News18 Odia Digital
ଭୁବନେଶ୍ୱର: ସି-ସୋର ଚିଟ୍ ଫଣ୍ଡ୍ ସ୍କାମର ତଦନ୍ତ କରୁଥିବା ସିବିଆଇ ଦୀର୍ଘ ଦିନର ନୀରବତା ପରେ ପୁଣି ସକ୍ରିୟ ହୋଇ ବିଜେଡି ବିଧାୟକ ତଥା ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ରେଡ଼ କରିବା ଘଟଣାକୁ ନେଇ ରାଜ୍ୟର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ରେଡ଼ ପଛରେ ରାଜନୈତିକ ଅଭିସନ୍ଧି ଅଛି ବୋଲି ବିଜେଡି ଓ କଂଗ୍ରେସ କହିଥିବା ବେଳେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି ।
ଭୁବନେଶ୍ୱରର ୟୁନିଟ ୧ରେ ଥିବା ଦେବୀ ମିଶ୍ରଙ୍କ ସରକାରୀ ବାସଭବନ ଓ ନରସିଂପୁରରେ ଥିବା ତାଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ସିବିଆଇ ଟିମ୍ ଶୁକ୍ରବାର ଦିନ (ସେପ୍ଟେମ୍ବର ୧୮) ଛାପା ମାରିଥିଲା ।
‘‘ଉପନିର୍ବାଚନ, ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ସିବିଆଇ ଛାପା ମାରିବା ଓ ଖୋଜାଖୋଜି କରିବା କାମ କରେ । ଓଡ଼ିଶାର ଲୋକେ ଅଶ୍ଚର୍ଯ୍ୟ ହୋଇ ଭାବୁଛନ୍ତି କାହିଁକି ନିର୍ବାଚନ ପୂର୍ବରୁ ଏମିତି ହେଉଛି,’’ କହିଛନ୍ତି ଶାସକ ବିଜେଡିର ମୁଖପାତ୍ର ଲେନିନ ମହାନ୍ତି । ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଏହି ରେଡ଼କୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବାକୁ ଥିବା ଉପନିର୍ବାଚନ ସହ ଜୋଡ଼ି ଦେଖୁଛି ।
ଦୀର୍ଘ ଦିନ ପରେ ସିବିଆଇର ତତ୍ପରତାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ଉପନିର୍ବାଚନ ମୁଣ୍ଡ ଉପରେ । ଏହା ଏକ ଚାଲ । ମୋଦି ଓ ବିଜେପି ସରକାରଙ୍କ ହାତବାରିସୀ ସାଜିଛି ସିବିଆଇ। ସାତ ବର୍ଷ ହେବ ସିବିଆଇ କରୁଥିଲା କଣ? ଲକ୍ଷ ଲକ୍ଷ ଲୋକ ଏବେ ବି ଟଙ୍କା ଫେରିପାଇନାହାନ୍ତି । ବିଜେଡି ଏ ଯାଏଁ ବୁଝିପାରିନି ମୋଦିଙ୍କ ଚାଲ । କେନ୍ଦ୍ରରେ ସବୁ ବିଲକୁ ସମର୍ଥନ କରୁଛି ବିଜେଡି । ଏବେ ତା’ର ପରିଣାମ ଭୋଗ କରୁଛି ।’’

ଦେବୀ ମିଶ୍ରଙ୍କ ଆବାସରେ ସିବିଆଇ ଅଧିକାରୀମାନେ
ହେଲେ ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ଏହି ସବୁ ଅଭିଯୋଗକୁ ଖାରଜ କରିଛନ୍ତି । ‘‘ଯିଏ ପାପ କରିଛି ତା’ ପାଇଁ ଦଣ୍ଡ ବିଧାନ ହେବ। ଏହାର (ସିବିଆଇ ରେଡ଼ର) ଉପନିର୍ବାଚନ ସହ ସମ୍ପର୍କ ନାହିଁ । ସାଧାରଣ ଲୋକଙ୍କ ପଇସା ହଡ଼ପକାରୀଙ୍କୁ ଆଜି ନ ହେଲେ କାଲି ଦଣ୍ଡ ମିଳିବ । ଯିଏ ଯେମିତି କରିବ ସେ ସେମିତି ପାଇବ,’’ କହିଛନ୍ତି ହରିଚନ୍ଦନ ।
ବୁଦ୍ଧିଜୀବୀମାନେ ବି ଦୀର୍ଘ ଦିନ ପରେ ସିବିଆର ଏଭଳି ସକ୍ରିୟତା ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି । ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ‘‘ଅନେକ ସମୟରେ ସିବିଆଇର ଗତିବିଧି ଦେଖିଲେ ଆଗକୁ ଉପନିର୍ବାଚନ ଥିବାରୁ ସନ୍ଦେହ ଉପୁଜୁଛି । କିନ୍ତୁ ପୁନର୍ବାର ସିବିଆଇ ଘଟଣାରେ ଛାନଭିନ ଆରମ୍ଭ କରିଥିବାରୁ ଆଗକୁ ବି ଅନେକ ଅଫିସର ଓ ନେତା ସ୍କାନରକୁ ଆସିପାରନ୍ତି ବୋଲି ଲାଗୁଛି ।’’
