News18 Odia Digital
Cabinet Reshuffle: ରାଜ୍ୟ ରାଜନୀତିରେ ବଡ଼ ହଲ୍ଚଲ୍ । ଗୋଟେ ପରେ ଗୋଟେ ମନ୍ତ୍ରୀଙ୍କ ଇସ୍ତଫା । ଆସନ୍ତାକାଲି ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ବାଚସ୍ପତି ପଦରୁ ବିକ୍ରମ ଆରୁଖ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ନେଇ କଣ କହୁଛନ୍ତି ନେତା ମନ୍ତ୍ରୀ ?ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି ବିକ୍ରମ । ନବୀନ ପଟ୍ଟନାୟକ (Naveen Patinaik) ଯାହା ଦାୟିତ୍ବ ଦେବେ ତାହା ନିଷ୍ଠାର ସହ ତୁଲାଇବେ । କିନ୍ତୁ ଶ୍ରୀକାନ୍ତ ସାହୁ କହିଛନ୍ତି, ସାଂଗଠନିକ କାର୍ଯ୍ୟ ପାଇଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ପର୍ବରୁ ସୂଚନା ମିଳୁଛି ଯେ ଖୁବ୍ ଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ।
ନବୀନଙ୍କ ନୂଆ ଟିମ୍ରେ କିଏ ହେବେ ସାମିଲ ?ଶନିବାର ଝାରସୁଗୁଡ଼ା ଉପ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ହିଁ ମନ୍ତ୍ରିମଣ୍ଡଳ ଅଦଳବଦଳର ଆଭାସ ମିଳିଛି । ସେପଟେ କାଲି ମଧ୍ୟ ଇସ୍ତଫା ପର୍ବ ଜାରି ରହିବ ବୋଲି ଜଣାପଡି଼ଛି । ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ନେତାଙ୍କୁ ସଂଗଠନ ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳୁଛି । ଏହାଛଡ଼ା ଏବେ ନବୀନଙ୍କ ନୂଆ ଟିମ୍କୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ ୍ପନା । ପଶ୍ଚିମ ଓଡ଼ିଶାରୁ ଆଉ କିଛି ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳ ସାମିଲ କରାଯିବାର ସମ୍ଭାବନା ଅଛି । ଏହାଛଡ଼ା କେତେକ ଯୁବ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ । ସେହିପରି ୨୪ ନିର୍ବାଚନ ପୂର୍ବରୁ ଦଳର ସାଙ୍ଗଠାନିକ ସୁଦୃଢ଼ କରିବା ପାଇଁ କିଛି ନେତାଙ୍କୁ ଦାୟିତ୍ବ ଦେଇପାରନ୍ତି । ବିଶେଷ କରି ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ଆଖି ଆଗରେ ରଖି ଏହି ବଡ଼ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି ।
ମନ୍ତ୍ରିମଣ୍ଡଳକୁ ଫେରିବେ ପୁରୁଖା ନେତା ?ସେହିପରି ପୂର୍ବରୁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ବିଧାୟକ ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ (Arun Sahu), ସୁଶାନ୍ତ ସିଂହ (Sushant Singh) ଙ୍କ ଭଳି ପୁରୁଖା ନେତା ମନ୍ତ୍ରିମଣ୍ଡଳକୁ କମ୍ବ୍ୟାକ କରିପାରନ୍ତି । ତେବେ କେବଳ ମନ୍ତ୍ରିମଣ୍ଡଳ ଅଦଳବଦଳ ନୁହଁ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ମଧ୍ୟ ଅଦଳବଦଳର ଯଥେଷ୍ଟ ସମ୍ଭାବନା ରହିଛି । ସେହିକ୍ରମରେ ସ୍କୁଲ ଓ ଗଣଶିକ୍ଷା, ଶ୍ରମ, ପଞ୍ଚାୟତିରାଜ ନଗର ଉନ୍ନୟନ ଖାଦ୍ୟ ଯୋଗାଣ, ସ୍ବାସ୍ଥ୍ୟ ଭଳି ବିଭାଗରେ ଅଦଳବଦଳ ସମ୍ଭାବନା ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଜଣେ ଯୁବ ବିଧାୟକ ହେବେ ବୋଲି ଚର୍ଚ୍ଚା ହେଉଛି ।
ଯଦି ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୁଏ, ତେବେ ଏହା ହେବ ନବୀନଙ୍କ ପଞ୍ଚମ ପାଳି ସରକାରର ଦ୍ବିତୀୟ ଅଦଳ ବଦଳ ହେବ । ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ତାଛଡ଼ା ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନ ଫଳାଫଳ । ଏଭଳି ସମୟରେ ୨ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା କି ସଙ୍କେତ ଦେଉଛି, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି, ମନ୍ତ୍ରିମଣ୍ଡଳରେ କିଛି ନୂଆ ଓ ଯୁବ ଚେହେରାଙ୍କୁ ସାମିଲ କରାଯାଇପାରେ । ତାସହ ଆଉ କିଛି ପୂର୍ବତନ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳକୁ ଫେରାଇ ଅଣାଯାଇପାରେ ।...
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।