News18 Odia Digital
ଭୁବନେଶ୍ବର: ଅବସରପ୍ରାପ୍ତ ରେଳବାଇ ଅଧିକାରୀଙ୍କ ପାଖରୁ ମିଳିଲା ବସ୍ତା ବସ୍ତା ଟଙ୍କା ଆଉ ସୁନା। ଖୋଳତାଡ଼ ବେଳେ ସମ୍ପତ୍ତି ଦେଖି ସିବିଆଇ ଟେରା।
ଆୟର୍ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଲୱେ କମର୍ସିଆଲ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘରେ ସିବିଆଇ ରେଡ଼ କରି ଏ ସବୁ ସମ୍ପତ୍ତି ଠାବ କରିଛି। ଗତ ନଭେମ୍ବର ମାସରେ ଚାକିରିରୁ ଅବସର ନେଇଥିଲେ ପ୍ରମୋଦ।
ସିବିଆଇ ସୂଚନା ଅନୁସାରେ, ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ଠାବ ହୋଇଛି, ୧୭ କିଲୋ ସୁନା ଯାହାର ଦାମ ସାଢ଼େ ୮ କୋଟି ଟଙ୍କା ହେବ। ସେହିପରି ଘରୁ ରେଡ ବେଳେ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା, ୨.୫ କୋଟିର ଫିକ୍ସ ଡିପୋଜିଟ ସହ ବିପୁଳ ପରିମାଣର କାଗଜ ଜବତ କରାଯାଇଛି। ଏହାସହ ଖୋଳତାଡ଼ ବେଳେ ଜଣା ପଡ଼ିଛି ପ୍ରମୋଦଙ୍କ ପରିବାର ଲୋକଙ୍କ ଆକାଉଣ୍ଟରେ ମଧ୍ୟ କୋଟି କୋଟି ଟଙ୍କା ଠାବ କରାଯାଇଛି।
ସୂଚନାଯୋଗ୍ୟ ଗତ ୪ ତାରିଖରେ ପ୍ରମୋଦଙ୍କ ଘରେ ରେଡ କରିଥିଲା ସିବିଆଇ। ଭୁବନେଶ୍ବର ସମେତ କଟକ, ଜଗତସିଂହପୁରରେ ଏକକାଳୀନ ରେଡ଼ କରିଥିଲା ସିବିଆଇ।
୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କା ଆୟର୍ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଥିଲା ସିବିଆଇ। ତଦନ୍ତ ବେଳେ ଜଣା ପଡ଼ିଛି ଗତ ୧୫ ବର୍ଷରେ ପ୍ରମୋଦ ଓ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ୩ କୋଟି ୨୫ ଲକ୍ଷ ଟଙ୍କା ହେବା କଥା। ସେଥି ମଧ୍ୟରୁ ୮୮ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ୨ କୋଟି ୩୬ ଲକ୍ଷ ଟଙ୍କା ସଞ୍ଚୟ ରହିବା କଥା। କିନ୍ତୁ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ୪ କୋଟି ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବାର ଆକଳନ କରିଥିଲା ସିବିଆଇ। ଯାହା
ଆୟ ତୁଳନାରେ ସମ୍ପତ୍ତି ୫୯ ପ୍ରତିଶତରୁ ଅଧିକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।