ଆଉ ଭୁଲ୍ କରି ଖସିପାରିବନି ପୋଲିସ; ଏଣିକି ସବୁ ଥାନା ହାଜତରେ ଲାଗିବ CCTV କ୍ୟାମେରା
ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଦେଶର ସବୁ ଥାନା, ସିବିଆଇ କାର୍ଯ୍ୟାଳୟ, ED ଓ NIA କାର୍ଯ୍ୟାଳୟରେ CCTV କ୍ୟାମେରା ଲାଗିବାକୁ ଯାଉଛି । ଆସନ୍ତା ଛଅ ମାସ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି ।

ଆସନ୍ତା ଛଅ ମାସ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
- News18 Odia
- Last Updated: December 3, 2020, 11:58 PM IST
ଭୁବନେଶ୍ୱର: ନିକଟରେ ପୁରୀ ଓ ବୀରମିତ୍ରପୁରରେ ଘଟିଥିବା କଥିତ ହାଜତ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ସମୟରେ ଦେଶର ସବୁ ଥାନା ହାଜତରେ ସିସିଟିଭି କ୍ୟାମେରା ଲାଗିବ ବୋଲି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ଅର୍ଥାତ ପୋଲିସକୁ ଅଧିକ ସତର୍କ ଓ ସ୍ୱଚ୍ଛ ହେବାର ସମୟ ଆସିଯାଇଛି । ହାଜତ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି ।
ଖାଲି ହାଜତ ମୃତ୍ୟୁ ନୁହେଁ, ସିସିଟିଭି ସର୍ଭେଲାନ୍ସ ପରେ ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତମାନଙ୍କ ପ୍ରତି ପୋଲିସର ବ୍ୟବହାରରେ ସୁଧାର ଆସିବ ବୋଲି ପୂର୍ବତନ ପୋଲିସ ଅଧିକାରୀମାନେ ମତ ରଖିଛନ୍ତି ।
ଏହା ବି ପଢ଼ନ୍ତୁ | BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହେଲେ; ପତ୍ନୀ କହିଲେ, ‘‘ଇଏ ଷଡ଼ଯନ୍ତ୍ର; ମୋ’ ସ୍ୱାମୀଙ୍କ ଜୀବନ ବିପଦରେ ଅଛି’’

ପୁରୀରେ ଗତ ମାସ ଥାନା ହାଜତରେ କେ. ରମେଶ ନାମକ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ଆସିଥିଲା ।
ରାତି ସମୟରେ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରୁଥିବା ନାଇଟ ଭିଜନ ସିସିଟିଭି କ୍ୟାମେରା ସହିତ ଶବ୍ଦ ରେକର୍ଡ଼ କରି ପାରୁଥିବା ବ୍ୟବସ୍ଥା ବି କାର୍ଯ୍ୟକାରୀ ହେବ । ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା କୋଠରୀ ଆଉ ଥାନାର ପ୍ରବେଶ ଓ ପ୍ରସ୍ଥାନ ପଥରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେବଳ ସେତିକି ନୁହେଁ, ପୋଲିସ କାର୍ଯ୍ୟାଳୟ ଓ ଥାନାର ଲବି, ଅଭ୍ୟର୍ଥନା ଅଞ୍ଚଳ, ଇନ୍ସପେକ୍ଟର ଓ ଏସ୍.ଆଇ.ଙ୍କ କୋଠରୀ ମଧ୍ୟ ସିସିଟିଭିର ସର୍ଭେଲାନ୍ସରେ ରହିବ ।
ଏହା ବି ପଢ଼ନ୍ତୁ | ‘ଧନ କୁବେର’ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାରିବାରିକ-ଆର୍ଥିକ ଲିଙ୍କର ଖୋଳତାଡ଼ କରୁଛି ଭିଜିଲାନ୍ସ SIT
ଆସନ୍ତା ଛଅ ମାସ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଐତିହାସିକ କହିବା ସହ ଏହା ଦ୍ବାରା ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କାର୍ଯ୍ୟରେ ସ୍ବଚ୍ଛତା ଆସିବ ବୋଲି ମତ ଦେଇଛନ୍ତି ଆଇନ ବିଶାରଦମାନେ ।
‘‘ଏହା ନିଶ୍ଚିତ ରୂପେ ଏକ ବଡ଼ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ପୋଲିସର ସ୍ୱଚ୍ଛତା ବଢ଼ିବ ଓ ଜନ ସାଧାରଣଙ୍କ ପାଖରେ ପୋଲିସ ଅଧିକ ବିଶ୍ୱସନିୟ ହେବ । ଏହା ଦ୍ୱାରା ଦୁର୍ନୀତି ମଧ୍ୟ କମିବ । ରାଜ୍ୟ ସରକାରମାନେ ସର୍ବୋଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶକୁ ବାଳମ୍ବ ନ କରି ଲାଗୁ କରିବା ଉଚିତ,’’ କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ ।
ଏହା ବି ପଢ଼ନ୍ତୁ | ଖୋଲିବ ପରୀ ହତ୍ୟା ରହସ୍ୟ: SIT ତଦନ୍ତ ଜୋର୍ ଧରିଲା, ବାବୁଲି ନାୟକଙ୍କୁ ୨ ଘଣ୍ଟା ଜେରା କରାଗଲା
ଏନସିବି ଓ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟରେ ମଧ୍ୟ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ରେକର୍ଡ ହେଉଥିବା ଡାଟା ଯେପରି ୧୮ ମାସ ପର୍ଯ୍ୟନ୍ତ ରହିପାରିବ ସେହି ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ କହିଛନ୍ତି ।
ସିସିଟିଭି ସର୍ଭେଲାନ୍ସ ଦ୍ବାରା ହାଜତ ମୃତ୍ୟୁ ଘଟଣା ଉପରେ ରୋକ୍ ଲାଗିପାରିବ ବୋଲି ଆଶା କରାଯାଉଛି । ଥାନାରେ ଅଭିଯୋଗକାରୀଙ୍କ ସହ ଦୁର୍ବ୍ୟବହାର ଓ ଅଭିଯୁକ୍ତମାନଙ୍କୁ ନିର୍ଯାତନା ଦେବା ସହ ବୟାନ ରେକର୍ଡ ବେଳେ ପୀଡ଼ିତ ବା ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ ଭଳି ଆଚରଣରୁ ପୋଲିସ ବିରତ ରହିବ ବୋଲି ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି ।
‘‘ପୋଲିସ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶକୁ ହୃଦୟରୁ ସ୍ୱାଗତ କରିବା ଉଚିତ ଓ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ । ଏହା ଦ୍ୱାରା ପୋଲିସ ବିରୁଦ୍ଧରେ ଆସୁଥିବା ଅଭିଯୋଗରେ ଦ୍ରୁତ ହ୍ରାସ ଘଟିବ । ଏହା ଏକ ଖୁବ୍ ଭଲ ବ୍ୟବସ୍ଥା । ଏହା ତୁରନ୍ତ କାର୍ଯ୍ୟକାରୀ ହେବା ଉଚିତ,’’ କହିଛନ୍ତି ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ ।