ଆଜିଠୁ BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ଓଡିଶା ଓପନ (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’ ୨୦୨୨। ମ୍ୟାଚ୍ ପାଇଁ ବ୍ୟାଡମିଣ୍ଟନ ସଜେଇ ହୋଇ ରହିଛି ଷ୍ଟାଡିୟମ୍ର ୪ଟି କୋର୍ଟ। ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ସଟଲରମାନେ ମଧ୍ୟ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ ଚଳାଇଛନ୍ତି ।
ଓଡିଶା ଓପନରେ ୧୮ଟି ଦେଶର ପ୍ରାୟ ୩ ଶହ ଖେଳାଳି ଭାଗ ନେଉଥିବା ବେଳେ ଓଡ଼ିଆ ସଟ୍ଲର ରୁତପର୍ଣ୍ଣା ପଣ୍ଡାଙ୍କ ସମେତ ସିକି ରେଡ୍ଡୀ, ଅଶ୍ୱିନୀ ପୋନାପାଙ୍କ ଭଳି ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ କୋଭିଡ ଗାଇଡଲାଇନ୍ ଯୋଗୁଁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ରହିଛି । ମହିଳା ସିଙ୍ଗଲ୍ସ ଓ ଡ଼ବଲ୍ସ, ପୁରୁଷ ସିଙ୍ଗଲ୍ସ ଓ ଡ଼ବଲ୍ସ ଏବଂ ମିକ୍ସ ଡ଼ବଲ୍ସ ଆଦି ଇଭେଣ୍ଟରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ଓଡ଼ିଶା ଆସୁଥିବା ସମସ୍ତ ଖେଳାଳି ଓ ଅଫିସିଆଲମାନଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ମୂଳକ ରହିଛି । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ଓପନ ପାଇଁ କମିଶନରେଟ ପୋଲିସ ଖେଳାଳି ଓ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱ ନେଇଛି । ତେବେ କୋଭିଡ କଟକଣା ଯୋଗୁଁ ଦର୍ଶକମାନେ ଗ୍ୟାଲେରୀରେ ଉପସ୍ଥିତ ରହିବେନି ।
ଓଡ଼ିଶା ଓପନକୁ ସାଇନା ନେହେଓ୍ୱାଲ, ପିଭି ସିନ୍ଧୁଙ୍କ ସମେତ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାମାନେ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା ହେଲେ କୋଭିଡ ଯୋଗୁଁ ଅନେକ ଖେଳାଳି ଶେଷ ମୁହୂର୍ତ୍ତରେ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ, ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିଏସନ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଛି ।
"ଓଡ଼ିଶା ଓପନ ଟୁର୍ଣ୍ଣାମେଣ୍ଟଟିକୁ ପରିଚାଳନା କରିବା ପାଇଁ ଆମକୁ ସୁଯୋଗ ମଳିଥିବାରୁ ଆମେ ବହୁତ ଖୁସି । ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ବ୍ୟାପକ ବନ୍ଦୋବସ୍ଥ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟଟିକୁ ଆମେ ସଫଳତାର ସହ ସମ୍ପର୍ଣ୍ଣ କରିବୁ ବୋଲି ଆମର ବିଶ୍ବାସ । ଭବିଷ୍ୟତରେ ଏଭଳି ପ୍ରତିଯୋଗୀତା ଆମକୁ ମିଳିବ ବୋଲି ଆଶା ମଧ୍ୟ କରୁଛୁ," କହିଛନ୍ତି ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସାଧାରଣ ସମ୍ପାଦକ ନିଲିନ କୁମାର ।
"ନିହାତି ଭାବେ ଏହି ଟୁର୍ଣ୍ଣାମେଣ୍ଟଟି ପ୍ରତିଟି ଖେଳାଳି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଏହା ଏକ ରାଙ୍କିଙ୍କ୍ ପ୍ରତିଯୋଗୀତା ହୋଇଥିବାରୁ ସମସ୍ତେ ଏଥିରେ ଭଲ ପ୍ରଦର୍ଶନ କରି ନିଜ ନିଜର ରାଙ୍କ୍ ବଢାଇବା ପାଇଁ ଚେଷ୍ଟା କରିବେ । ଏଥିପାଇଁ ମୁଁ ବି ମୋର ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି," କହିଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ପ୍ରତିଯୋଗୀ ସ୍ମୃତି ମିଶ୍ରା।
Published by:Soumya Das
First published: