କୋଲକାତାରୁ ଟ୍ରେନରେ ଓଡ଼ିଶା ଆସୁଛି ଧଳା ଜହର; ବ୍ରାଉନ ସୁଗାର ବେପାରୀ ଗିରଫ

ଗିରଫ ହୋଇଥିବା ବ୍ରାଉନ୍ ସୁଗାର ବେପାରୀ ଏସ.କେ. ସାଫିକୁଲ ଘର ପଶ୍ଚିମ ବଙ୍ଗ ମୁରସିଦାବାଦ ମିର୍ଜାପୁର ଅଞ୍ଚଳରେ । ସେ ଟ୍ରେନରେ ବ୍ରାଉନ ସୁଗାର ଆଣିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

କୋଲକାତାରୁ ଟ୍ରେନରେ ଓଡ଼ିଶା ଆସୁଛି ଧଳା ଜହର

କୋଲକାତାରୁ ଟ୍ରେନରେ ଓଡ଼ିଶା ଆସୁଛି ଧଳା ଜହର

  • Share this:
News18 Odia Digital

ଭୁବନେଶ୍ବର: ଗୁରୁବାର କଟକ ଜିଲ୍ଲା ଟାଙ୍ଗି ବସଷ୍ଟାଣ୍ଡ ନିକଟରୁ ୧ କେଜି ୪୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା କ୍ରାଇମ୍ ବ୍ରାଞ୍ଚ ଏସ.ଟି.ଏଫ୍ । ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ବ୍ରାଉନ ସୁଗାର ଚୋରା ଚାଲାଣ କରିବା ଅଭିଯୋଗରରେ ପଶ୍ଚିମ ବଙ୍ଗର ବ୍ରାଉନ ସୁଗାର ମାଫିଆ ଏସ.କେ ସାଫିକୁଲ (୩୭)କୁ ଗିରଫ କରି କୋର୍ଟ ଚାଲାଣ କରିଛି ତଦନ୍ତକାରୀ ଟିମ୍ ।

ସାଫିକୁଲ ଘର ପଶ୍ଚିମ ବଙ୍ଗ ମୁରସିଦାବାଦ ମିର୍ଜାପୁର ଅଞ୍ଚଳରେ । ସେ ଟ୍ରେନରେ ବ୍ରାଉନ ସୁଗାର ଆଣିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ପରେ ବସକୁ ଅପେକ୍ଷା କରିଥିବା ବେଳେ ସାଫିକୁଲକୁ ଗିରଫ କରିଥିଲା ଏସ.ଟି.ଏଫ୍ । ଗିରଫ ପରେ ତା ପାଖରୁ ଆଧାରକାର୍ଡ଼, ବ୍ୟାଗ ଓ ମୋବାଇଲ ଫୋନ୍ ଜବତ ହୋଇଛି ।

“ଆମେ ବିଶେଷ ସୁତ୍ରରୁ ଖବର ପାଇଁ ବାଙ୍କି ବସ ଷ୍ଟାଣ୍ଡ ନିକଟରେ ଛକି ବସିଥିଲୁ । ସାଫିକୁଲ ବ୍ରାଉନ ସୁଗାର ନେଇ ବସଷ୍ଟାଣ୍ଡକୁ ଆସିବା ପରେ ତାକୁ ଆମେ ଗିରଫ କରିଛୁ । ତା' ପାଖରୁ ଜବତ ହୋଇଥିବା ବ୍ରାଉନସୁଗର ମୂଲ୍ୟ ଏକ କୋଟିରୁ ଅଧିକ ହେବ ବୋଲି ଜଣା ପଡ଼ିଛି । ସେ ୱେଷ୍ଟ ବେଙ୍ଗଲ ମୁରସିଦାବାଦର ଲାଲଗୁଲାରୁ ବ୍ରାଉନ ସୁଗାର ଆଣିଥିବା ଜଣା ପଡ଼ିଛି । ତେବେ କାହାକୁ ଦେବାକୁ ଆଣିଥିଲା ତାହା ସ୍ପଷ୍ଟ ହୋଇ ନଥିବା,’’ କହିଥିଲେ ଏସ.ଟି.ଏଫ୍ ଏସ.ପି ତେଜରାଜ ପଟେଲ ।

ବ୍ରାଉନ ସୁଗାର ବେପାରୀ ଗିରଫ


ରାଜ୍ୟ ବାହାର ଅପରାଧିମାନେ ପୂର୍ବରୁ ଏଜେଣ୍ଟ ଜରିଆରେ ଜଲେଶ୍ୱରରୁ ରାଜ୍ୟ ବାହାରକୁ ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିଲେ । କିଛି ଦିନ ହେବ ଲଗାତର ଭାବେ ଜଳେଶ୍ୱର ଓ ବାଲେଶ୍ୱର ଅଞ୍ଚଳରେ ଚଢ଼ାଉ ପରେ ପଶ୍ଚିମ ବଙ୍ଗରୁ ସିଧା ସଳଖ ଭାବେ କଟକ ଭୁବନେଶ୍ୱରରୁ ବ୍ରାଉନ ସୁଗାର ଆସୁଥିବା ଦେଖିବାକୁ ମିଳୁଛି।

ଏସ.ଟି.ଏଫ୍ ଏସ.ପି ପଟେଲ ଆହୁରି କହିଥିଲେ, ‘‘ଅଭିଯୁକ୍ତ ମୋବାଇଲ ଫୋନକୁ ନେଇ ଏବେ ତଦନ୍ତ ଚାଲିଛି । ସେ କାହା ପାଖକୁ ଏତେ ପରିମାଣର ବ୍ରାଉନ ସୁଗାର ଆଣୁଥିଲା ? ପୂର୍ବରୁ କେବେ ବ୍ରାଉନ ସୁଗାର ଆଣିଥିଲା କି ନାହିଁ ? ଏସବୁ ଦିଗକୁ ନେଇ ଏବେ ତଦନ୍ତ ଚାଲିଛି । ଆବଶ୍ୟକ ପଡ଼ିଲେ ଟିମ୍ କୋଲକାତା ଯିବ। ପୂର୍ବରୁ ମଧ୍ୟ ଟିମ୍ କୋଲକାତା ଯାଇଥିଲା । ତେଣୁ କୋଲକାତା ପୋଲିସ ସହ ଆମେ ଯୋଗାଯୋଗରେ ରହିଛୁ । ଓଡ଼ିଶା ଓ କୋଲକାତା ବୋର୍ଡର ଏରିଆ ଉପରେ ଏବେ କଡ଼ା ନଜର ରଖାଯାଇଛି।’’

୨୦୨୦ରୁ ନେଇ ଏ ପର୍ଯ୍ୟନ୍ତ ଏସ.ଟି.ଏଫ୍. ୪୨ କିଲୋ ବ୍ରାଉନ ସୁଗାର ଜବତ କରିସାରିଛି । ଗିରଫ ହୋଇଛନ୍ତି ଶହେରୁ ଅଧିକ ବ୍ରାଉନ ସୁଗାର ମାଫିଆ । ଆଗକୁ ଏହି ଅଭିଯାନ ଜୋରଦାର କରାଯିବ ବୋଲି ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି । ସେ ପଟେ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ସାଫିକୁଲର ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରିଛି ଏସ.ଟି.ଏଫ୍. ।

ଅବସରପ୍ରାପ୍ତ ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ କହିଥିଲେ, “ଏସ.ଟି.ଏଫ୍. ଏବେ ବ୍ରାଉନ ସୁଗାର ବେପାରୀଙ୍କୁ ଧରିବାରେ ଭଲ କାମ କରୁଛି । ହେଲେ ଏମାନଙ୍କ ପଛରେ କିଛି ପୋଲିସ ଓ ବଡ଼ ବଡ଼ିଆ ଲୋକଙ୍କ ହାତ ରହିଛି । ଯାହା ଫଳରେ ରାଜ୍ୟରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଛି । ତେଣୁ ଛୋଟ ଛୋଟ ପେଡଲର ସାଙ୍ଗକୁ ସେମାନଙ୍କ ଲିଙ୍କ କେଉଁ ଯାଏଁ ଲମ୍ବଛି, ସେ ଦିଗରେ ତଦନ୍ତ କରିଲେ, ରାଜ୍ୟରୁ ବ୍ରାଉନ ସୁଗାର କାରବାର ରୋକିବାରେ ସମ୍ଭବ ହେବ।’’

ସୁଚନା ଅନୁସାରେ ରାଜ୍ୟରେ ବ୍ରାଉନ ସୁଗାର କାରବାର ବୃଦ୍ଧ ପାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏହାର ପେଣ୍ଠସ୍ଥଳି ପାଲଟିଛି । କ୍ରାଇମ୍ ବ୍ରାଞ୍ଚ୍ ଏସ.ଟି.ଏଫ୍. ଦେଢ଼ ବର୍ଷ ମଧ୍ୟରେ ୪୨ କିଲୋ ବ୍ରାଉନ ସୁଗାର ଜବତ କରିଥିବା ବେଳେ କମିଶନରେଟ ପୋଲିସ ୧୦ କିଲୋରୁ ଅଧିକ ବ୍ରାଉନ ସୁଗର ଜବତ କରିସାରିଲାଣି ।
Published by:Lipina Das
First published: