News18 Odia Digital
ପୁରୀ: ପୁରୀ ଗସ୍ତରେ ଆସିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ ଜ୍ୟୋତି। ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ସେ। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ୍ ଖୁସି ବ୍ୟକ୍ତ କରିବା ସହ ଶ୍ରୀମନ୍ଦିର ଚାରିପଟେ ଉନ୍ନୟନମୂଳକ କାମକୁ ବେଶ୍ ପ୍ରଶଂସା କରିଛନ୍ତି।
ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ଦୋକାନ ବଜାର ଯୋଗୁଁ ସଂକୁଚିତ ଥିଲା। ହେଲେ ଏବେ ମନ୍ଦିର ସମ୍ମୁଖ ଭାଗ ପ୍ରଶସ୍ତ ରହିଛି ଯାହା ଦେଶର ଏକ ପ୍ରମୁଖ ମନ୍ଦିରରେ ରହିବା କଥା। ସେପଟେ କେନ୍ଦ୍ର ସରକାରଙ୍କ କିଛି ଯୋଜନାକୁ ହାଇଯାକ କରିନେଇଛନ୍ତି ରାଜ୍ୟ ସରକାର। ପାତର ଅନ୍ତର କରାଯାଉଛି।
୨୦୧୬-୨୨ ମଧ୍ୟରେ ୧୮ ଲକ୍ଷ ୩୮ ହଜାର ୭୮୯ ଟଙ୍କା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାକୁ ଦିଆଯାଇଥିଲା। ଏଥିରୁ ୧୬ ଲକ୍ଷ ୯୬୦ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି। ନିର୍ମାଣ ବାବଦରେ ପ୍ରାୟ ୧୩ ହଜାର ୯୪୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମାତ୍ର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ରୂପାନ୍ତରିତ କରିଛନ୍ତି।
ସେହିପରି ଆୟୁଷ୍ମାନ ଯୋଜନାକୁ ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀ କରୁନାହାଁନ୍ତି। ଆୟୁଷ୍ମାନ ଯୋଜନା ସହିତ ସଂଘୀୟ ବ୍ୟବସ୍ଥା ଆଧାରରେ ରାଜ୍ୟ ସରକାର ମଧ୍ୟ ଉପଭୋକ୍ତାଙ୍କ ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିପାରିବେ। ହିମାଞ୍ଚଳ ପ୍ରଦେଶ, ଉତ୍ତରପ୍ରଦେଶରେ ଲୋକ ଦୁଇ ଦୁଇଟି ସୁବିଧା ପାଉଛନ୍ତି।
ଆବାସ ଯୋଜନାରୁ ବାସ୍ତବ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ମହାବାତ୍ୟା ଫନିରେ ପ୍ରଭାବିତ ସମସ୍ତ ହିତାଧିକାରୀ ଏପର୍ଯ୍ୟନ୍ତ ସହାୟତା ପାଇନାହାଁନ୍ତି। ରାଜ୍ୟ ସରକାରଙ୍କୁ ବାରମ୍ବାର କ୍ଷତିଗ୍ରସ୍ତଙ୍କ ଡାଟା ଦେବା ପାଇଁ କେନ୍ଦ୍ର ସରକାର ତାଗିଦ କରିଥିଲେ। ମାତ୍ର ରାଜ୍ୟ ସରକାର ନୀରବ ରହିବା ଯୋଗୁଁ ଲୋକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେପଟେ ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଯୋଜନା ଖୁବ୍ ଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ ଜ୍ୟୋତି। ପୁରୀ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଗହମ ଆସି ପାରୁନଥିବାରୁ ସେ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି।
ଅନ୍ୟପଟେ ରାଷ୍ଟ୍ରପତି ଦୌପର୍ଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ବିବାଦିୟ ଟିପ୍ପଣୀ ଦେଇଥିବା ପ୍ରସଙ୍ଗ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ। କେବଳ କ୍ଷମା ମାଗିଲେ ହେବନାହିଁ ବରଂ ସଂସଦ ଭଳି ପବିତ୍ର ଗୃହରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ସମସ୍ତ ସାଂସଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ପ୍ରାଥନା କରନ୍ତୁ ବୋଲି କହି କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି ସେ।
ଏହାସହ ପରିବେଶକୁ ସୁରକ୍ଷିତ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ସେ। ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବାର୍ତ୍ତା ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି।
ଆଉ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଜିଲ୍ଳା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସହିତ ସାଂସଦ ସମ୍ବିତ ପାତ୍ର ପୁରୀ ସମୁଦ୍ର ବେଳାଭୂମିରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସଫେଇ କରିଥିଲେ। ପୁରୀ ଦିଗବାରେଣି ବେଳଭୂମିରୁ ପୁରୀ ହୋଟେଲ ପର୍ଯ୍ୟନ୍ତ ବେଳାଭୂମି ସଫେଇ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।