ଚ଼ିଲିକା ଡଙ୍ଗା ବୁଡି: କେବଳ ଲାଇସେନ୍ସ ପ୍ରାପ୍ତ ଯାତ୍ରୀବାହୀ ଡଙ୍ଗା ବ୍ୟବହାର କରିବାକୁ CDAର ଉପଦେଶ

ଲାଇସେନ୍ସ ପ୍ରାପ୍ତ ଡଙ୍ଗାରେ ପ୍ରଶିକ୍ଷିତ ନାବିକ ଥାଆନ୍ତି ଓ ସେଥିରେ ନିୟମ ମୁତାବକ ଲାଇଫ୍‌ ଜ୍ୟାକେଟ୍, ଫାୟାର ଏସ୍ସଟିଂଗୁଇସର୍, ପାଣି ଓ ଡଷ୍ଟବିନ୍ ଆଦି ଥାଏ ବୋଲି କହିଛନ୍ତି ସିଡିଏର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ସୁଶାନ୍ତ ନନ୍ଦ ।

ଚ଼ିଲିକା ଡଙ୍ଗା ବୁଡି: କେବଳ ଲାଇସେନ୍ସ ପ୍ରାପ୍ତ ଯାତ୍ରୀବାହୀ ଡଙ୍ଗା ବ୍ୟବହାର କରିବାକୁ CDAର ଉପଦେଶ
ଦୁର୍ଘଟଣା ପରେ ଡାକ୍ତରଖାନାରେ ଚ଼ିକିତ୍ସିତ ହେଉଥିବା ଯାତ୍ରୀମାନେ
  • News18 Odia
  • Last Updated: February 3, 2020, 6:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର / ବାଲୁଗାଁ: ଚିଲିକା ହ୍ରଦରେ ଗତ କାଲି ହୋଇଥିବା ଡଙ୍ଗା ବୁଡି ଘଟଣା ଉପରେ ପ୍ରତିକ୍ରିୟା ରଖି ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଓ ପର୍ଯ୍ୟଟକମାନଙ୍କୁ କେବଳ ଲାଇସେନ୍ସ ପ୍ରାପ୍ତ ଯାତ୍ରୀବାହୀ ଡଙ୍ଗାରେ ପିକନିକ୍‌ ଆଦି କରିବାକୁ ଯିବା ପାଇଁ ଉପଦେଶ ଦେଇଛି ।

ବାଲୁଗାଁ ନିକଟରେ ରବିବାର ଏକ ଡଙ୍ଗା ବୁଡ଼ିଯିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୨୦ ଜଣ  ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେ ଡଙ୍ଗାଟି ଏକ ମାଛଧରା ଡଙ୍ଗା ଥିଲା ବୋଲି ଜଣାପଡ଼ିଛି ।

‘‘ଚ଼ିଲିକା ହ୍ରଦ ବୁଲିବାକୁ ଆସୁଥିବା ସବୁ ପର୍ଯ୍ୟଟକମାନଙ୍କୁ ମୋ’ର ଅନୁରୋଧ ଯେ ସେମାନେ କେବଳ ଜିଲ୍ଲା ପ୍ରଶାସନ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଅଥରିଟିଙ୍କ ଠାରୁ ଲାଇସେନ୍ସ ପାଇଥିବା ଡଙ୍ଗା ବ୍ୟବହାର କରନ୍ତୁ । ସେସବୁ ଡଙ୍ଗାର ପ୍ରଶିକ୍ଷିତ ନାବିକଙ୍କ ପାଖରେ ଡଙ୍ଗା ଚ଼ଳେଇବା ପାଇଁ ଲାଇସେନ୍ସ ଅଛି । ତା’ ଛଡ଼ା ସେ ଡଙ୍ଗାଗୁଡ଼ିକରେ ନିୟମ ମୁତାବକ ଲାଇଫ୍‌ ଜ୍ୟାକେଟ୍, ଫାୟାର ଏସ୍ସଟିଂଗୁଇସର୍‌, ପାଣି, ଡଷ୍ଟବିନ୍‌ ଆଦି ଅଛି,’’ କହିଛନ୍ତି ସିଡିଏର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ସୁଶାନ୍ତ ନନ୍ଦ ।

