ପୋଲିସ ଆଗରେ ଭାଇକୁ ହାଣିଲା ଭାଇ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଅପରାଧୀମାନେ ପୋଲିସକୁ ଆଉ ଖାତିର କରୁନାହାଁନ୍ତି । ପୋଲିସକୁ ଧକ୍କା ମାରି, ପୋଲିସ ଆଖି ଆଗରେ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ପଛାଉନାହାନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ। ନିଜକୁ ମହାବଳଶାଳୀ ବୋଲାଉଥିବା କମିଶନରେଟ ପୋଲିସକୁ ଧକ୍କା ମାରି ଦୃବୁର୍ତ୍ତ ବିଚ ବଜାରରେ ଆକ୍ରମଣ କରିଚାଲିଥିଲା। ଯାହାକୁ ନେଇ କମିଶନରେଟ ପୋଲିସର ପାରିବାପାଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
"ଜମିବାଡ଼ିକୁ କେନ୍ଦ୍ରକରି ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଅଞ୍ଚଳରେ ଥିବା ବଡୁ ସାହିର ଦୀପ୍ତିକାନ୍ତ ବଡୁ ଓ ତାଙ୍କ ପରିବାର ମଧ୍ୟରେ ବିବାଦ ୨୦୦୭ ମସିହାରୁ ଲାଗି ରହିଛି । ପୂର୍ବରୁ ବହୁବାର ପୋଲିସ ସମାଧାନ କରିଛି । ବୁଧବାର ଦିନ ପ୍ରାୟ ୨ଟା ସମୟରେ ଦୀପ୍ତିକାନ୍ତ ସମ୍ପତ୍ତି ଉପରେ ତାଲା ପକାଇ ଦେଇଥିଲା । ଏ ଖବର ପାଇବା ପରେ ତାଙ୍କ ଭାଇ କମଳାକାନ୍ତ ଓ ଚନ୍ଦ୍ରକାନ୍ତ ବଡୁ ପହଞ୍ଚି ତାଲା ବଦଳାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ପରସ୍ପର ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ପିସିଆର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଦୀପ୍ତିକାନ୍ତ ଏକ କାତି ସାହାଯ୍ୟରେ ଆକ୍ରମଣ କରିଥିଲା। ପୋଲିସ ଅଟକାଇବାରୁ ପୋଲିସ କନେଷ୍ଟବଳକୁ ଧକା ମାରିଥିଲା ଦୀପ୍ତିକାନ୍ତ । ଆକ୍ରମଣ ଓ ପ୍ରତି ଆକ୍ରମଣରେ ସମସ୍ତେ ଆହତ ହୋଇଥିଲେ । ଅଭିଯୁକ୍ତ ଦୀପ୍ତିକାନ୍ତ ମଧ୍ୟ ଆହତ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ହେବାପରେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି,"କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
ରାସ୍ତା ମଝିରେ ଏଭଳି ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରିଥିଲେ ସ୍ଥାନୀୟ ଲୋକେ। ଜଣେ ମହିଳା ମଧ୍ୟ ଦୀପ୍ତିକାନ୍ତକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ମହିଳାଙ୍କୁ ମଧ୍ୟ ସେ ଧକା ଦେଇ ଆକ୍ରମଣ କରି ଚାଲିଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।