News18 Odia Digital
କଟକ: ଝିଅର ବାହା ଘର। ସଜେଇ ହୋଇଛି ଝିଅ। କେତେ ଇଚ୍ଛା ଥିଲା ବରଯାତ୍ରୀ ଆସିବେ, ବାଜା ବାଜିବ। ବାଣ ଫୁଠିବ। ଦୁଆରେ ନାଚିବେ ବରଯାତ୍ରୀ। କିନ୍ତୁ ବନ୍ୟା ସାଜିଲା ବାଧକ। ଗାଁରେ ପଶିଲା ପାଣି। ବୁଡିଗଲା ରାସ୍ତା ଘାଟ। ଶେଷରେ ବୋଟରେ ବାହାରିଲା କନ୍ୟା। ସଜେଇ ହୋଇ କନ୍ୟା ଯାଇଛି ବୋଟରେ। ଅଗ୍ନିଶମ ଟିମ୍, ଓଡରଫ ଟିମ୍ ଏହି କନ୍ୟାକୁ ରାସ୍ତା ଉପରକୁ ନେଉଛନ୍ତି।
ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହିତ ସଚେତନ ନାଗରିକ ଲୋକଙ୍କୁ ପାର କରୁଛନ୍ତି। କନ୍ୟା ଡମପଡ଼ା ବ୍ଲକର ପାଥ ପୁର ପଞ୍ଚାୟତର କଇଁ ମୁଣ୍ଡି ଗ୍ରାମର ମନ୍ଦାକିନୀ ଧର। ମନ୍ଦାକିନୀଙ୍କ ବାପା ଶ୍ରୀଧର ଧରଙ୍କ ବିୟୋଗ ହୋଇ ଯାଇଛି। ମା' ଜାନକୀ ଧର ଆଜି ଝିଅକୁ ବିଦା କରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେପଟେ ଜଗତସିଂହପୁରର ଗୋରଖନାଥ ମନ୍ଦିରରେ ଆଜି ବିବାହ ଅନୁଷ୍ଠିତ ହେଉଛି।
ଏ ନେଇ କନ୍ୟା ମନ୍ଦାକିନୀଙ୍କ ମା' ଜାନକୀ କହିଛନ୍ତି" ବହୁତ ଇଚ୍ଛା ଥିଲା ଝିଅର ବାହାଘର ଧୁମଧାମରେ ପାଳନ କରିବା ପାଇଁ। ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ହୋଇଥିଲା। କିନ୍ତୁ ବନ୍ୟା ପାଣି ସବୁ କିଛି ବନ୍ଦ କରିଦେଲା। ମୋର ଇଚ୍ଛାକୁ ମଧ୍ୟ ମାରିଦେଲା। ବର ମୋ ଦୁଆରକୁ ଆସିବା କଥା। ତାହା ମଧ୍ୟ ସମ୍ଭବ ହେଲାନି। ଏହା ବଡ଼ ଦୁଃଖର ବିଷୟ।"

ପାଲିଙ୍କି ସାଜିଲା ବୋଟ
ସେପଟେ ମୁଖ୍ୟ ଆଗ୍ନିକ ଦିବାକର ମଲିକ କହିଛନ୍ତି, "ଏ ଖବର ପାଇବା ମାତ୍ରେ ଆମେ ପହଞ୍ଚିଥିଲୁ କଇଁ ମୁଣ୍ଡି ଗ୍ରାମରେ। କନ୍ୟାକୁ ପ୍ରଥମେ ବୋଟରେ ବସାଇ ପାର କରିବା ପରେ ତା ପରେ ବନ୍ଧୁ ଓ ପରିଜନଙ୍କୁ ପାର କରାଇଲୁ। ଏହା ଆମ ପାଇଁ ଘଟଣା ବହୁଳ। କିନ୍ତୁ ଆନନ୍ଦର ବିଷୟ ମଧ୍ୟ। କନ୍ୟାକୁ ଭଲରେ ପାର କରାଇ ଆମେ ଆନନ୍ଦିତ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।