ଡଙ୍ଗାଟି ଭାରସାମ୍ୟ ହରେଇ ବୁଡ଼ିଯାଉଥିବା ସମୟର ଦୃଶ୍ୟ


ସବୁ ପର୍ଯ୍ୟଟକ ଓ ଚ଼ିଲିକା ହ୍ରଦ କୂଳର ବାସିନ୍ଦାମାନଙ୍କୁ ମାଛଧରା ଡଙ୍ଗାରେ ହ୍ରଦ ଭିତରକୁ ନ ଯିବା ପାଇଁ ଅନୁରୋଦ କରିଛନ୍ତି । ‘‘ଗତ କାଲିର ଦୁର୍ଘଟଣା ଭାରି ଦୁଃଖଦ । ସମସ୍ତେ କେତେକ ସାଧାରଣ ସୁରକ୍ଷା ସମ୍ବନ୍ଧୀୟ ନିୟମ ମାନିଲେ ସେମିତି ଦୁର୍ଘଟଣା ଆଉ ହେବ ନାହିଁ,’’ କହିଛନ୍ତି ନନ୍ଦ ।

ସ୍ଥାନୀୟ ଲୋକ ଓ ପ୍ରଶାସନର ଅଧିକାରୀଙ୍କ ସୂଚ଼ନା ଅନୁସାରେ ବାଲୁଗାଁ ନିକଟସ୍ଥ ସୁବୁଦ୍ଧି ପାଟଣା ଗ୍ରାମର କିଛି ଲୋକ ରବିବାର ଦିନ ମା’ କାଳିଜାଈଙ୍କ ଦର୍ଶନ କରି ଫେରିବା ବେଳେ ଏହି ଅଘଟଣ ଘଟିଥିଲା । ଡ଼ଙ୍ଗାରେ ପାଣି ପଶି ଯିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଏହି ସମୟରେ ପାଖରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

ସିଡିଏର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ସୁଶାନ୍ତ ନନ୍ଦ


ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଏକ ଘରୋଇ, ମତ୍ସ୍ୟଜୀବୀ ଡଙ୍ଗା ଥିଲା । ସେଥିରେ ଅତି ବେଶୀରେ ୧୫ ଜଣ ଲୋକ ବସିବାର ବ୍ୟବସ୍ଥା ଥିବା ସତ୍ତ୍ୱେ ପାଖାପାଖି ପଚ଼ିଶିରୁ ଅଧିକ ଲୋକ ଯାଇଥିଲେ ମା’ କାଳିଜାଈଙ୍କ ଦର୍ଶନ କରିବା ପାଇଁ । ସେମାନେ ସେଠୁ ଫେରିବା ବେଳେ ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଅଧିକ ଓଜନ ଯୋଗୁଁ ଭାରସାମ୍ୟ ହରେଇ ଡଙ୍ଗାଟି ବୁଡ଼ିଯାଇଥିଲା । ହେଲେ ସଙ୍ଗେ ସଙ୍ଗେ କିଛି ଲୋକ ସେଠି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହିଥିଲେ ସ୍ଥାନୀୟ ବାସିନ୍ଦା ଅଶୋକ କୁମାର ଜେନା ।

ଅବ୍ୟବସ୍ଥା ଯୋଗୁଁ ପୂର୍ବରୁ ଚିଲିକାରେ ଡଙ୍ଗା ବୁଡି ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା । ପୁଣି ଏହି ଦୁର୍ଘଟଣା ପାଇଁ ପ୍ରଶାସନକୁ ଦାୟୀ  କରିଛନ୍ତି ସ୍ଥାନୀୟ ଲୋକେ ।

ତେବେ ବୁଡ଼ିଯାଇଥିବା ଡଙ୍ଗାରେ ଏତେ ଅଧିକ ଯାତ୍ରୀ କିପରି ଗଲେ ଓ ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ କରାଯାଇଥିବା ସତ୍ତ୍ୱେ ସେମାନେ ବିନା ଲାଇଫ ଜ୍ୟାକେଟରେ କାହିଁକି ଓ କେମିତି ଯାଇଥିଲେ ସେ ବିଷୟରେ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି ।
First published: February 3, 2020, 6:05 PM IST