News18 Odia Digital
ଭୁବନେଶ୍ୱର: ନିଜ ଦୁଃଖ ଅପେକ୍ଷା ବଳିପଡ଼ିଲା ଗାଁର ଦୁଃଖ। ଦାରିଦ୍ର୍ୟର କଷଣ ସତ୍ତ୍ବେ ଗାଁର ଦୁଃଖ ଦୂର ପାଇଁ ବୃତ୍ତି ଛାଡ଼ି ସ୍ତ୍ରୀଙ୍କ ସୁନା ବନ୍ଧକ ଦେଇ ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ଓ ୪ କିମି ରାସ୍ତା ନିର୍ମାଣ କରି ଉଦାହରଣ ପାଲଟିଲେ ରଞ୍ଜିତ ନାୟକ।
କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମରେ ବସବାସ ୧୨୦ ପରିବାର ବସବାସ କରୁଛନ୍ତି। ଗାଁକୁ ଲାଗି ରହିଛି ବିଛଳା ନଦୀ। ନଦୀରେ ପୋଲ ନଥିବା ଯୋଗୁଁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ। ବିଶେଷ କରି ବର୍ଷା ଦିନେଗାଁ ବାହାରକୁ ଯିବା ଏକ ପ୍ରକାର ଠପ ହୋଇଯାଉଥିଲା। ବହୁ ଅନୁରୋଧ ପରେ ପ୍ରଶାସନ ପୋଲ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଥିଲା। ପୋଲ ନିର୍ମାଣ ମଧ୍ୟ ହେଲା। ହେଲେ ଅଧ ପନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ଗ୍ରାମବାସୀଙ୍କ ଦୁଃଖ ବଢିବାରେ ଲାଗିଛି।
ଏସବୁ ପରିସ୍ଥିତି ଦେଖି ପୋଲ ତିଆରି କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମର ଜଣେ ବ୍ୟକ୍ତି ରଞ୍ଜିତ। ସେ ବୃତ୍ତିରେ ଜଣେ ଡ୍ରାଇଭର। ନଦୀର ୩ଟି ସ୍ଥାନରେ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ରଞ୍ଜିତ ଯୋଜନା କରି ବାପାଙ୍କ ସହଯୋଗରେ ବାଉଁଶ ଓ କାଠ ସଂଗ୍ରହ ଆରମ୍ଭ କରିଥିଲେ। ଆବଶ୍ୟକ କାଠ ଓ ବାଉଁଶ ନ ମିଳିବାରୁ ନିଜ ପତ୍ନୀଙ୍କ ସୁନାକୁ ବନ୍ଧକ ଦେଇ ୭୦ ହଜାର ଟଙ୍କାର କାଠ ଓ ବାଉଁଶ କିଣିଥିଲେ। ଏହାପରେ ବାପା, ପୁଅ ମିଶି ନଦୀ ଉପରେ ଆରମ୍ଭ କରିଥିଲେ ପୋଲ ନିର୍ମାଣ।
ରଞ୍ଜିତଙ୍କୁ ଏହି ପୋଲ ନିର୍ମାଣ କରିବା ପାଇଁ ପ୍ରାୟ ୩ମାସ ଲାଗିଥିଲା। ଏଥିପାଇଁ ତାଙ୍କୁ ତାଙ୍କ କାମ ବି ହାତ ଛଡ଼ା କରିବାକୁ ପଡିଥିଲା। ହାତରେ କୋଡ଼ି, କୋଦାଳ ଧରି ପାହାଡିଆ ରାସ୍ତାକୁ ସମତୁଲ୍ କରିବା ପରେ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ସହ ଯୋଡ଼ି ହୋଇଛି ରାୟଗଡ଼ା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।