News 18 Odia Digital
କେନ୍ଦ୍ରାପଡ଼ା; ଗୁହାଳରୁ ନିଆଁ ଧାସ ଉଡିଆସି ଖଞ୍ଜା ଘର ଚାଳରେ ପଡିଲା । ଆଖି ପଲକରେ ଖଞ୍ଜାଘରଟି ଜଳି ପୋଡି ପାଉଁଶ ହୋଇଗଲା । ଏମିତିକି ଲୁଗା ଖଣ୍ଡେ ବି ଘରେ ରହିଲାନି । ପିନ୍ଧିଥିବା ପୋଷାକଟିକୁ ଛାଡିଦେଲେ ବାକି ସବୁ କିଛି ନିଆଁରେ ଜଳିଗଲା । ଘର ଜଳିଯିବା କାରଣରୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି କେନ୍ଦ୍ରାପଡା ଝିଙ୍କଡି ଗାଁର ଗୌରାଙ୍ଗ ଚରଣ ଜେନାଙ୍କ ପରିବାର।
ନିଆଁକୁ ଆୟତ୍ତ କରିବା ପାଇଁ ଘରର ସଦସ୍ୟ ଓ ପଡୋଶୀ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ୬ ବଖରା ଘର ସହିତ ଦୁଇଟି ଗୁହାଳ ଘର ଭିତରେ ଥିବା ସମସ୍ତ ଅସବାପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲେ ଯେ, ଘରର ସମସ୍ତ ବାସନ ମଧ୍ୟ ତରଳିଯାଇଛି । ଧାନ, ମୁଗ, ବିରି ସହିତ ନଗଦ ଟଙ୍କା ଓ ଘରେ ଥିବା ସାମାନ୍ୟ କିଛି ଗହଣା ମଧ୍ୟ ନିଆଁର ପ୍ରକୋପରୁ ବର୍ତ୍ତି ପାରିଲାନାହିଁ। ଏବେ ପରିବାରର ୧୨ଜଣ ସଦସ୍ୟ ଗାଁ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି । ଖୋଲା ଆକାଶ ତଳେ ଏଣେ ତେଣେ ପଡି ରହିଛି ପୋଡି ଯାଇଥିବା ସମ୍ପତ୍ତି ।
ଘର ପୋଡିଯିବା ପରେ ଅଞ୍ଚଳର ଆରଆଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ମିଳିଥିଲା ଦୁଇ ଖଣ୍ଡ ପଲିଥିନି। ସେତିକି କାମ ସରିଦେଇ ପ୍ରଶାସନ ଚୁପ ରହିଯାଇଛି । ବର୍ତ୍ତମାନ ଦୁଃଖ ଦୁର୍ଦ୍ଦଶାରେ ଶୀତରେ ଥରୁଛନ୍ତି ଘର ପୋଡିର ଶିକାର ହୋଇଥିବା ଗରିବ ପରିବାର ।
ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ପକ୍କା ଘର ଖଣ୍ଡେ ପାଇବା ପାଇଁ ଆବେଦନ କରି ନିରାଶ ହୋଇଛନ୍ତି ଗୌଗୌରାଙ୍ଗ ଚରଣ ଜେନା । ତେବେ ପକ୍କା ଘର ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ନିଜ ବାପ ଅଜା ଅମଳର ପୁରୁଣା ଛପର ଘରେ ନିଜ ସ୍ତ୍ରୀ ସମେତ ତିନି ପୁଅ, ତିନି ବୋହୂ ଏବଂ ତିନି ନାତି ନାତୁଣୀଙ୍କ ସହ ରହୁଥିଲେ ଗୌରାଙ୍ଗ। କିନ୍ତୁ ଦଇବ ଦାଉ ସାଧିଲା। ନିଆଁ ଲାଗି ଛାରଖାର ହୋଇଗଲା ଘର। ନିଆଁର ପ୍ରକୋପ ଏତେ ଥିଲା ଯେ, ପାଖରେ ଥିବା ନଡ଼ିଆ, ପଣସ ଓ ଆମ୍ବ ଗଛ ମଧ୍ୟ ଜଳି ଯାଇଛି। ଏପରି ପରିସ୍ଥିତିରେ ପ୍ରଶାସନର ସାହାଯ୍ୟ ଲୋଡିଛନ୍ତି ପରିବାର ଲୋକ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।