉଥିବା ମଧ୍ୟ ଜଣା ପଡ଼ିଛି । ଫଳରେ ପୂର୍ବରୁ ନିଜକୁ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ଅଭିଯୁକ୍ତମାନଙ୍କର ଅସଲି ମୁଖା ଖୋଲିବ ବୋଲି କୁହାଯାଉଛି।
ଗୋଟିଏ ପଟେ ପାଞ୍ଚ ଅଭିଯୁକ୍ତଙ୍କୁ ଜେରା ଆରମ୍ଭ କରାଯାଇଥିବା ବେଳେ ସେମାନଙ୍କ ଜେରାରୁ ଆଉ କିଛି ଲୋକଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ସେମାନଙ୍କ ଭିତରେ ଓଡ଼ିଶାର କିଛି ଲୋକଙ୍କ ଉପରେ ସନ୍ଦେହ କରି ସେ ବାବଦରେ ଛାନବିନ ପାଇଁ କ୍ରାଇମ୍ ବ୍ରାଞ୍ଚ ଗୋଟିଏ ଟିମ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।