ଭୁବନେଶ୍ୱର ବିମାନ ବନ୍ଦର ଦୁର୍ଘଟଣା: ୧ ମୃତ, ୧ ଆହତ; ଠିକାଦାର ଦିଲୀପ ଖଟେଇଙ୍କୁ ଥାନାରେ ଅଟକ ରଖାଗଲା

ମଧ୍ୟରାତ୍ରିରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣାଧୀନ ଲିଙ୍କ୍ ବିଲଡିଂର ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ଜଣେ ଡ୍ରାଇଭର ଗୁରୁତରଭାବେ ଆହତ ହୋଇଛନ୍ତି । ନିର୍ମାଣକାରୀ ସଂସ୍ଥା ଦ୍ୱାରା ନିମ୍ନ ମାନର କାର୍ଯ୍ୟ ହେଉଥିଲା ବୋଲି ଅଭିଯୋଗ ଆସିଛି ।

ଭୁବନେଶ୍ୱର ବିମାନ ବନ୍ଦର ଦୁର୍ଘଟଣା: ୧ ମୃତ, ୧ ଆହତ; ଠିକାଦାର ଦିଲୀପ ଖଟେଇଙ୍କୁ ଥାନାରେ ଅଟକ ରଖାଗଲା
ଦୁର୍ଘଟଣା ପରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟର ଦୃଶ୍ୟ
  • News18 Odia
  • Last Updated: January 25, 2020, 11:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗତ କାଲି ମଧ୍ୟରାତ୍ରିରେ ଏକ ନିର୍ମାଣାଧୀନ ବିଲ୍‌ଡିଂର ୧୦ ହଜାର ବର୍ଗଫୁଟ୍‌ ଅଞ୍ଚଳର ଛାତ ଭୁଶୁଡ଼ି ଜଣେ ମୃତ ଓ ଜଣେ ଗୁରୁତରଭାବେ ଆହତ ହେବା ଘଟଣାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ କରି ପୋଲିସ ନିର୍ମାଣ କାର୍ଯ୍ୟର ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି ।

ଦିଲ୍ଲୀପ ଖଟେଇ ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନ୍‌ର ମାଲିକ । ତାଙ୍କୁ ଏୟାରପୋର୍ଟ ଥାନା ପୋଲିସ ଅଟକ ରଖି ପଚ଼ରାଉଚ଼ରା କରୁଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଅନୁପ ସାହୁ । ଖଟେଇଙ୍କ ସଂସ୍ଥା ଦ୍ୱାରା ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେଉଥିଲା ବୋଲି ମଧ୍ୟ ଅଭିଯୋଗ ଆସିଛି ।

ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣାଧୀନ ଲିଙ୍କ୍‌ ବିଲଡିଂର ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଓ ଜଣେ ଡ୍ରାଇଭର ଗୁରୁତରଭାବେ ଆହତ ହୋଇଥିଲେ । ମୃତ ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁ କଟକ ଜିଲ୍ଲାର ବଡ଼ମ୍ବାର ବାସିନ୍ଦା । ଉଦ୍ଧାରକାରୀ ଦଳ ତାଙ୍କ ପାଖରେ ଛାତ ଭୁଶୁଡ଼ିବାର ପାଖାପାଖି ଦେଢ଼ ଘଣ୍ଟା ପରେ ପହଞ୍ଚିଥିଲେ । ସେ ପର୍ଯ୍ୟନ୍ତ ସେ ସେହି ଭୁଷୁଡ଼ି ପଡ଼ିଥିବା ଛାତର ଭଗ୍ନାବଶେଷ ତଳେ ଦବି ହୋଇ ରହିଥିଲେ ।

ଭୁଷୁଡ଼ିଥିବା ବିଲ୍‌ଡିଂ


ଆହତ ହୋଇଥିବା ଡ୍ରାଇଭର ନବ କିଶୋରଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କର ଟ୍ରିଟମେଣ୍ଟ ଚ଼ାଲିଛି ସେ ଢେଙ୍କାନାଳର ମୂଳ ବାସିନ୍ଦା ।

ବିଳମ୍ବିତ ରାତିରେ ଏନ୍‌ଡିଆରଏଫ ଓ ଅଗ୍ନିଶମ ବାହିନୀର ଉଦ୍ଧାର ଅପରେସନ ତ୍ୱରିତ ଗତିରେ ଚ଼ାଲିଥିଲା । ସନ୍ଦେହ କରାଯାଉଥିଲା ଯେ ଭୁଶୁଡ଼ି ପଡ଼ିଥିବା ଛାତ ତଳେ କିଛି କାର୍ଯ୍ୟରତ ଶ୍ରମିକ ଫସି ରହିଥାଇ ପାରନ୍ତି । ମାତ୍ର ଆଉ କେହି ମିଳି ନ ଥିଲେ ବୋଲି ଜଣେଇଛନ୍ତି ଉଦ୍ଧାରକାରୀ ଦଳମାନେ ।

ବିମାନ ବନ୍ଦରରେ ଏହି ଭୁଷୁଡ଼ି ପଡ଼ିଥିବା ବିଲ୍‌ଡିଂଟି ଟର୍ମିନାଲ ୧କୁ ଟର୍ମିନାଲ ୨ ସହ ଯୋଡ଼ିବା ପାଇଁ ତିଆରି ହେଉଥିଲା । ଏହାର ଭିତ୍ତି ପ୍ରସ୍ତର ଗତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ । ଆସନ୍ତା ମାସ ଏହାର ଶୁଭ ଉଦଘାଟନ ହେବାର ଥିଲା ।

ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବାହାରକୁ ଅଣାଯାଉଛି ।


ଖବର ପାଇ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିସିପି ଅନୁପ ସାହୁ ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।

ଦୁର୍ଘଟଣା ବିଷୟରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍‌ କରି ସେ କହିଛନ୍ତି ଯେ ମୃତାହତ ଖବର ଶୁଣି ସେ ଦୁଃଖିତ । ‘‘ଆହତଙ୍କ ଉତ୍ତମ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି,’’ କହିଛନ୍ତି ପ୍ରଧାନ ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଟ୍ବିଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେ ।
First published: January 25, 2020, 11:19 AM IST
corona virus btn
corona virus btn
Loading