BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ କର୍ମୀଙ୍କୁ ଆହ୍ବାନ: 'ଓଡ଼ିଶାରେ ଜଲ୍ଦି ଦଳ କ୍ଷମତାକୁ ଆସିବ'

'୨୦୧୪ ରେ ଭୋଟ ୧୪ ପ୍ରତିଶତ ଥିବା ବେଳେ ୨୦୧୯ ରେ ଏହା ୩୮ ପ୍ରତିଶତ ହୋଇଛି । କିନ୍ତୁ ଏହି ଉଦ୍ୟମକୁ ଆହୁରି ସକ୍ରିୟ କରିବାକୁ ପଡ଼ିବ। ତାହେଲେ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବ। '

BJPର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ କର୍ମୀଙ୍କୁ ଆହ୍ବାନ: 'ଓଡ଼ିଶାରେ ଜଲ୍ଦି ଦଳ କ୍ଷମତାକୁ ଆସିବ'
ବିଜେପିର ରାଜ୍ୟର ପ୍ରଥମ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି
  • News18 Odia
  • Last Updated: September 6, 2020, 10:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ନେବା ପରେ ଗତ କାଲି ବିଜେପିର ରାଜ୍ୟର ପ୍ରଥମ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ଗତ କାଲି ପୂର୍ବାହ୍ନ ୧୧ଟା ବେଳେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏହି କାର୍ଯ୍ୟକାରିଣୀ ଆରମ୍ଭ ହୋଇଥିଲା । ଏଥିରେ ୩୦୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ । ଏହି ଭର୍ଚୁଆଲ ବୈଠକରେ ଦିଲ୍ଲୀରେ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ।

"ଲମ୍ବା ଲଢ଼େଇ ପରେ ଓଡ଼ିଶାରେ ମୁଖ୍ୟ ବିପକ୍ଷ ଦଳ ଭାବେ ଉଭା ହୋଇପାରିଛି ବିଜେପି । କିନ୍ତୁ ଏବେ ଆଉ ସେଦିନ ବହୁତ ଦୂର ନାହିଁ ଯେଉଁ ଦିନ ଓଡ଼ିଶାରେ ବିଜେପି ଶାସନ କ୍ଷମତାକୁ ଆସିବ। ଏଥିପାଇଁ ଦଳର ପ୍ରତ୍ୟେକ ନେତା, ପ୍ରତି କର୍ମୀଙ୍କୁ ପାଞ୍ଚଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡିବ," କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ।

"ଦଳର ନେତା ଓ କର୍ମୀଙ୍କ ଲମ୍ବା ସମୟ ପରିଶ୍ରମ କାରଣରୁ ଏବେ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳର ସ୍ଥାନକୁ ଆସିପାରିଛି । ରାଜ୍ୟରେ ବିଜେପିର ଗ୍ରହନୀୟତା ବଢିଛି , ଭୋଟ ପ୍ରତିଶତ ବି ୨୦୧୪ ତୁଳନାରେ ବଢିଛି । ୨୦୧୪ ରେ ଭୋଟ ୧୪ ପ୍ରତିଶତ ଥିବା ବେଳେ ୨୦୧୯ରେ ଏହା ୩୮ ପ୍ରତିଶତ ହୋଇଛି । କିନ୍ତୁ ଏହି ଉଦ୍ୟମକୁ ଆହୁରି ସକ୍ରିୟ କରିବାକୁ ପଡିବ। ତାହେଲେ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବ । ଏଥିପାଇଁ ଦଳର ନେତା ଓ କର୍ମୀମାଙ୍କୁ ୫ଟି ବିନ୍ଦୁ ଉପରେ ଗୁରୁତ୍ୱ ଦେବାକୁ ପଡିବ। ବିନ୍ଦୁ ଗୁଡିକ ହେଲା ଯୋଗ୍ୟତା, ଉଦ୍ୟମ, ସ୍ବୀକାରତା, ପ୍ରଭାବ ଓ ପରିପକ୍ୱତା," କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ।

ସେ ଆହୁରି ଅଭିଯୋଗ କରିଥିଲେ ଯେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସୁଛି । ରାଜ୍ୟ ସରକାର ଏହାକୁ ଧ୍ୟାନ ଦିଅନ୍ତୁ । ବିଜେପି ନେତା ଓ କର୍ମୀମାନେ ଏଥିପାଇଁ ସଜାଗ ରାହୁବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଓଡ଼ିଶାରେ ଆୟୁଷମାନ ଭାରତ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ଉପଲବ୍ଧି ଉପରେ ଏଠାରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟରେ ସଂଗଠନକୁ ମଜଭୁତ କରିବାକୁ ଗୁରୁତ୍ୱ ଦିଆଯିବା ସହିତ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତି ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହିତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଓ ବନ୍ୟା ପରିଚାଳନାରେ ବିଫଳତା ଉପରେ ମତ ରଖିଥିଲେ । ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ନେଇ ସେ ଅଭିଯୋଗ ରଖିଥିଲେ । ସେହିପରି ବିଶ୍ୱ ବିଦ୍ୟାଳୟ ପରିଚାଳନା ଅଧ୍ୟାଦେଶ, ବଗଲା ଧର୍ମଶାଳା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ମନରେଗା ଦୁର୍ନୀତି ଉପରେ ଆଲୋଚନା ହେବା ସହିତ ଏହାକୁ ଜନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇ ଆଗାମୀ ୩ ମାସ ପାଇଁ ହେଲା ଖସଡ଼ା ପ୍ରସ୍ତୁତି ହୋଇଥିଲା ।

ସେହିଭଳି ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅଣାଯାଇଥିଲା ଧନ୍ୟବାଦ ପ୍ରସ୍ତାବ। ମୁସଲମାନ ମହିଳାଙ୍କ ସ୍ଵାର୍ଥ ସୁରକ୍ଷା, କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ରର କଠୋର ନିଷ୍ପତ୍ତି, ବୈଦେଶିକ ନୀତି ଆଦିକୁ ବୈଠକରେ ପ୍ରଶଂସା କରାଯାଇଥିଲା। ୱେବନାର ଜରିଆରେ ଆୟୋଜିତ ଏହି କାର୍ଯ୍ୟଜାରିଣୀରେ ଦଳର ଅନ୍ୟ ସାଂଗଠନିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା।
Published by: Jagdish Barik
First published: September 6, 2020, 10:49 AM IST
corona virus btn
corona virus btn
Loading