News 18 Odia Digital
କଟକ; ମହାନଦୀରେ ଆସୁଛି ମାତ୍ରାଧିକ ବନ୍ୟା ଜଳ । ସମୟକୁ ସମୟ ବନ୍ୟା ଜଳ ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳସ୍ୱରୂପ ମହାନଦୀ ଅବବହିକାରେ ଥିବା ବିଭିନ୍ନ ବ୍ୟାରେଜର ଜଳ ସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯାହାକି କଟକ ସମେତ କେନ୍ଦ୍ରପଡ଼ା ଓ ଜଗତସିଂପୁର ଜିଲ୍ଲାର ତଳି ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି ।

ଜୋବ୍ରା ରେଳବାଇ ଅଣ୍ଡରପାସ ତଳେ ୩ ଫୁଟ ଉଚ୍ଚର ପାଣି
ରବିବାର ସଂନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳ ଦେଇ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଛି । ବରମୂଳ ଦେଇ ୮ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡଳି ଦେଇ ମହାନଦୀରେ ୬ ଲକ୍ଷ ୩୭ ହଜାର ୫୮୫ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ଜୋବ୍ରା ବ୍ୟାରେଜ ଦେଇ ୨ ଲକ୍ଷ ୭୭ ହଜାର ୨୧୨ କ୍ୟୁସେକ ଜଳ ଓ ନାରାଜ ଦେଇ କାଠଯୋଡି ନଦୀରେ ୩ ଲକ୍ଷ ୧୫ ହାଜର ୯୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହା ସହ ହୀରାକୁଦ ଜଳ ଭଣ୍ଡାରରୁ ୫ ଲକ୍ଷ ୬୩ କ୍ୟୁସେକ ଜଳ ନିଷ୍କସିତ ହେଉଥିବାରୁ ଯଦି ମହାନଦୀର କ୍ୟାଚମେଣ୍ଟ ଏରିଆରେ ଅଧିକ ପରିମାଣ ବର୍ଷା ହୁଏ ତେବେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ତେବେ ଖଇରମାଳ ଦେଇ ମହାନଦୀରେ ଆସୁଥିବା ପାଣି ଦୁଇ ଦିନ ପରେ କଟକରେ ପହଁଚିବ । ବାଟରେ ବିଭିନ୍ନ ଉପ ନଦୀ ଗୁଡିକର ପାଣି ଏହି ବନ୍ୟା ପାଣି ସହ ମିଶିବା ପରେ ଏହା ମୁଣ୍ଡଳିରେ ପହଞ୍ଚିବା ବେଳକୁ ପାୟ ୧୦ ଲକ୍ଷ କ୍ୟୁସେକକୁ ପାର କରିବ ବୋଲି କୁହାଯାଉଛି । ଏପରିକି ଯଦି ଉପନଦୀ ଗୁଡ଼ିକର କ୍ୟାଚମେଣ୍ଟ ଏରିଆରେ ପ୍ରବଳ ବର୍ଷା ହୁଏ ତେବେ ଏହା ମହାନଦୀ ଜଳସ୍ତରକୁ ବଢାଇ ଦେବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରାଯାଉଛି । ଯାହାକି ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କାକୁ ଆହୁରି ଦୃଢିଭୁତ କରିଛି ।
ମହାନଦୀରେ ଯଦି ଛୋଟ ଧରଣ ବନ୍ୟା ଆସେ ତେବେ ଏହା ଦ୍ବାରା କୌଣସି ବଡ଼ ଧରଣର କ୍ଷୟ କ୍ଷତି ହେବା ଆଶଙ୍କା ନଥିଲେ ମଧ୍ୟ ମହାନଦୀ ଏବଂ ଏହାର ଶାଖାନଦୀ ଗୁଡ଼ିକର ଅବବାହିକାରେ ଥିବା କଟକ ସମେତ ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ତଳି ଅଞ୍ଚଳ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ନଦୀକୂଳକୁ ଲାଗି କରିଥିବା ଜନବସତି ସହ ଚାଷ ଜମି ଗୁଡ଼ିକରେ ବନ୍ୟାପାଣି ବସିବାର ସମ୍ଭାବନା ରହିଛି । ସେପଟେ ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ରାଜ୍ୟ ସରକାର ଏହି ତିନି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।