ଆରମ୍ଭ ହେଲା ବଜେଟ ଅଧିବେଶନ; ଏଥର ବଜେଟରେ ଟିକସ ଭାରକୁ ନେଇ ଚର୍ଚ୍ଚା

ସଂସଦରେ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ। ଏହି ବଜେଟରେ କେନ୍ଦ୍ର ସରକାର ଅନେକ ଦିଗକୁ ପ୍ରାଥମିକତା ଦେବା ସମ୍ଭାବନା ରହିଛି।

ଆରମ୍ଭ ହେଲା ବଜେଟ ଅଧିବେଶନ

ଆରମ୍ଭ ହେଲା ବଜେଟ ଅଧିବେଶନ

  • Share this:
News18 Odia Digital

ଭୁବନେଶ୍ବର: ସଂସଦରେ ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଡିପାର୍ଟମେଂଟ ଅଫ ଇକୋନମିକ ଆଫେୟାର୍ସ ଦ୍ୱାରା ପ୍ରସ୍ତୁତ ୨୦୨୧-୨୨ ଆର୍ଥିକ ସମୀକ୍ଷା ରିପୋର୍ଟ ଆଜି ଉପସ୍ଥାପିତ ହୋଇଛି। ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ।

ସଂସଦରେ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ। ଏହି ବଜେଟରେ କେନ୍ଦ୍ର ସରକାର ଅନେକ ଦିଗକୁ ପ୍ରାଥମିକତା ଦେବା ସମ୍ଭାବନା ରହିଛି। ସେ ଭିତରେ ରହିଛି ଟିକସ ସ୍ଲାବରେ ପରିବର୍ତ୍ତନ। ଆଶା କରାଯାଉଛି ଯେ, ଯଦିଓ କେନ୍ଦ୍ର ସରକାର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଭିନ୍ନ ଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ଉପରେ ପ୍ରାଥମିକତା ଦେଇପାରନ୍ତି, ସେଭଳି ସମୟରେ ମଧ୍ୟ ଟ୍ୟାକ୍ସ ବ୍ୟବସ୍ଥାରେ ମଧ୍ୟମ ଆୟକାରୀଙ୍କ ଉପରେ ଟିକସ ବୋଝ ନ ଲଦିବା କଥା ମଧ୍ୟ ଚିନ୍ତା କରିପାରନ୍ତି।

ଏ ଦୃଷ୍ଟିକୋଣରୁ ଏଥର କେନ୍ଦ୍ରୀୟ ବଜେଟରେ ଟିକସଦାତାଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିପାରନ୍ତି କେନ୍ଦ୍ର ସରକାର ବୋଲି କୁହାଯାଉଛି।

ପ୍ରତିବର୍ଷ ଫେବୃୟାରୀ ପହିଲାରେ ଆଗତ ହେବାକୁ ଥିବା କେନ୍ଦ୍ର ବଜେଟ ଉପରେ ବିଭିନ୍ନ ବର୍ଗର ଲୋକଙ୍କର ଥାଏ ଆଶା ଓ ଭରସା । କେନ୍ଦ୍ର ବଜେଟରେ ଯେଉଁ ପ୍ରସଙ୍ଗ ଉପରେ କିଛି ନିର୍ଦିଷ୍ଟ ଲୋକଙ୍କର ଅପେକ୍ଷା ଥାଏ ତାହା ହେଉଛି ଟ୍ୟାକ୍ସ ବା ଟିକସ ବ୍ୟବସ୍ଥା।

ବିଶେଷ କରି ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବ୍ୟବସାୟିକ ଶିଳ୍ପ ତଥା କାରବାର ଉପରେ ଟ୍ୟାକ୍ସ ସ୍ଲାବ କ'ଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ସତ୍ୟ ପ୍ରସାଦ ମହାପାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଭାବେ କାର୍ଯ୍ୟ କରନ୍ତି। ଆସନ୍ତା ଫେବ୍ରୁଆରୀ ପହିଲାରେ ଆଗତ ହେବାକୁ ଯାଉଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରୁ ସେ ଅନେକ କିଛି ଆଶା ରଖିଥିବା କହନ୍ତି। ସତ୍ୟ ପ୍ରସାଦ କହିଛନ୍ତି ଯେ କେନ୍ଦ୍ରୀୟ ବଜେଟରେ ତାଙ୍କର ବିଶେଷ ଆଗ୍ରହ ଟିକସକୁ ନେଇ। ଟିକସ ସ୍ଲାବକୁ କମ କରାଯିବା ଉଚିତ୍ ବୋଲି ସେ କହନ୍ତି। ସେହିଭଳି ସରକାରୀ କାର୍ଯ୍ୟରୁ ଅବସର ନେଇଥିବା କିଶୋର ଚନ୍ଦ୍ର ମଧ୍ୟ ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ବ୍ୟବସ୍ଥାରେ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମତ ରଖନ୍ତି।

