News18 Odia Digital
ସମ୍ବଲପୁର: ଦିନ ଦ୍ୱିପହରେ ଏକ ଅପହରଣ ଯୋଗୁଁ ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳିଯାଇଛି । ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍-ୱେ’ର ଶାସନ ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନିଆଯାଇଛି । ଏହି ଖବର ଲେଖାହେବା ସମୟ ପର୍ଯ୍ୟନ୍ତ ଅପହୃତ ବ୍ୟବସାୟୀଙ୍କର ସନ୍ଧାନ ମିଳି ନ ଥିଲା ।
ବ୍ୟବସାୟୀ ଜଣକ ସମ୍ବଲପୁର ସହର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳର ଷ୍ଟିଲ୍ ଆଣ୍ଡ ଷ୍ଟିଲ୍ ଦୋକାନର ମାଲିକ ୬୩ ବର୍ଷୀୟ ନରେଶ ଅଗ୍ରୱାଲ । ଶାସନ ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମ୍ବଲପୁର ଏସ୍.ପି. କୱଁର ବିଶାଲ ସିଂ ନିଜେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଦର ଏସ୍.ଡି.ପି.ଓ. ତପନ ମହାନ୍ତିଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟାସ୍କ ଫୋର୍ସ ଗଠନ କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଏହି ଅପହରଣ ପଛର କାରଣ ଓ ଅପହର୍ତ୍ତାଙ୍କ କୌଣସି ଦାବି ସମ୍ପର୍କରେ ପୋଲିସକୁ ସୂଚନା ମିଳି ପାରି ନାହିଁ । ହେଲେ ଏହା ପଛର କାରଣ ଅଗ୍ରୱାଲଙ୍କର ଶାସନରେ ଥିବା ୩ ଏକରର ଜମି ବୋଲି ସନ୍ଦେହ କରାଯାଉଛି । ଏହି ଜମିର ପାଚେରୀ ନିର୍ମାଣ କାମ ଚାଲିଛି । ଆଜି ଅଗ୍ରୱାଲ ସେଠାକୁ କାମ ଦେଖିବାକୁ ଯାଇଥିଲେ । ରାସ୍ତା କଡ଼ରେ ତାଙ୍କର କ୍ରେଟା ଗାଡ଼ି ରଖି କାମ ତଦାରଖ କରୁଥିଲେ । ତାଙ୍କ ଡ୍ରାଇଭର ମଧ୍ୟ ପାଖରେ ଥିଲେ ।

ଅଗ୍ରୱାଲଙ୍କ ଗାଡ଼ିର ଟାୟାରଗୁଡ଼ିକୁ ଅପହରଣକାରୀମାନେ କାଟି ପଙ୍କଚର୍ କରିଦେଇଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦିନ ପ୍ରାୟ ୧୨ଟା ୨୦ ମିନିଟରେ ଏକ ଧଳା ରଙ୍ଗର ସ୍ୱିଫ୍ଟ କାର ଆସି ଉକ୍ତ ସ୍ଥାନରେ ଅଟକିବା ପରେ ସେଥିରୁ ତିନି ଜଣ ଯୁବକ ବାହାରିଥିଲେ । ସେମାନେ ପ୍ରଥମେ ପହଞ୍ଚି କ୍ରେଟା ଗାଡ଼ିର ଆଗ କାଚରେ ଅଣ୍ଡା ମାଡ଼ କରିଥିଲେ । ଏହା ସହିତ ଧାରୁଆ ଅସ୍ତ୍ରରେ ଗାଡ଼ିର ଚକ କାଟି ପଙ୍କଚର କରି ଦେଇଥିଲେ । ତା’ ପରେ ଅଗ୍ରୱାଲଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ସ୍ୱିଫ୍ଟ ଗାଡ଼ି ଭିତରକୁ ନେଇଯାଇଥିଲେ । ଏହା ପରେ କାରଟି ଦ୍ରୁତ ଗତିରେ ଝାରସୁଗୁଡ଼ା ପଟକୁ ଚାଲି ଯାଇଥିଲା ।
ଅଗ୍ରୱାଲଙ୍କ ଡ୍ରାଇଭର ଘଟଣା ସମ୍ପର୍କରେ ତାଙ୍କ ପୁଅଙ୍କୁ ଫୋନ କରି ଜଣାଇଥିଲେ । ଏଥି ସହ ଶାସନ ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ସେ । ଘଟଣା ସ୍ଥଳକୁ ଯାଇଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ଲଗାଇଥିବାରୁ ସେମାନଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି । ତେବେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଅଞ୍ଚଳବାସୀ କହିଛନ୍ତି ।
ଝାରସୁଗୁଡ଼ା ରୋଡରେ ଥିବା ରେଙ୍ଗାଲି ଟୋଲ ଗେଟ ଦେଇ ଉକ୍ତ କାର ଯାଇଛି ବୋଲି ଜଣାପଡ଼ିଛି । ପୋଲିସ ଉକ୍ତ ଟୋଲ ଗେଟର ସିସିଟିଭି ଫୁଟେଜ ଆଣି ଯାଞ୍ଚ ଚଳାଇଛି ।
‘‘ଏହା ଏକ ସମ୍ବେଦନଶୀଳ ଘଟଣା । ପୋଲିସ ଏହାର ତଦନ୍ତ କରୁଛି । ତେବେ ବର୍ତ୍ତମାନ ଅଧିକ ତଥ୍ୟ ପ୍ରକାଶ କରାଯାଇ ପାରିବ ନାହିଁ,’’ କହିଛନ୍ତି ସମ୍ବଲପୁର ଏସ.ପି. କୱଁର ବିଶାଲ ସିଂ ।
ଏହା ବି ପଢ଼ନ୍ତୁ:
Vikas Dubey Encounter: ପୋଲିସ୍ ଗୁଳିରେ କେମିତି ଟଳିଲା ଗ୍ୟାଙ୍ଗଷ୍ଟର୍ ଦୁବେ? କ’ଣ ଥିଲା ଘଟଣା କ୍ରମ?ଶାସନ ଥାନା ନିକଟରୁ ଏଭଳି ଫିଲ୍ମ ଷ୍ଟାଇଲରେ ଅପହରଣ ଘଟଣା ଜଣା ପଡିବା ପରେ ସାଧାରଣ ଲୋକେ ଏହା ଅପରାଧିଙ୍କ ପୋଲିସକୁ ଖୋଲା ଚାଲେଞ୍ଜ ବୋଲି କହିଛନ୍ତି । ‘‘ଆମ ଅଞ୍ଚଳ ଏକ ଶାନ୍ତିପ୍ରିୟ ଅଞ୍ଚଳ । ଏଭଳି ଘଟଣା ଆଗରୁ ଆମ ଅଞ୍ଚଳରେ ଘଟି ନାହିଁ । ନରେଶ ଅଗ୍ରୱାଲ ମଧ୍ୟ ଜଣେ ମିଷ୍ଠଭାଷୀ ଓ ଭଦ୍ର ବ୍ୟକ୍ତି । ତାଙ୍କୁ କେହି ହୁଏତ କୌଣସି ବ୍ୟାବସାୟିକ ଶତୃତା ବା ଅର୍ଥ ଆଦାୟ ପାଇଁ ଏଭଳି କାଣ୍ଡ କରିଥିବ । ତାଙ୍କୁ ଜଲଦି ମୁକ୍ତ କରାଇବା ଉଚିତ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଜିନୁ ପଣ୍ଡା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।