News18 Odia Digital
ବାଲେଶ୍ବର: ବୃଦ୍ଧି ପାଉଛି ସୀମାରେ ଧଳା ଜହର ବଢୁଛି କାରବାର । ପଶ୍ଚିମ ବଙ୍ଗରୁ ସିଧା ଆଣି ଜଳେଶ୍ବରରୁ ସାରା ରାଜ୍ୟକୁ ହେଉଛି ବ୍ରାଉନସୁଗାର ଚୋରା ଚାଲାଣ । ବେପାରୀଙ୍କୁ ଧରୁଛି ପୋଲିସ ଓ ଅବକାରୀ ବିଭାଗ ହେଲେ ମୁଖ୍ୟ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଆସୁଛି । ତେବେ ଚଳିତ ବର୍ଷ ସାତ କିଲୋରୁ ଅଧିକ ବ୍ରାଉନ ସୁଗର ଜବତ ସତ୍ତ୍ବେ ଲାଗିପାରୁନି ଏହି କାରବାରେର ବ୍ରେକ୍ ।
ମଙ୍ଗଳବାର ସକାଳ ସମୟରେ ପୋଲିସ ଓ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ ପରେ ଧରାପଡ଼ିଛନ୍ତି ତିନି ଜଣ ବ୍ରାଉନ ସୁଗାରର ବେପାରୀ, ଆଉ ସେମାନଙ୍କ ନିକଟରୁ ୨ କେଜି ୬୭୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।
ଜଳେଶ୍ବର ଝାଡ଼େଶ୍ବରପୁର ଅଞ୍ଚଳର ଡାଇମଣ୍ଡ ହୋଟେଲ ନାମକ ଏକ ଘରୋଇ ହୋଟେଲ ସମ୍ମୁଖରୁ ମୁକ୍ତାର ଅଲ୍ଲୀ ଖାଁ ନାମକ ଧଳା ଜହର ବେପାରୀକୁ ଗିରଫ କରିଥିଲା ଅବକାରୀ ବିଭାଗ । ତେବେ ଏହି ଗିରଫ ସମୟରେ ମୁକ୍ତାର ନିକଟରୁ ମିଳିଥିଲା ବ୍ରାଉନ ସୁଗାର ପ୍ୟାକେଟ ଯାହାର ଓଜନ ଦେଢ଼ କେଜି ହେବା ସହ ଏହାର ଅନ୍ତରାଷ୍ଟ୍ରୀୟ ବଜାରରେ ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ବୋଲି ଜଣାପଡ଼ିଛି ।

ସୀମାରେ ବଢୁଛି ଧଳା ଜହର କାରବାର
ସେହିପରି ଜଳେଶ୍ବର ପୋଲିସ ଦୁଇ ମହିଳାଙ୍କୁ ଜଳେଶ୍ବର ରାଜପୁର ଅଞ୍ଚଳରୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧,୧୭୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଗିରଫ ଦୁଇ ମହିଳା ହେଲେ ରୁକସାନା ବିବି ଓ ଜ୍ୟୋତ୍ସ୍ନା ମୁର୍ମୁ । ତେବେ ମୋଟ ଜବତ ପରିମାଣ ଦେଖିଲେ ପ୍ରାୟ ଅଢ଼େଇ କୋଟିରୁ ଅଧିକ ତାଙ୍କର ବ୍ରାଉନ ସୁଗାର ହେବ ବୋଲି ଜଣା ପଡ଼ିଛି ।
ଜଳେଶ୍ଵସର ଅବକାରୀ ସବ ଇନ୍ସପେକ୍ଟର ଜଗନ୍ନାଥ ବେହେରା କହିଥିଲେ, ‘‘ଆଜି ଆମେ ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ପୋଲିସର ସାହାଯ୍ୟରେ ଚଢ଼ାଉ କରି ମୁକ୍ତାର ଅଲ୍ଲୀକୁ ଗିରଫ କରିବା ସହିତ ଏକ ଦେଢ଼ କେଜି ବ୍ରାଉନ ସୁଗାର ଜବତ କରିଛୁ। ଏହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ । ସେହି ପରି ୧୦୦/୨୧-୨୨ରେ ଅବକାରୀ ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।"
ସେପଟେ ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ୪୮ଟି NDPS କେସ କରାଯିବା ସହିତ ୭.୩୪ କେଜି ବ୍ରାଉନ ସୁଗର ଜବତ କରାଯାଇଛି ସେହି ପରି ୮୭ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ବଡ଼ କଥା ହେଲା କେବଳ ଜଳେଶ୍ବର ଅଞ୍ଚଳରୁ ୫. ୨୬ ଗକେଜି ବ୍ରାଉନ ସୁଗାର ଜବତ ସହିତ ୩୮ ଜଣଙ୍କୁ ଗିରଫ କରିବାରେ ତଦନ୍ତକାରୀ ଦଳ ସଫଳ ହୋଇଛନ୍ତି ।
କାହିଁକି ଏହି ବେପାରରେ ରୋକ ଲାଗିପାରୁନି ତାକୁ ନେଇ ଲୋକେ ଉଠାଇଛନ୍ତି ପ୍ରଶ୍ନ । ସୀମାରେ କାରବାର ବଢୁଥିବା ବେଳେ ପୋଲିସ ସେତିକି ସକ୍ରିୟ ହେଉନଥିବା ଅଭିଯୋଗ ହୋଇଛି । ସେହି ପରି ଅବକାରୀ ବିଭାଗ ନିକଟରେ ଷ୍ଟାଫ ଅଭାବ ମଧ୍ୟ ଆଉ ଏକ କାରଣ ବୋଲି କୁହାଯାଉଛି ।
ଡେପୁଟି କମିଶନର ଅବକାରୀ ବିଭାଗର ଅଶୋକ କୁମାର ଶତପଥି କହିଛନ୍ତି, ‘‘ଆମ ନିକଟରେ ୨୦ ଜଣ ଷ୍ଟାଫ ଅଛନ୍ତି । ସେମାନଙ୍କୁ ନେଇ ଆମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରୁଛୁ। ଜଳେଶ୍ବର ପଶ୍ଚିମ ବଙ୍ଗର ସୀମାବର୍ତ୍ତି ଅଞ୍ଚଳ ହୋଇଥିବାରୁ ଏଠାକୁ ସୁବିଧାରେ ପଶ୍ଚିମ ବଙ୍ଗରୁ ନିଶା ଦ୍ରବ୍ୟ ଚାଲାଣ ହେଉଛି । ଚା' ପ୍ୟାକେଟ, ମସଲା ପ୍ୟାକେଟ, ମାଛ ଆଦି ବିଭିନ୍ନ ସାମଗ୍ରୀ ମଧ୍ୟରେ ବସ, ଟ୍ରେନ ଆଦି ଯାନରେ ପଶ୍ଚିମ ବଙ୍ଗରୁ ଆଣୁଥିବା ବେଳେ ଶୀଘ୍ର ଏହି ଚେନ ମୁଖ୍ୟକୁ ଧରାଯିବ ବୋଲି ଆଶା ରଖିଛୁ।"
ପୂର୍ବରୁ ପ୍ରାୟ ଏକ ବର୍ଷ ତଳେ ଜଳେଶ୍ବର ଥାନାର ତତ୍କାଳୀନ ଆଇଆଇସି ଧନେଶ୍ୱର ସାହୁ ବ୍ରାଉନ ସୁଗର ବେପାରୀ ଲିଙ୍କ କେଶରେ ଫେରାର ଥିବା ବେଳେ ଏଯାଏଁ ତାଙ୍କୁ ଠାବ କରିପାରୁନି ପୋଲିସ ବା ଭିଜିଲାନ୍ସ । ଏଣୁ କିଛି କର୍ମଚାରୀଙ୍କ ଏହି ବେପାରୀଙ୍କ ସହିତ ପରୋକ୍ଷରେ ଲିଙ୍କ ରହୁଥିବା ଏବେ ଚର୍ଚ୍ଚା ହେଉଛି ।
ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ କହିଛନ୍ତି, ‘‘ଅଧିକାରୀଙ୍କ ବେପାରୀ ସହିତ ସଂପୃକ୍ତିକୁ ଏଡ଼ାଇ ଦିଆ ନଯାଇପାରେ । ତେବେ ପୋଲିସ ବିଭାଗର ନିଷ୍କ୍ରିୟତା ପାଇଁ ଏହି କାରବାର ବଢ଼ିବାରେ ଲାଗିଛି। "
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।