ଭୁବନେଶ୍ୱରରୁ ଉଠିଲା ଅଳିଆ; ୨୦୨୩ ସୁଦ୍ଧା ହେବ ବାୟୋ ମାଇନିଂ ପ୍ଲାଣ୍ଟ

ଡମ୍ପିଂୟାର୍ଡ ବନ୍ଦ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଜିଦରୁ ଓହରିଛନ୍ତି ଗ୍ରାମବାସୀ । ବିଏମସିକୁ ୯ମାସର ମହଲତ ଦେଇଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ ।

୨୦୨୩ ମେ ମାସ ସୁଦ୍ଧା ହେବ ବାୟୋ ମାଇନିଂ ପ୍ଲାଣ୍ଟ (ପ୍ରତୀକାତ୍ମକ ଛବି)

୨୦୨୩ ମେ ମାସ ସୁଦ୍ଧା ହେବ ବାୟୋ ମାଇନିଂ ପ୍ଲାଣ୍ଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଦୀର୍ଘ ୩ସପ୍ତାହ ପରେ ଡମ୍ପିଂୟାର୍ଡ ବିବାଦର ଘଟିଲା ଅବସାନ। ଗାଢ଼କଣ ଟିଟିଏସରୁ ଟ୍ରକ ଯୋଗେ ଉଠିଲା ଅଳିଆ। ଡମ୍ପିଂୟାର୍ଡ ବନ୍ଦ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଜିଦରୁ ଓହରିଛନ୍ତି ଗ୍ରାମବାସୀ । ବିଏମସିକୁ ୯ମାସର ମହଲତ ଦେଇଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ । ଫଳରେ ୨୩ଦିନ ପରେ ଆଜି ପୁଣି ଭୁଆଶୁଣି ଡମ୍ପିଂୟାର୍ଡକୁ ଯାଇଛି ଭୁବନେଶ୍ବରର ଅଳିଆ ।

ସରକାରଙ୍କ ହସ୍ତକ୍ଷେପ ଓ ଲିଖିତ ପ୍ରତିଶ୍ରୁତି ପରେ ବିବାଦର ଘଟିଛି ଅନ୍ତ। ସ୍ବାୟତ୍ତ ଶାସନ ଦିବସରେ ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହଯୋଗକୁ ବିଏମସି କର୍ତ୍ତୃପକ୍ଷଙ୍କ ସ୍ବାଗତ। ଦୀର୍ଘ ୧୪ବର୍ଷ ଧରି ଲାଗି ରହିଛି ଭୁଆଶୁଣି ଡମ୍ପିଂୟାର୍ଡ ବିବାଦ । ମାମଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ ରହିଛି। ସମସ୍ୟାର ସମାଧାନ ନେଇ ଗ୍ରାମବାସୀଙ୍କୁ ବିଏମସି ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣ କରିଆସିଛି । ତେବେ ଚଳିତ ଥର ପ୍ରଥମ ଥର ପାଇଁ ସରକାରଙ୍କ ହସ୍ତକ୍ଷେପ ଫଳରେ ସମାଧାନର ବାଟ ବାହାରିପାରିଛି ।

ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଥିଲା । ତେବେ ବିକଳ୍ପ ବ୍ୟବସ୍ଥା ପାଇଁ ସମୟର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରିଛି । ସ୍ବାୟତ୍ତ ଶାସନ ଦିବସରେ ଗ୍ରାମବାସୀଙ୍କ ସହଯୋଗକୁ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି ଭୁବନେଶ୍ବର ମେୟର । ସହରରୁ ଦୈନିକ ବାହାରୁଥିବା ୫୫୦ଟନ୍ ଅଳିଆ ମଧ୍ୟରୁ ବିଭିନ୍ନ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ଜରିଆରେ ୩ଶହ ଟନ୍ ଅଳିଆକୁ ପରିଚାଳନା କରାଯାଇପାରୁଛି । ଅବଶିଷ୍ଟ ଅଳିଆ ପାଇଁ ଆବଶ୍ୟକ ଏମସିସି ଓ ଏମଆରଏଫ ଖୁବ ଶୀଘ୍ର କରାଯିବ । ନିର୍ଧାରିତ ସମୟ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ମେୟର କହିଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

କାଲି ଠାରୁ ଗାଢ଼କଣ ଟିଟିଏସରୁ ଅଳିଆ ଭୁଆଶୁଣିକୁ ଯିବା ଆରମ୍ଭ ହୋଇଯାଇଛି । ପର୍ଯ୍ୟାୟ କ୍ରମେ ଅଳିଆ ପରିମାଣ ହ୍ରାସ ପାଇବ । ଏହାପରେ ବାୟୋ ମାଇନିଂ ପ୍ଲାଣ୍ଟ ଜରିଆରେ ସମ୍ପୃକ୍ତ ଅଞ୍ଚଳକୁ ଅଳିଆ ମୁକ୍ତ କରାଯିବ ବୋଲି କହିଛନ୍ତି ବିଏମସି କମିଶନର।
Published by:Soumya Das
First published: