ଜୱାଦ କ୍ଷୟକ୍ଷତିର ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ; ରିପୋର୍ଟ ଲେଖିଲେ ସହାୟତା ମିଳିବ

ଜୱାଦ କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ବିଲ ହୁଡ଼ାରେ ଥାଇ ଦେଖିଛନ୍ତି ଉଜୁଡ଼ା ଚାଷର ଚିତ୍ର । କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଯାଞ୍ଚ ଜାରି ରହିଛି ।

କେନ୍ଦ୍ରୀୟ ଟିମ ଜୱାଦ କ୍ଷୟକ୍ଷତିର ଆକଳନ କରୁଛନ୍ତି (ପ୍ରତୀକାତ୍ମକ ଛବି)

କେନ୍ଦ୍ରୀୟ ଟିମ ଜୱାଦ କ୍ଷୟକ୍ଷତିର ଆକଳନ କରୁଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜୱାଦ କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ବିଲ ହୁଡ଼ାରେ ଥାଇ ଦେଖିଛନ୍ତି ଉଜୁଡ଼ା ଚାଷର ଚିତ୍ର । ଚାଷୀମାନେ ହାତରେ ଭିଜି ଯାଇଥିବା ଧାନକୁ ଧରି ଦେଖାଇଛନ୍ତି। ଏକର ଏକର ଜମିରେ ଧାନ ଚାଷ କରିଥିବା ବେଳେ ବାତ୍ୟା ପରବର୍ତୀ ବର୍ଷାରେ ସବୁ ନଷ୍ଟ ହୋଇଯାଇଛି । ତେଣୁ କ୍ଷୟକ୍ଷତି ଦେଖିବା ପରେ କେନ୍ଦ୍ରୀୟ ଟିମ୍ ଯେଉଁ ରିପୋର୍ଟ ଲେଖିବେ ସେହି ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିବ । କ୍ଷୟକ୍ଷତି ଆକଳନ ପାଇଁ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଯାଞ୍ଚ ଜାରି ରହିଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଟିମ୍ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମର ପ୍ରତିନିଧିମାନେ ନଷ୍ଟ ହୋଇଥିବା ଚାଷ ଜମି ବୁଲି ଦେଖିଛନ୍ତି । ବାତ୍ୟା ପ୍ରଭାବରେ କେତେ କ୍ଷୟକ୍ଷତି ହୋଇଛି ସେନେଇ ଅନୁଧ୍ୟାନ କରିଛନ୍ତି । ତିନିଟି ଭାଗରେ ବିଭକ୍ତ ହୋଇଥିବା ତିନିଟି ଟିମ୍ ଆଜି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି । ଦୁଇ ଦିନରେ ଗଞ୍ଜାମ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ । ପ୍ରଥମ ଟିମ୍ ଗଞ୍ଜାମ ଓ ପୁରୀରେ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବେ। ଦ୍ୱିତୀୟ ଟିମ୍ ଜଗତସିଂହପୁର ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ।

ସେହିପରି ତୃତୀୟ ଟିମ୍ ଯାଜପୁର ଓ କେନ୍ଦ୍ରପଡ଼ା ଯାଇ ସ୍ଥାତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପୂର୍ବରୁ କେନ୍ଦ୍ରୀୟ ଟିମ୍ର ପ୍ରତିନିଧିମାନେ ଭୁବନେଶ୍ୱରରେ ସମୀକ୍ଷା ବୈଠକ କରିଛନ୍ତି। ଏସ୍ଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍ । ସମସ୍ତ ପ୍ରଭାବିତ ଜିଲ୍ଲା ଗସ୍ତ ସାରି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଆସନ୍ତା ୧୩ ତାରିଖ ଦିନ କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରିଯିବେ ।

ଅଦିନିଆ ବର୍ଷାରେ ଚାଷୀ ବେହାଲ ହୋଇଛି । ବିଲରେ ଜମି ହୋଇ ରହିଥିବା ପାଣି ଯୋଗୁଁ ଧାନ ପଚି ନଷ୍ଟ ହୋଇଯାଇଛି। ସହାୟତା କରିବାକୁ ବିଭିନ୍ନ ଆଡୁ ଚାଷୀମାନେ ଦାବି କରିଛନ୍ତି।
Published by:Soumya Das
First published:
)}