News189 Odia Digital
ଭୁବନେଶ୍ବର: ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ। ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର। ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସେ।
ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ, ଡ଼େରାବିଶ ବ୍ଲକର ୫୩ ବର୍ଷୀୟ ନିରଞ୍ଜନ ସାହୁ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି। ପରିବାର କହିଲେ, ତାଙ୍କ ପତ୍ନୀ ଏବଂ ଗୋଟେ ଝିଅ। କିଛି ମାସ ପୂର୍ବରୁ ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ।
ସେଠାରେ କିଛି ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ତାଙ୍କର ଅନେକ ପଇସା ଖର୍ଚ୍ଚ ହୋଇଯାଇଥିଲା। ନିରଞ୍ଜନ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପରିବାରସଦସ୍ୟ ଅସମର୍ଥ ଥିଲେ। ଆଉ ଅସହାୟ ହୋଇ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।
ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ରଶ୍ମି ରଞ୍ଜନ ପ୍ରଧାନ ତାଙ୍କୁ ସମ୍ ହସ୍ପିଟାଲକୁ ଆସିବାରେ ସାହାଯ୍ୟ କରିଥିଲେ ଏବଂ ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡ଼ିଥିଲା ଯେ, ତାଙ୍କ ଖାଦ୍ୟନଳୀରେ ଏକ ମାଂସ ବଢ଼ିଥିଲା ଏବଂ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାର ସମୟରେ ତାଙ୍କ ହିମୋଗ୍ଲୋବିନ୍ ସ୍ତର ହ୍ରାସ ପାଇବାରୁ ଜରୁରୀ ରକ୍ତର ଆବଶ୍ୟକତା ମଧ୍ୟ ଥିଲା।
ଓଡ଼ିଶା-ମୋ ପରିବାର ପକ୍ଷରୁ ତାଙ୍କୁ ୩ ୟୁନିଟ୍ ରକ୍ତ ମଧ୍ୟ ଯୋଗାଇ ଦିଆଯାଇଥିଲା। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ବହନ କରାଇବା ପାଇଁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସଂଯୋଜନା କରିଥିଲେ। ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିଲା।
ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ଘରକୁ ଫେରିବା ପାଇଁ ଅସମର୍ଥ ଥିଲେ ସେ। ଏ ସମ୍ପର୍କରେ ସ୍ଥାନୀୟ ବିଧାୟିକା ସାବିତ୍ରୀ ଅଗ୍ରୱାଲା ଖବର ପାଇବା ପରେ ସେ ନିରଞ୍ଜନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଘରକୁ ଫେରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।
ଏ ସମସ୍ତ ପ୍ରକ୍ରିୟାକୁ ଉଭୟ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ, ରଶ୍ମି ରଞ୍ଜନ ପ୍ରଧାନ ଓ ଆଲୋକ ସାହୁ ସଂଯୋଜନା କରିଥିଲେ। ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ବିଧାୟିକାଙ୍କ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲାଙ୍କ ସମେତ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଦୀପକ ମହାପାତ୍ର ଏବଂ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।