News 18 Odia Digital
ଭଦ୍ରକ: ଯୁଗ ଯେତେ ଆଗକୁ ଗଲେ ମଧ୍ୟ ଅନ୍ଧବିଶ୍ୱାସ (Superstition) ଓ କଦର୍ଯ୍ୟ ପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଛାଡିପାରୁନି ଆମ ସମାଜ । ବିଜ୍ଞାନ (science) ଉପରୁ ଭରଷା ହରାଇ ଏବେବି ଅନେକ ବ୍ୟକ୍ତି ଅନ୍ଧବିଶ୍ୱାସ ଉପରେ ଭରଷା କରୁଛନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ (bhadrak) ଜିଲ୍ଲାରେ ।
କସିଆ ମେରାଇନ ଥାନା ବିଦେଇପୁର ପଞ୍ଚାୟତ ଗଦେଇବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି ଏମ ଅଜବ ଦୃଶ୍ୟ । ଗୁଣି ଗାରେଡି ନୁହେଁ ବରଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତ ଶିଶୁକୁ ବଞ୍ଚାଇବା ପାଇଁ ଲୁଣ (salt)ରେ ଶିଶୁର ମୃତଦେହକୁ ପୋତିଛନ୍ତି ପରିବାର । କିନ୍ତୁ ଲୁଣରେ ପୋତି ପ୍ରଚଣ୍ଡ ଗ୍ରୀଷ୍ମରେ ଘଣ୍ଟାଧିକ କାଳ ବସି ରହିବା ସତ୍ୱେ କୌଣସି ଲାଭ ମିଳିଲାନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ (police) ପହଁଞ୍ଚି ମୃତ ପିଲାକୁ ଲୁଣରୁ ବାହାର କରି ପୋଷ୍ଟମଟମ (postmortem) ପାଇଁ ଭଦ୍ରକ ପଠାଇଥିଲା । ତେବେ ମଲା ଛୁଆକୁ ଲୁଣରେ ପୋତିଲେ ସେ ପୁଣିଥରେ ଜୀବନ ଫେରି ପାଇବ ବୋଲି ଏକ ଅନ୍ଧ ବିଶ୍ୱାସକୁ ନେଇ ଏବେ ଚର୍ଚ୍ଚା ।
ଗଦେଇବିନ୍ଧା ଗ୍ରାମର ରୋହିତ ଜେନା ଏବଂ ସଂଗୀତା ଜେନାଙ୍କର ଦେଢ଼ବର୍ଷର ପୁଅ ରୋହନ । ବାପା ରୋହିତଙ୍କର ବିଦେଇପୁର ବଜାରରେ ଏକ ଦୋକାନ ରହିଛି । ମଙ୍ଗଳବାର ସକାଳେ ସବୁଦିନ ଭଳି ରୋହିତ ବଜାର ଚାଲିଯିବା ପରେ ମାଆଙ୍କ ସହିତ ରୋହନ ଘରେ ରହିଥିଲା । ସକାଳ ପ୍ରାୟ ୧୦ ସମୟରେ ମାଆ ସଙ୍ଗୀତା ଘର କାମରେ ବ୍ୟସ୍ତ ଥିବା ବେଳେ ପିଲାଟି ଖେଳୁ ଖେଳୁ ଘରପାଖରେ ଥିବା ଏକ ପୋଖରୀରେ ପଡି ଯାଇଥିଲା । ତେବେ ତୁରନ୍ତ ତାକୁ ଉଧାର କରି ବାସୁଦେବପୁର ଡାକ୍ତରଖାନା (hospital) ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ତେବେ ସେଠାରେ ନିଜକୁ ରେଡ଼କ୍ରସର ଜଣେ ସଦସ୍ୟ ବୋଲି ପରିଚୟ ଦେଉଥିବା ସ୍ଥାନିୟ ବରଣ୍ଡୁଆ ପଞ୍ଚାୟତର ଜଣେ ଯୁବକ ପରିବାର ସଦସ୍ୟଙ୍କୁ ଏପରି କିଛି କହିଥିଲା ଯାହାକୁ ସେମାନେ ବାଧ୍ୟ ହୋଇ ମାନିନେଇଥିଲେ । ପିଲାଟିକୁ ତୁରନ୍ତ ୧ଘଣ୍ଟା ପାଇଁ ଲୁଣରେ ପୋତିଦେଲେ ସେ ଜୀବିତ ହୋଇଯିବ ବୋଲି ବିଶ୍ୱାସ ଦେବା ପରେ ବଜାରରୁ ତୁରନ୍ତ ଲୁଣ କିଣି ଆଣି ମେଡିକାଲ ପରିସରରେ ପିଲାଟିର ମୁହଁକୁ ଛାଡି ସମଗ୍ର ଶରୀରକୁ ଲୁଣରେ ପୋତି ଦିଆଯାଇଥିଲା । ପିଲାଟି ମୁହଁରେ ଖରା ନପଡିବାକୁ କିଛି ବ୍ୟକ୍ତି ତଉଲିଆ ଧରି ଛିଡା ହୋଇଥିଲେ । ଆଉକିଛି ବ୍ୟକ୍ତି ପିଲାଟିର ନିଶ୍ୱାସ ପ୍ରଶ୍ୱାସ ଫେରୁଛି କି ନାହିଁ ତଦାରଖ କରିବାରେ ଲାଗିଥିଲେ । ଘଣ୍ଟାଧିକ କାଳ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି କରିବା ପରେ କୌଣସି ଲାଭ ନମିଳିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ମଧ୍ୟ ଦେକାଦେଇଥିଲା । କିନ୍ତୁ କୌଣସି ଅଘଟଣ ଘଟିବା ଆଗରୁ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମଟମ ପାଇଁ ଭଦ୍ରକ ପଠାଇଥିଲା ।
ଏହି ଖବର ପଢ଼ନ୍ତୁ -
CM Yogi Adityanath: ୟୁପି ସିଏମଙ୍କୁ ଗୁଳିମାଡ ଧମକ: ପୋଷ୍ଟ୍ ଭାଇରାଲ୍ରିପୋର୍ଟ- ତପନ ସ୍ୱାଇଁ
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।