ଘର ବାରଣ୍ଡାରେ ଦୀପିକାଙ୍କ ରୋଷେଇ; ୫୦ ହଜାର ଯାଚିଲେ ଦିନେଶଙ୍କ ସାନ ଭାଇ

ଦିନେଶଙ୍କ ଘର ବାରଣ୍ଡାରେ ରୋଷେଇ କରିଲେ ଦୀପିକା । ଦୀପିକାଙ୍କ ସହ ଧାରଣାରେ ନ ବସିବାକୁ ଦିନେଶଙ୍କ ସାନ ଭାଇ ଦୀପିକାଙ୍କ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଯାଚିଲେ ।

ଘର ବାରଣ୍ଡାରେ ଦୀପିକାଙ୍କ ରୋଷେଇ; ୫୦ ହଜାର ଯାଚିଲେ ଦିନେଶଙ୍କ ସାନ ଭାଇ

ଘର ବାରଣ୍ଡାରେ ଦୀପିକାଙ୍କ ରୋଷେଇ; ୫୦ ହଜାର ଯାଚିଲେ ଦିନେଶଙ୍କ ସାନ ଭାଇ

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁର; ସ୍ତ୍ରୀର ହକ ଏବଂ ପୁଅକୁ ତା ବାପାର ପରିଚୟ ପ୍ରଦାନ ଦାବିରେ ୩୫ ଦିନ ହେବ ଧାରଣାରେ ବସିଛନ୍ତି ଦୀପିକା । ଗତକାଲିଠାରୁ ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ରୋଷଇ ଆରମ୍ଭ କରିଛନ୍ତି । ସେହିପରି ଆଜି ସକାଳେ ମଧ୍ୟ ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ରୋଷେଇ କରିବା ସହିତ ଖାଇଥିଲେ । ଯେତେଦିନ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେତେଦିନ ପର୍ଯ୍ୟନ୍ତ ଏଭଳି ରୋଷେଇ କରି ଦିନ ରାତି ଏକ କରି ଦିନେଶଙ୍କ ଘର ବାରଣ୍ଡାରେ ପଡ଼ି ରହିଥିବି ବୋଲି କହିଛନ୍ତି ଦୀପିକା ।



ସେପଟେ ୫୦ ହଜାର ଟଙ୍କା ନେଇ ଦୀପିକାଙ୍କ ସହ ଧାରଣାରେ ନ ବସିବା ପାଇଁ ଦିନେଶଙ୍କ ସାନ ଭାଇ କହିଥିବା ଅଭିଯୋଗ କରିଛନ୍ତି ଦୀପିକାଙ୍କ ସହଯୋଗୀ । ସେପଟେ ଆସନ୍ତା ୧୯ ତାରିଖରେ ମହିଳା କମିଶନ ନିକଟରେ ହାଜର ହୋଇ ଆପୋଷ ଆଲୋଚନା ପାଇଁ ଉଭୟ ପକ୍ଷକୁ କମିଶନ ପକ୍ଷରୁ ଚିଠି ହୋଇଛି ।

ବର୍ତ୍ତମାନ ସୁଦ୍ଧା କୌଣସି ନ୍ୟାୟ ମିଳିପାରିନାହିଁ । ଯେହେତୁ ଦିନ ରାତି ଧାରଣାରେ ବସିବାକୁ ପଡ଼ୁଥିଲା ସେଥିପାଇଁ ସେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ହୋଟେଲରୁ ଖାଦ୍ୟ ଆଣି ଖାଉଥିଲେ । ଯାହାଫଳରେ ବେଶ ଖର୍ଚ୍ଚାନ୍ତ ହେଉଥିଲେ । ଦୀପିକା ଧାରଣାରେ ବସିବା ପରେ ଦୀପିକାଙ୍କ ଦୋକାନ ବନ୍ଦହୋଇ ରହିଛି । ଯାହାଫଳରେ ଦୀପିକାଙ୍କ ଆର୍ଥକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତେଣୁ ଖର୍ଚ୍ଚାନ୍ତରୁ ବଞ୍ଚିବା ନିମନ୍ତେ ଏଭଳି ରୋଷେଇ ଆରମ୍ଭ କରିଛନ୍ତି ଦୀପିକା । ଆଜି ଦୀପିକା ଭାତ, ଟମାଟେ ଖଟା, କଟକି ଆଳୁ ପନିର୍‌ ଖୁରମା ରୋଷେଇ କରି ନିଜର ସହଯୋଗୀଙ୍କ ସହିତ ଦିନେଶଙ୍କ ଘର ବାରଣ୍ଡାରେ ଖାଇଥିଲେ ।  ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ରୋଷେଇ କରି ଧାରଣାରେ ବସିଥିବି ବୋଲି କହିଛନ୍ତି,‘‘ ଦୀପିକା ।

ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିବା ସମୟରୁ ହିଁ ତାଙ୍କୁ ସହଯୋଗ କରି ଆସୁଛନ୍ତି ତାଙ୍କ ଦୋକାନରେ ରହୁଥିବା କର୍ମଚାରୀ କୁନା ସେଠୀ । କୁନା ଆଜି ଅପରାହ୍ନ ସମୟରେ ବଜାରକୁ ଟମାଟୋ ଆଣି ଯିବା ସମୟରେ ତାଙ୍କୁ ତିନି ଜଣ ଯୁବକ ଅଟକାଇଥିଲେ । ‘‘୫୦ ହଜାର ଟଙ୍କା ନେଇ ଦୀପିକାଙ୍କୁ ଆଉ ସହଯୋଗ ନ କରିବା ନିମନ୍ତେ କୁନାଙ୍କୁ କହିଥିଲେ । କିନ୍ତୁ କୁନା ରୋକଠୋକ ମନା କରିବା ପରେ ତାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ଧମକ ଦେଇଛନ୍ତି । ତେବେ  ତିନି ଜଣ ଯୁବକ ମୁହଁରେ ମାସ୍କ ପିନ୍ଧିଥିବା ଯୋଗୁଁ ସେ ସଠିକ୍ ଭାବେ ସମସ୍ତଙ୍କୁ ଜାଣିପାରିନଥିଲେ । ତଥାପି ମଧ୍ୟ ତିନି ଜଣଙ୍କ ମଧ୍ୟରୁ ଜଣେ ଯୁବକ ଦିନେଶଙ୍କ ସାନ ଭାଇ ବୋଲି ଦାବି କରିଛନ୍ତି କୁନା । ଦିନ ରାତି ଏକ କରି ଦୀପିକା ଯେଉଁଭଳି ଭାବେ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଏଭଳି ଦୀପିକାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି,‘‘ ଦୀପିକାଙ୍କ ସହଯୋଗୀ କୁନା ।

ଆସନ୍ତା ୧୯ ତାରିଖରେ ମହିଳା କମିଶନଙ୍କ ନିକଟର ହାଜର ହେବା ନିମନ୍ତେ ଉଭୟ ପକ୍ଷଙ୍କୁ ହୋଇଛି ଚିଠି । ଘଟଣାକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ । ଉଭୟ ପକ୍ଷ ନିଜର ପକ୍ଷ ରଖିବେ ମହିଳା କମିଶନଙ୍କ ପାଖରେ । ତେଣୁ ଉଭୟ ପକ୍ଷ ମହିଳା କମିଶନଙ୍କ ନିକଟରେ ହାଜର ହେବା ସହିତ ଆପୋଷ ଆଲୋଚନା ମାଧ୍ୟମରେ ମାମଲା ସମାଧାନ ହୋଇପାରିବ ବୋଲି ଆଶାବାଦୀ ଅଛନ୍ତି,‘‘ ଦୀପିକାଙ୍କ ଓକିଲ ଅଶିତ ଶତପଥି ।

ଦୀପିକା ଓ ଦିନେଶ ପାରିବାରିକ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରିବର୍ତ୍ତେ ଦିନକୁ ଦିନ ଆହୁରି ଜଟିଳ ଆଡ଼କୁ ଗତି କରୁଛି । ତେଣୁ ଏଭଳି ପରିସ୍ଥିତିରେ ଆସନ୍ତା ୧୯ ତାରିଖରେ ମହିଳା କମିଶନଙ୍କ ଉଭୟ ପକ୍ଷକୁ ନେଇ ଆଲୋଚନା କେତେ ଫଳପ୍ରଦ ହେଉଛି ଏବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Published by:Soubhagya Mishra
First published: