ଆଜାଦ ହିନ୍ଦ ଫୌଜରେ କର୍ଣ୍ଣେଲ ଥିଲେ ବ୍ରଜମୋହନ; ଅବହେଳା ନେଇ ଦୁଃଖ କରୁଛନ୍ତି ପରିବାର ଲୋକ

ନେତାଜୀଙ୍କ ଭଳି ଦିଶୁଥିବା ବ୍ରଜମୋହନ ଥିଲେ ସୁଭାଷ ବୋଷଙ୍କର ପ୍ରିୟପାତ୍ର। ନେତାଜୀଙ୍କ ଆଜାଦ ହିନ୍ଦ ଫୌଜର କର୍ଣ୍ଣେଲ ଥିଲେ ପୁରୀର ବ୍ରଜମୋହନ ପଟ୍ଟନାୟକ ।

ଆଜାଦ ହିନ୍ଦ ଫୌଜରେ କର୍ଣ୍ଣେଲ ଥିଲେ ବ୍ରଜମୋହନ (ପ୍ରତୀକାତ୍ମକ ଛବି)

ଆଜାଦ ହିନ୍ଦ ଫୌଜରେ କର୍ଣ୍ଣେଲ ଥିଲେ ବ୍ରଜମୋହନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ନେତାଜୀଙ୍କ ସ୍ୱାଧୀନତା ସଂଗ୍ରାମର ଧାରାରେ ଅନୁପ୍ରାଣିତ ହୋଇ ଯେଉଁ କେତେଜଣ ଓଡ଼ିଆ ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ପୁରୀ ମାଟିର ସନ୍ତାନ କର୍ଣ୍ଣେଲ ସ୍ୱର୍ଗତ ବ୍ରଜମୋହନ ପଟ୍ଟନାୟକ। ନେତାଜୀଙ୍କ ଜୟନ୍ତୀ ଅବା ଆଜାଦ ହିନ୍ଦ ଫୌଜର ପୁରୀ ସଂପୃକ୍ତି କଥା ଆଲୋଚନା ହେଲେ ସର୍ବାଗ୍ରେ ମନେ ପଡ଼ନ୍ତି ବ୍ରଜମୋହନ। ଡେଲାଙ୍ଗର ଉଦୟପୁର ନିବାସୀ ବ୍ରଜମୋହନ ଆଜାଦ ହିନ୍ଦ ଫୌଜରେ ଥିଲେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।

"ନେତାଜୀଙ୍କ ଭଳି ଦିଶୁଥିବା ବ୍ରଜମୋହନ ଥିଲେ ସୁଭାଷ ବୋଷଙ୍କର ପ୍ରିୟପାତ୍ର। ପିଲାବେଳୁ ବ୍ରଜମୋହନ ଉଚ୍ଚାଭିଳାସୀ, ମେଧାବୀ ଓ ଉତ୍ସର୍ଗୀକୃତ ମନୋଭାବ ରଖୁଥିବା ବେଳେ ପାଟନା ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ପାଠ ଶେଷ କରି ବ୍ରିଟିଶ ସରକାରଙ୍କ ମିଲିଟାରୀ ବିଭାଗରେ ଡାକ୍ତର ପଦରେ ଯୋଗ ଦେଇଥିଲେ। ମାତ୍ର ନେତାଜୀଙ୍କ ସ୍ୱାଧୀନତା ସଂଗ୍ରାମ ଧାରାରେ ଅନୁପ୍ରାଣିତ ହୋଇ ଚାକିରି ଛାଡ଼ି ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜରେ କର୍ଣ୍ଣେଲ ଭାବେ ଯୋଗ ଦେଇଥିଲେ। ଡେଲାଙ୍ଗର ଉଦୟପୁର ନିବାସୀ ବ୍ରଜମୋହନ ନିଜ ଘର ସଂସାର ଛାଡ଼ି ଜାପାନର ରେଙ୍ଗୁନରେ ଅବସ୍ଥାନ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେ ସେଠାରୁ ନିଖୋଜ ହୋଇଯାଇଥିଲେ। ଅନେକ ଥର ବନ୍ଦୀ ମଧ୍ୟ ହୋଇଥିଲେ। ନେତାଜୀ ସୁଭାଷ ବୋଷ ନିଜର ଏକ ୧୫ ଜଣିଆ ଅସ୍ଥାୟୀ ମନ୍ତ୍ରୀ ମଣ୍ଡଳ ଗଢ଼ିଥିବା ବେଳେ ସେଥିରେ ବି ସେ ଶ୍ରମ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନେତାଜୀଙ୍କ ଅକାଳ ମୃତ୍ୟୁର ସାକ୍ଷୀ ଦେବା ପାଇଁ ମଧ୍ୟ ସେ ଯାଇଥିଲେ," କହିଛନ୍ତି ନେତାଜୀ ସ୍ମୃତି ସଂସଦ ଆବାହକ ଶିବ ପ୍ରସାଦ ମିଶ୍ର।

ରାମଚଣ୍ଡୀ ସାହିରେ ରହୁଥିବା ସ୍ୱର୍ଗତ ବ୍ରଜମୋହନଙ୍କ ବୋହୂ ଶର୍ମିଷ୍ଠା ପଟ୍ଟନାୟକଙ୍କ କହିଛନ୍ତି,"ଲାଲ୍ଲକିଲାରେ ବହୁ ଲୋକଙ୍କୁ ବ୍ରିଟିଶ ସରକାର ବନ୍ଦୀ କରି କରିବା ସହ ଗୁଳି କରି ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। ତେବେ ବ୍ରଜମୋହନ ପଟ୍ଟନାୟକ ଏ ସଂକ୍ରାନ୍ତରେ ଜବାହାରଲାଲ ନେହେରୁ ଓ ଅନ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମୁକୁଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ, ସେତେବେଳେ ଆଜାଦହିନ୍ଦ ଫୌଜରେ ଯୋଗ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପେନସନ କରାଇବାରେ ମଧ୍ୟ ତାଙ୍କର ଭୂମିକା ଥିଲା। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ପାଇଁ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ତାମ୍ରଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାତ୍ର ତାଙ୍କୁ ଏ ଜାତି ଚିହ୍ନିଲା ନାହିଁ କି ଚିହ୍ନେଇଲା ନାହିଁ। ଏପରିକି ଉତ୍ସର୍ଗୀକୃତ ଏହି ବୀରଙ୍କ ନାମରେ ପୁରୀ ସହରରେ ପ୍ରଶାସନ ଏକ ମାର୍ଗଟିଏ ବି ନାମକରଣ କରି ନାହିଁ"।

ନେତାଜୀ ସୁଭାଷ ବୋଷଙ୍କ ସମ୍ପର୍କରେ କାମ କରୁଥିବା ସମାଜସେବୀ ଦେବୀ ପୃଷ୍ଟି କହିଛନ୍ତି ,"ନେତାଜୀଙ୍କ ଆଜାଦ ହିନ୍ଦ ଫୌଜରେ ଓଡ଼ିଆ ମାଟିରୁ ଅନେକଙ୍କର ଅବଦାନ ଥିଲେ ହେଁ ବ୍ରଜମୋହନଙ୍କ ଅବଦାନ ବାରି ହୋଇ ପଡ଼େ। ଖାସ୍ ଏଇଥିପାଇଁ ତାଙ୍କୁ ଶ୍ରୀକ୍ଷେତ୍ର ରତ୍ନ ଉପାଧିରେ ଭୂଷିତ କରିଥିଲେ ଶ୍ରୀକ୍ଷେତ୍ର ବାସୀ"।
Published by:Soumya Das
First published: