News18 Odia Digital
ଭୁବନେଶ୍ବର: କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱରକୁ ଆସୁଛି ବିଜୁ ବାବୁଙ୍କ ଡାକୋଟା ବିମାନ ବୋଝେଇ ଟ୍ରକ୍। ୩ଟି ଟ୍ରେଲରରେ ବୋଝେଇ ହୋଇ ଓଡ଼ିଶା ଆସୁଛି ଡାକୋଟା ବିମାନ।
କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଏହା ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଆସୁଛି।
ବିଜୁ ବାବୁ ନାଁ ଆଜି ସମସ୍ତଙ୍କ ମନରେ ଜୀବିତ ରହିଛି। କାରଣ ତାଙ୍କର ସାହସ , ନିର୍ଭିକତା, ଏବଂ ପରୋଉପକାରିତା ଆଜିବି ପ୍ରତ୍ୟେକ ଓଡ଼ିଆ ତଥା ଦେଶବାସୀଙ୍କ ମନରେ ସତେଜ ହୋଇ ରହିଛି।
ତେବେ ବିଜୁବାବୁଙ୍କ ପରି ତାଙ୍କ ଡାକୋଟା ମଧ୍ୟ ଆଜି ସମସ୍ତଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଛି। କାରଣ ସେ ଏହି ଡାକୋଟା ସାହାର୍ଯ୍ୟରେ ଅନେକ ଯୁଦ୍ଧ ଲଢ଼ିଥିବା ବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର ମଧ୍ୟ କରିଥିଲେ। ତେବେ ବହୁ ବର୍ଷ ପରେ ବିଜୁବାବୁ ଚଳାଉଥିବା ବିମାନ ଏବେ ଓଡ଼ିଶା ଫେରୁଛି।
ସୂଚନା ଅନୁଯାୟୀ, ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏହି ବିମାନ ବର୍ତ୍ତମାନ ଭୁବନେଶ୍ୱର ଆସୁଛି। ଏହି ଡାକୋଟା ବିଜୁବାବୁଙ୍କ ସାହାସର ମୁକ ସାଖୀ ହୋଇଥିବା ବେଳେ ଏହା ଆଜି ଅଚଳ ହୋଇ ପଡ଼ି ରହିଛି।
ଯଦି ବିଜୁ ବାବୁ ଜୀବିତ ଥାଆନ୍ତେ, ତାହାଲେ ଆଜି ବି ଡାକୋଟା ଆକାଶରେ ଉଡ଼ିଥାନ୍ତା। ଆଉ ରଚିଥାନ୍ତା ଅନେକ ଇତିହାସ। ଦ୍ୱାତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ଯୁଦ୍ଧ ସରିଗଲା ସେତେବେଳେ ଅନେକ ଡାକୋଟା ଅକାମୀ ହୋଇଗଲା। ଏଭଳି କିଛି ବିମାନକୁ ନେଇ ବିଜୁବାବୁ ଆରମ୍ଭ କରିଥିଲେ କଳିଙ୍ଗ ଏୟାରଲାଇନ୍ସ। ବିଜୁ ବାବୁଙ୍କ ମାଲିକାନାରେ ୪ଟି ବିମାନ ଥିବାବେଳେ ୩ଟି ବିମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କିନ୍ତୁ ଗୋଟିଏ ବିମାନ ଏବେ ବି ଇଣ୍ଡୋନେସିଆରେ ପଡ଼ିରହିଛି । ଆଉ ଯେଉଁ ଡାକୋଟା ଓଡ଼ିଶା ଫେରୁଛି ତାକୁ ଲିଜରେ ଆଣି ଉଡ଼ାଉଥିଲେ ବିଜୁବାବୁ।
ତେବେ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପ୍ରାୟ ୧୮ ତାରିଖ ରାତି ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି। ଏଠି ପହଞ୍ଚିଲା ପରେ ବିମାନକୁ ପୁନଃ ସଂଯୋଗ କରାଯାଇ ସଂରକ୍ଷିତ ରଖାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଟର୍ମିନାଲ-୧ ସମ୍ମୁଖରେ ଜମି ଯୋଗାଇ ଦେଇଛନ୍ତି ବୋଲି କୁହାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।