News18 Odia Digital
ଭୁବନେଶ୍ୱର: ରାଜଧାନୀରେ ମନ ଜିଣୁଛି ମହିଳା ସହାୟତା କେନ୍ଦ୍ର ମାଧ୍ୟମ। ଏପ୍ରିଲ ମାସରେ ଭୁବନେଶ୍ବରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ 'ମାଧ୍ୟମ' ମହିଳା ସହଯୋଗ କେନ୍ଦ୍ରରେ ସମୁଦାୟ ୧୩ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୮ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିଛି ।
୨୦୧୪ ମସିହା ସେପ୍ଟେମ୍ବର ୩ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା 'ମାଧ୍ୟମ' ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମ୍ମୁଖୀନ ହେଉଥିବା ଶାରୀରିକ,ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ଼ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖୁଛି ।
କମିଶନରେଟ ପୋଲିସର ସୂଚନା ଅନୁସାରେ, ଭୁବନେଶ୍ବରରେ ଥିବା ମାଧ୍ୟମ ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟ କରିବା ସହ ପୀଡ଼ିତା ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖୁଛି । ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହାନ୍ତି 'ମାଧ୍ୟମ' ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ହାସଲ କରିଛି । ଏପରିକି 'ମାଧ୍ୟମ' ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡ଼ିତାମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଓ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁ ବୁଝିଥିଲେ ।
ମାଧ୍ୟମ ଦ୍ବାରା କେତେକ ପୀଡ଼ିତା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି। ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତେକ ଘଟଣାରେ ବ୍ୟକ୍ତିଗତ ଭାବେ କେବଳ ସ୍ବାମୀ କିମ୍ବା ସ୍ତ୍ରୀଙ୍କୁ ଡକାଇ କିମ୍ବା ଉଭୟଙ୍କୁ ଏକାଠି ବସାଇ ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଏକାଥରକେ ସମାଧାନ ନହୋଇ ପାରିଲେ ପରବର୍ତ୍ତୀ ସମୟରେ ପୁନର୍ବାର ଡକାଯାଇ ବୁଝାମଣା ମାଧ୍ୟମରେ ଅନେକ ମାମଲାର ସମାଧାନ କରାଯାଇପାରୁଛି । ମାଧ୍ୟମର ଏଭଳି କାର୍ଯ୍ୟକ୍ରମକୁ ରାଜଧାନୀର ବୁଦ୍ଧିଜୀବୀ ବେଶ ପ୍ରଶଂସା କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।