News18 Odia Digital
ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରରେ କେଜ୍ କଲଚର୍ ପ୍ରଣାଳୀରେ କରାଯାଉଛି ମାଛ ଚାଷ । ଜଳ ଭଣ୍ଡାରର ବିସ୍ତୀର୍ଣ୍ଣ ଜଳ ରାଶିରେ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ସମୁଦାୟ ଦଶଟି ପ୍ରାଥମିକ ମତ୍ସଜୀବୀ ସମବାୟ ସମିତି କାର୍ଯ୍ୟକରୁଥିବା ବେଳେ ଏବେ ସାତଟି କେଜରେ ହେଉଛି ମାଛ ଚାଷ । ଏହି ପଞ୍ଜୁରୀ ମାଧ୍ୟମରେ ମାଛ ଚାଷ କରି ବେଶ ଲାଭବାନ ହେଉଛନ୍ତି ମାଛ ଚାଷୀମାନେ ।
ହୀରାକୁଦ ଜଳ ଭଣ୍ଡାରରେ ମାଇଲ ମାଇଲ ବ୍ୟାପିଛି ଜଳ । ଏହା ଏକ କୃତ୍ରିମ ହ୍ରଦର ମାନ୍ୟତା ପାଇଛି । ଏହି ଜଳ ଭଣ୍ଡାରରେ ହେଉଥିବା କେଜ୍ ପ୍ରଣାଳୀର ମାଛ ଚାଷରେ ପଞ୍ଜୁରୀ ଭିତରେ ପ୍ରଥମେ ମାଛ ଜାଆଁଳା ଛଡ଼ା ଯାଉଛି ଓ ଦିନକୁ ଦଇ ଥର ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଉଛି । ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାର ନିକଟରେ ଥିବା ମହମ୍ମଦପୁର ଗ୍ରାମ ନିକଟରେ ଜଳଭଣ୍ଡାର ଭିତରେ ବର୍ଷେ ହେଲା ମତ୍ସ୍ୟ ବିଭାଗ ତରଫରୁ ଏହି କେଜ୍ ପ୍ରଣାଳୀରେ ଆରମ୍ଭ ହୋଇଛି ମାଛ ଚାଷ ।
ଫ୍ଲୋଟର୍ ବା ଭାସମାନ ଡବା ତଥା ଡ୍ରମ ସାହାଯ୍ୟରେ ପିଞ୍ଜରା ଲଗାଇ ମାଛ ଚାଷ ପାଇଁ ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ଦୁଇ ପ୍ରକାର କେଜ୍ ରହିଛି – କିଛି ଗୋଲାକାର ଓ ଆଉ କିଛି ଆୟତରାକାର । ପ୍ରତି ଗୋଲାକାର କେଜ୍ ୫୦ ଫୁଟ ଗୋଲେଇ ବିଶିଷ୍ଟ ଓ ୧୦ ଫୁଟ ଗଭୀର ହୋଇଥିବା ବେଳେ ପ୍ରତି ଗୋଲାକାର କେଜରେ ହାରାହାରି ୧୦,୦୦୦ ମାଛ ଜାଆଁଳା ଛଡ଼ାଯାଇଥାଏ । ପ୍ରତି ଆୟତାକାର କେଜ ୫ ଫୁଟ ଲମ୍ବ, ୪ ଫୁଟ ଓସାର ଓ ୪ ଫୁଟ ଗଭୀର ହୋଇଥିବା ବେଳେ ପ୍ରତି ଏଥିରେ ହାରହାରି ୩,୦୦୦ ମାଛ ଜାଆଁଳା ଛଡ଼ାଯାଇଥାଏ ।

ମୁଖ୍ୟତଃ ଦୁଇ ପ୍ରକାର କେଜ୍ ରହିଛି – କିଛି ଗୋଲାକାର ଓ ଆଉ କିଛି ଆୟତରାକାର ।
ହୀରାକୁଦ ଜଳ ଭଣ୍ଡାରର ସମ୍ବଲପୁର ଜିଲ୍ଲାରେ ମହମ୍ମଦପୁର ପ୍ରାଥମିକ ମତ୍ସଜୀବୀ ସେବା ସମବାୟ ସମିତି ଓ ମହାନଦୀ ପ୍ରାଥମିକ ସମବାୟ ସମିତି, ବରଗଡ଼ା ଜିଲ୍ଲା ତମଦେଇ ମତ୍ସଜୀବୀ ସମବାୟ ସମିତି, ଝାରସୁଗୁଡ଼ାର ଚଉରାଅସି ସମବାୟ ସମିତି ଓ ବଲହରପାଟ ପ୍ରାଥମିକ ସମବାୟ ସମିତିରେ କେଜ୍ ପ୍ରଣାଳୀରେ ମାଛ ଚାଷ କରାଯାଉଛି । ମତ୍ସଜୀବୀ ସମବାୟ ସମିତି ଦ୍ବାରା ଟେଣ୍ଡର ମାଧ୍ୟମରେ କେଜ୍ ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ହିତାଧିକାରୀ ଚୟନ କରାଯାଇଥାଏ ।
‘‘ବର୍ଷେ ହେଲା ହୀରାକୁଦ ଜଳ ଭଣ୍ଡାରରେ କେଜ୍ ପ୍ରଣାଳୀରେ ପିଞ୍ଜରା ଭିତରେ ମାଛ ଚାଷ କରାଯାଉଛି । ହୀରାକୁଦ ଜଳରେ ଭଲ ମାଛ ଉତ୍ପାଦନ ହେଉଛି । ମତ୍ସ୍ୟ ବିଭାଗ ଓ ସେବା ସମବାୟ ସମିତି ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗେଇ ଦିଆଯାଉଛି,’’ କହିଛନ୍ତି ମହମ୍ମଦପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତର ସମ୍ପାଦକ ବିଶିକେଷନ ମିର୍ଦ୍ଧା ।
ଜଳ ଭଣ୍ଡାରରେ ଥିବା କେଜକୁ ଯିବା ପାଇଁ ନୌକା ବ୍ୟବସ୍ଥା ରହିଥିବା ବେଳେ କର୍ମଚାରୀମାନେ ବିଶ୍ରାମ ନେବା ପାଇଁ ତଥା ମତ୍ସ୍ୟ ଖାଦ୍ୟ ମହଜୁଦ ରଖିବା ପାଇଁ କେଜ୍ ନିକଟରେ ଭାସମାନ ଗୃହ ମଧ୍ୟ ରହିଛି ।
ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ
ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ
‘‘କେଜ୍ ପ୍ରଣାଳୀରେ ମାଛ ଚାଷ ହେଉଥିବା ଜାଣିବା ପରେ ମୁଁ ମତ୍ସ୍ୟଜୀବୀ ସମବାୟ ସମିତି ସହ ଯୋଗାଯୋଗ କରିଥିଲି । ଏହା ପରେ ମତ୍ସ୍ୟ ବିଭାଗ ସହିତ ସମ୍ପର୍କ କରି ପ୍ରଥମ ଥର ପାଇଁ ପଞ୍ଜୁରୀରେ ମାଛ ଚାଷ କରିଛି । ସବୁ ଖର୍ଚ୍ଚ ଯାଇ ଏ ବର୍ଷ ୫ ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ଆଶା କରୁଛି,’’ କହିଛନ୍ତି ମହମ୍ମଦପୁରର ଯୁବ ମତ୍ସ୍ୟ ଚାଷୀ ସିପୁନ ସାହୁ ।
ସର୍ବନିମ୍ନ ୧୦ କେଜି ମାଛ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ସିଧାସଳଖ କେଜରୁ ମାଛ ଧରି ବିକ୍ରି କରୁଛନ୍ତି ମାଛ ଚାଷୀମାନେ । ଏଥି ପାଇଁ ତାଙ୍କ ମାଛର ଚାହିଦା ମଧ୍ୟ ବଢିଛି ବୋଲି କହିଛନ୍ତି କେଜ୍ ମାଛ ଚାଷ କରୁଥିବା ଜଣେ ମତ୍ସ୍ୟଜୀବୀ ।