ଶୁକ୍ରବାର ଦିନ ଭୁବନେଶ୍ୱରରେ ସିବିଆଇର ସାତ-ଜଣିଆ ଟିମ୍ ପ୍ରାୟ ତିନି ଘଣ୍ଟା ଧରି ଦେବୀ ମିଶ୍ରଙ୍କ ଆବାସରେ ରେଡ଼ କରି ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ସାଙ୍ଗରେ ନେଇଥିବା ଜଣାପଡ଼ିଛି । ୨୦୦୮-୨୦୦୯ରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ସି-ସୋର ସହିତ ହୋଇଥିବା ଚୁକ୍ତିନାମାର ଛାନଭିନ କରୁଛି ସିବିଆଇ । ନୌକାବିହାର ପ୍ରକଳ୍ପ ଓ ସି-ସୋର ସହିତ ସରକାରଙ୍କ ଅନ୍ୟ କାରବାରର ମଧ୍ୟ ସିବିଆଇ ଯାଞ୍ଚ କରୁଛି ।
ସୂତ୍ରଙ୍କ ଅନୁସାରେ ୨୦୧୩ରୁ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଆହୁରି କିଛି କାଗଜ ପତ୍ର ଖୋଜୁଛି । ପୂର୍ବରୁ ବି ଦେବୀ ମିଶ୍ରଙ୍କ ଦୁଇ ସହଯୋଗୀଙ୍କୁ ସିବିଆଇ ପଚରା ଉଚୁରା କରିଛି ।
‘‘୨୦୧୩ ମସିହାରୁ ଏହି ତଦନ୍ତ ଚାଲିଛି। ନୌବିହାର ପ୍ରସଙ୍ଗରେ ସିବିଆଇ ତଦନ୍ତ କରୁଛି । ମନ୍ତ୍ରୀ ଭାବେ ମୋ’ର ଯାହା ନିଷ୍ପତ୍ତି ଥିଲା ତାହା ସରକାରଙ୍କର ନିଷ୍ପତ୍ତି ଥିଲା, ମୋ’ର କୌଣସି ନିଜସ୍ୱ ନିଷ୍ପତ୍ତି ନ ଥିଲା । ପୂର୍ବରୁ ବି ବିଭାଗରୁ ଅନେକ ଫାଇଲ ନେଇଛି ସିବିଆଇ । ଆଗରୁ ବି ପଚାରିଛନ୍ତି । ଆଜି କିଛି କାଗଜପତ୍ର ଖୋଜିଥିଲେ, ଦେଖିବା ପରେ ଗଲେ । ନୌବିହାର ପ୍ରସଙ୍ଗରେ ପଚାରିବାକୁ ଆସିଥିଲେ । ସବୁ ସିବିଆଇ ପାଖରେ ପୂର୍ବରୁ ଅଛି ବୋଲି କହିଲି । କିଛି ପୁରୁଣା କାଗଜପତ୍ର ଦେଖିଲେ । ଆମେ ଆରମ୍ଭରୁ ସହଯୋଗ କରିଆସୁଛୁ,’’ କହିଛନ୍ତି ଛଅ ଥର ବିଧାୟକ ଥିବା ଦେବୀ ପ୍ରସାଦ ମିଶ୍ର ।
ଏହା ବି ପଢ଼ନ୍ତୁ | NIAକୁ ବଡ଼ ସଫଳତା: ପଶ୍ଚିମ ବଙ୍ଗ ଓ କେରଳରୁ ଗିରଫ ହେଲେ ୯ ଜଣ ସନ୍ଦିଗ୍ଧ Al Qaeda ଆତଙ୍କୀଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍ମିଶ୍ରଙ୍କୁ ଏହି ମାମଲାରେ ଆଗରୁ ବି ନୋଟିସ ହୋଇଥିଲା ଓ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ‘‘ମୁଁ ସବୁବେଳେ ସହଯୋଗ କରିଛି । ଏବେ କାହିଁକି ସିବିଆଇ ଆସିଲା ତାହା ଘଟଣା ପ୍ରବାହ କହିବ । ମୁଁ ତ ସାତ ବର୍ଷ ହେବ ସହଯୋଗ କରିଆସିଛି,’’ ସେ କହିଛନ୍ତି ।
ସି-ସୋରରେ ୫୫୦ କୋଟି ଟଙ୍କାରୁ ଅଧିକର ସ୍କାମର ଖୋଲତାଡ଼ କରୁଛି ସିବିଆଇ । ପୂର୍ବରୁ ଏହି ମାମଲାରେ ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ ହୋଇଛନ୍ତି । ଏହି ମାମଲାରେ ମଧ୍ୟସ୍ତ ସାଜିଥିବା ଶୁଭଙ୍କର ନାୟକଙ୍କୁ ବି ଗିରଫ କରାଯାଇଛି । ଶୁଭଙ୍କରଙ୍କ ଡାଏରିରୁ ଅନେକ ଆଇପିଏସ, ଆଇଏଏସ, ନେତା ଓ ମନ୍ତ୍ରୀଙ୍କ ନାଁ ମିଳିଥିଲା, ଯାହାର ଛାନଭିନ ଚାଲିଛି। ସି-ସୋର ଲିଙ୍କରେ ପୂର୍ବରୁ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିବା ବେଳେ ୨୦୧୯ରେ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବି ନୋଟିସ କରିଥିଲା ସିବିଆଇ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।