ସୂଚନା ଅନୁସାରେ କୋଭିଡ ମହାମାରୀର ସ୍ଥିତି ମଧ୍ୟରେ ବି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟରେ ଟିକସ ବ୍ୟବସ୍ଥାରେ ବିଭିନ୍ନ ବର୍ଗର ଲୋକଙ୍କୁ ଖୁସି କରିବାକୁ ପ୍ରୟାସ କରିଥିଲେ କେନ୍ଦ୍ର ସରକାର।

ସେହିପରି କିଛି ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଓ ତା' ପୂର୍ବରୁ ଆୟକର ଟ୍ୟାକ୍ସ ସ୍ଲାବକୁ ବିଭାଗୀକରଣ କରିଥିଲେ କେନ୍ଦ୍ର ସରକାର। ଲୋକଙ୍କୁ ଖୁସି କରିବାକୁ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ଆୟ ଟିକସ ପରିସରଭୁକ୍ତ ହୋଇନଥିଲା । ସେହିଭଳି ଅଢ଼େଇ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ୫% ଟ୍ୟାକ୍ସ ସ୍ଲାବ ଭୁକ୍ତ କରାଯାଇଥିଲା। ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ସର୍ବନିମ୍ନ ୧୨, ୫୦୦ ଟଙ୍କା ୫ ଲକ୍ଷ ରୁ ଅଧିକ ଆୟର ୨୦ ପ୍ରତିଶତ ଟ୍ୟାକ୍ସ ଭୁକ୍ତ କରାଯାଇଥିଲା।

ତେବେ ୧୦ ଲକ୍ଷରୁ ଅଧିକ ଆୟକାରୀଙ୍କ ପାଇଁ ସର୍ବନିମ୍ନ ୧ ଲକ୍ଷ ୧୨ ହଜାର ୫୦୦ ଅତିରିକ୍ତ ଟ୍ୟାକ୍ସ ଦେବାକୁ ବ୍ୟବସ୍ଥା ହୋଇଥିଲା। କୋଭିଡ ମହାମାରୀ କାରଣରୁ ଏଥର ଅଧିକ ସମ୍ବଳ ସୃଷ୍ଟି ଉପରେ ସରକାର ଗୁରୁତ୍ୱ ରଖି ପାରନ୍ତି। ସେ କାରଣରୁ ଅଧିକ କ୍ଷେତ୍ର ଟିକସ ପରିସରଭୁକ୍ତ କରିପାରନ୍ତି। କିନ୍ତୁ ମଧ୍ୟମ ଆୟକାରୀ ବର୍ଗଙ୍କ ଉପରେ ଟ୍ୟାକ୍ସ ଭାର ନବଢ଼ିବା ପାଇଁ ଚିନ୍ତା କରିପାରନ୍ତି ସରକାର। ତେବେ ସମ୍ବଳ ସୃଷ୍ଟିକୁ ଗୁରୁତ୍ବ ଦେଉଥିବାରୁ ଅଧିକ ଆୟକାରୀଙ୍କ ଉପରେ କିଛିଟା ଆର୍ଥିକ ବୋଝ ରଖିପାରନ୍ତି ସରକାର। କର୍ପୋରେଟ ଟ୍ୟାକ୍ସ ଉପରେ ସରକାର କିଛିଟା ବୋଝ ଲଦି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମୋଟ ଉପରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକସ କ୍ଷେତ୍ରରେ ସନ୍ତୁଷ୍ଟ ଉଦ୍ୟମ ସହିତ ଅନ୍ୟ କିଛି କ୍ଷେତ୍ରରୁ ଆୟ ପାଇଁ ସରକାର ସ୍ୱତନ୍ତ୍ର ଉଦ୍ୟମ କରିପାରନ୍ତି ବୋଲି ଏକ୍ସପର୍ଟଙ୍କ ମତ। ଏକ୍ସପର୍ଟଙ୍କ ମତରେ ଆଗକୁ କିଛି ରାଜ୍ୟରେ ନିର୍ବାଚନ ଥିବାରୁ ତାହା ଉପରେ ସ୍ୱତନ୍ତ୍ର ଧ୍ୟାନ ବଜେଟରେ ପ୍ରତିଫଳିତ ହୋଇପାରେ।
Published by:Lipina Das
First published: