ବାଲେଶ୍ବର / କେନ୍ଦ୍ରାପଡ଼ା / ଜଗତସିଂହପୁର: ବୁଲ୍ବୁଲ୍ ବାତ୍ୟାର ଦୁଇ ଦିନ ପରେ କ୍ଷେତକୁ ଦେଖି କାନ୍ଦୁଛି ଚାଷୀ । ଅମଳ ପୂର୍ବରୁ ପାକଳ ଧାନ ଶୋଇଯାଇଛି କ୍ଷେତରେ । ପାଣିରେ ସଢ଼ି ପଚିବା ଆଶଙ୍କାରେ ଚାଷୀ ।
ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏକର ଏକର ଧାନଗଛ ପାଣିରେ ବୁଡ଼ି ରହିଛି । ଆଉ ଦିନ କେଇଟା ପରେ ଅମଳ ହୋଇଥାଆନ୍ତା । ତା ପୂର୍ବରୁ ପବନ ଓ ବର୍ଷା ମାଡ଼ରେ ନଷ୍ଟ ହେବାକୁ ବସିଛି ଛନଛନିଆ ଧାନକେଣ୍ଡା ।
କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକର ଚାଷୀଙ୍କ ଆଖିରେ ଲୁହ । ବୁଲବୁଲ୍ ମାଡ଼ରେ ଡେରାବିଶି, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ ରାଜକନିକାରେ ଶହ ଶହ ହେକ୍ଟର ଜମିରେ ଉଜୁଡ଼ିଯାଇଛି ଧାନଚାଷ । ନଷ୍ଟ ବି ହୋଇଛି ପରିବା ଚାଷ । ରାଜସ୍ବ ବିଭାଗ ସହ କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କରାଯାଉଛି କ୍ଷୟକ୍ଷତିର ମିଳିତ ଆକଳନ ।
ବାଲେଶ୍ବର ବସ୍ତା ବ୍ଲକରେ କ୍ଷେତକୁ ଚାହିଁ ପାରୁନି ଚାଷୀ । ଯେଉଁ ଜମିରେ ଫଳିଥିଲା ସୁନାର ଫସଲ, ସେଠାରେ ଏବେ ପାଣିରେ ପଚୁଛି ଗଛ । ଆହାର ଉପରେ ପାହାର ଦେଇଛି ବୁଲବୁଲ । ଏମିତିରେ ଏଥର ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲେ ଚାଷୀକୁଳ । ହେଲେ ଠିକ୍ କେଣ୍ଡା ବାହାରିବା ବେଳକୁ ମାଡ଼ ଦେଲା ବାତ୍ୟା । ଖାଲି ବସ୍ତା ବ୍ଲକ ନୁହେଁ, ବାଲେଶ୍ବର ସଦର, ଭୋଗରାଇ, ରେମୁଣା, ନୀଳଗିରି, ବାଲିଆପାଳ ବ୍ଲକରେ ହଜାର ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହେବା ନିଶ୍ଚିତ । ଜମିରେ ପାଣି ଏମିତି ଜମିଛି ଯେ ସପ୍ତାହ ଯାଏଁ ଛାଡ଼ିବା ଆଶା କରିପାରୁନାହାନ୍ତି ଚାଷୀ ।
କେବଳ କେନ୍ଦ୍ରାପଡ଼ା କି ବାଲେଶ୍ବର ନୁହେଁ, ବୁଲ୍ବୁଲ୍ରେ ପ୍ରଭାବତି ହୋଇଛି ଜଗତସିଂହପୁର ଜିଲ୍ଲାର ଚାଷୀ । କୃଷି ବିଭାଗର ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୨୩ ହଜାର ହେକ୍ଟର ଜମିରେ ଧାନ ଫସଲ ଓ ୫୦ ହେକ୍ଟର ଜମିରେ ପରିବା ଚାଷ ନଷ୍ଟ ହୋଇଛି ।
ତହସିଲଦାରଙ୍କ ସହ କୃଷି ଅଧିକାରୀମାନେ କ୍ଷତି ଆକଳନ ଜାରି ରଖିଛନ୍ତି । ବାତ୍ୟା ଚାଲିଯିବା ପରେ ଉଜୁଡ଼ା ଫସଲ ଦେଖି ବିକଳ ହେଉଛି ଚାଷୀ । ଧାନ ବିଲରେ ଫୁଟେ ଦି ଫୁଟ ଉଚ୍ଚର ପାଣି । ଛିନଛତ୍ର ହୋଇଯାଇଛି କୋବି, ପୋଟଳ, ମୂଳା, ବାଇଗଣ ଚାଷ ।
ଦୁଇ ଦିନର ବର୍ଷା, ତା ସାଙ୍ଗକୁ ପବନ । ଅମଳ ହୋଇ ଆସୁଥିବା ଚାଷକୁ ଛିନଛତ୍ର କରି ଦେଇଛି ବାତ୍ୟା । ସରକାରଙ୍କ ତ୍ବରିତ କ୍ଷତି ଆକଳନ ଓ ସହାୟତା ଚାଷୀଙ୍କ ପାଇଁ ଏବେ ଏକ ମାତ୍ର ଭରସା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।