News 18 Odia Digital
ଭୁବନେଶ୍ୱର : ସଚେତନତା ହିଁ ରୋକିପାରିବ ସ୍ତନ କର୍କଟ ରୋଗର ଭୟାବହତାକୁ । ତେଣୁ ଅଧିକରୁ ଅଧିକ ସଚେତନତାକୁ ଗୁରୁତ୍ୱ ଦେବା ସମୟର ବଡ଼ ଆବଶ୍ୟକତା । ବିଶ୍ୱ ସ୍ତନ କର୍କଟ ମାସ ଅବସରରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଲାୟନ୍ସ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ, କ୍ରିୟା ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ଆୟୋଜିତ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ “ଉଡ଼ାନ୍” ଅବସରରେ ଏହି ମତ ପ୍ରକାଶ ପାଇଛି।

ସମସ୍ତ ପ୍ରକାର କର୍କଟ ରୋଗ ଅପେକ୍ଷା ସ୍ତନ କର୍କଟ ଅତି ସାଧାରଣ । କିନ୍ତୁ ସ୍ତନ କର୍କଟ ଜନିତ ରୋଗଦ୍ୱାରା ହେଉଥିବା ମହିଳାମାନଙ୍କର ମୃତ୍ୟୁ ହିଁ ପ୍ରମୁଖ ଚିନ୍ତାର କାରଣ ଅଟେ । କେବଳ ଭାରତରେ ନୁହେଁ , ସମଗ୍ର ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ଭଳି ସମସ୍ୟା ଦେଖାଦେଉଛି । ନିଶ୍ଚିତ ରୂପେ ସ୍ତନ କର୍କଟ ଏକ ଗୁରୁତର ରୋଗ, କିନ୍ତୁ ଏହା ଯେ ଦୁରାରୋଗ୍ୟ ତାହା ଭାବିବା ଭୁଲ । ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ଏବଂ ଜଣେ ରୋଗୀ ସୁସ୍ଥ ମଧ୍ୟ ହୋଇପାରିବେ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବକ୍ତାମାନେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଧାରଣତଃ ମହିଳା, ଚିକିତ୍ସିତ ହେଉଥିବା ରୋଗୀ, ସୁସ୍ଥ ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନ ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିଲା ।
କର୍କଟ ବିଶେଷଜ୍ଞଙ୍କ ମତରେ ଯଦି ରୋଗ ପ୍ରଥମାବସ୍ଥାରେ ଜଣାପଡ଼ିଥାଏ ତାହେଲେ ରୋଗକୁ ଭଲ କରିହେବ । ସେଥିପାଇଁ କିଛି ସାବଧାନତା ଏବଂ ସଚେତନତାର ଆବଶ୍ୟକ । ଯଦି ସ୍ତନରେ ଗେଟା ହେବ, ଅସ୍ଥିରତା ଦେଖାଦେବ, କିଛି ଯଦି କଷ୍ଟ ଅନୁଭବ କଲେ, ରକ୍ତ କ୍ଷରଣ ହେଲେ, ଲାଲ ଦେଖାଗଲେ ଏବଂ ଯଦି ରୋଗ ବଂଶାନୁକ୍ରମ ହୋଇଥିବ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଯଦି ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ତଥା ମଦ୍ୟପାନ, ମାତ୍ରାଧିକ ଧୂମ୍ରପାନ, ବ୍ୟାୟାମର ଅଭାବ, ଉଚ୍ଚରକ୍ତଚାପ ଥିଲେ, ମାତ୍ରାଧିକ ଜଙ୍କଡ଼ ଫୁଡ଼ ଖାଇଲେ ଶିଶୁମାନଙ୍କୁ ସ୍ତନପାନ କରାଉଥିବା ମହିଳାମାନଙ୍କ ପାଖରେ ଏହି ରୋଗ ଦେଖାଦେବାର ସମ୍ଭାବନା ଥାଏ । ସଠିକ୍ ସମୟରେ ରୋଗର ଚିକିତ୍ସା ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇପାରିବ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍ ପକ୍ଷରୁ ସ୍ୱତନ୍ତ୍ର ମେସିନ୍ ଦ୍ୱାରା ସ୍କ୍ରିନ ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ଭି.ଏସ୍.ଏସ୍. ନଗର ସ୍ଥିତ ବି.ଏମ୍.ସି. କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭି.ଏସ୍.ଏସ୍. ନଗର ତଥା ୱାର୍ଡ଼ ନଂ.୧୧ର କର୍ପୋରେଟର ପ୍ରଭାସିନୀ ମହାନ୍ତି, ସ୍ପର୍ଶ ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶାର ସୁନାମଧନ୍ୟ କର୍କଟ ବିଶେଷଜ୍ଞ ଡ଼ାଃ ଘନଶ୍ୟାମ ବିଶ୍ୱାସ, ପୂର୍ବତନ ଆୟକର ଆୟୁକ୍ତ ଶରତ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଚିବ ଦେବାଶିଷ ପଟ୍ଟନାୟକ ଓ ଲାୟନ୍ସ ମିନତୀ ବେହେରା କ୍ୟାନ୍ସର ଫାଉଣ୍ଡେସନର ସଭାଧ୍ୟକ୍ଷ ତଥା ସମ୍ପାଦକ ସୁଚିସ୍ମିତା ପୃଷ୍ଟି, କ୍ରିୟା ଫାଉଣ୍ଡେସନ୍ର ଲିଲି ଜେନାମଣି ପ୍ରମୁଖଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ ମିନତି ବେହେରା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ କ୍ୟାନସର ସରଭାଇଭର ମିସ୍ ପ୍ରେମଲତା ସାହୁ, ସ୍ପର୍ଶ ହସପିଟାଲର ଅସ୍ଥିଶଲ୍ୟ ଡାକ୍ତର ଜୟ ପ୍ରକାଶ ପ୍ରଧାନ ଓ ସ୍ପର୍ଶ ହସପିଟାଲର ଷ୍ଟାଫ୍ ନର୍ସ ଶ୍ରୀ ଦେବାଶିଷ ଦାସଙ୍କୁ ଲାୟନ ମୀନତୀ ସୂର୍ଯ୍ୟସେବା ସମ୍ମାନ ୨୦୨୨ରେ ସମ୍ମାନୀତ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।