ବ୍ରହ୍ମପୁର ରାଗିଂ ଘଟଣା; ତଦନ୍ତ ପାଇଁ ପହଞ୍ଚିଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ

ରାଗିଂ ଘଟଣାର ଭିଡ଼ିଓ ଭାଇରାଲର ଦୁଇ ଦିନ ପରେ ତଦନ୍ତ ପାଇଁ କଲେଜରେ ପହଞ୍ଚିଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ । ସେପଟେ ଭିଡ଼ିଓରେ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଇଲା ପୋଲିସ ।

ବ୍ରହ୍ମପୁର ରାଗିଂ ଘଟଣା; ତଦନ୍ତ ପାଇଁ ପହଞ୍ଚିଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ

ବ୍ରହ୍ମପୁର ରାଗିଂ ଘଟଣା; ତଦନ୍ତ ପାଇଁ ପହଞ୍ଚିଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଭିଡ଼ିଓ ଭାଇରାଲ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ଏକ ଟିମ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସମ୍ପର୍କରେ କିଛି ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାର ପୁନଃରାବୃତ୍ତି ନ ହୁଏ ସେ ନେଇ ଆଣ୍ଟି ରାଗିଂ ସେଲ୍ ସହ କଲେଜ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ।



ସେପଟେ, ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବାଧ୍ୟତାମୂଳକ ଭାବେ ଟିସି ପ୍ରଦାନ କରାଯାଇଛି । କିଏ ଭିଡ଼ିଓ ଉତ୍ତୋଳନ କରିଥିଲା ଏବଂ କିଏ ଭାଇରାଲ କରିଥିଲା ସେ ନେଇ ଭିଡ଼ିଓରେ ରହିଥିବା ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ଜବତ କରାଯାଇଛି । ଏହା ସହିତ ଫରେନସିକ ଲ୍ୟାବକୁ ମୋବାଇଲ ଗୁଡିକୁ ପଠାଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସହ ବିଭାଗର ଏକ ଟିମ ଆଜି ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପହଞ୍ଚଥିଲେ । ଲକ୍ଷ୍ମୀକାନ୍ତ ତ୍ରିପାଠୀ ମହାବିଦ୍ୟାଳୟରେ ବୁଲି ଦେଖିବା ସହ କିଛି ଛାତ୍ରଛାତ୍ରୀଙ୍କୁ ରାଗିଂ ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ରାଗିଂକୁ ନେଇ ଆଲୋଚନା କରିଥିଲେ ।
‘‘ଏଭଳି ରାଗିଂ ଜୀବନରେ କେବେ ମଧ୍ୟ ଦେଖିନାହିଁ । ଏହା ରାଗିଂ ନୁହେଁ ବରଂ ରାଗିଂଠାରୁ ବି ବଡ଼ ଅପରାଧ । ତେଣୁ ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ଅଥବା ତାହାର ମଜା ଉଠାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହୁଛି ତାହା କଲେଜ କର୍ତ୍ତୃପକ୍ଷ ନେଇଛନ୍ତି । ତଥାପି ଆଗାମୀ ଦିନରେ କିଭଳି ଏହାର ପୁନଃରାବୃତ୍ତି ନହୁଏ ସେ ନେଇ କିଛି କଲେଜ କର୍ତ୍ତୃପକ୍ଷ, ଆଣ୍ଟି ରାଗିଂ ସେଲକୁ ମଧ୍ୟ ତାଗିଦ୍‌ କରାଯାଇଛି । ଏହାସହିତ କିଛି ପୋଲିସ କର୍ମଚାରୀଙ୍କୁ କିଛି ଦିନ ପାଇଁ କଲେଜରେ ନିୟୋଜିତ ହେବା ପାଇଁ ବ୍ରହ୍ମପୁର ପୋଲିସକୁ ଅନୁରୋଧ କରାଯିବ ବୋଲି କହିଛନ୍ତି,‘‘ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ।

‘‘ଦୁଇଟି ଭାଇରାଲ ଭିଡ଼ିଓରେ ରହିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଟିସି ଦେଇ କଲେଜରୁ ବହିସ୍କାର କରାଯାଇଛି । ୧୨ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ରୀ ରହିଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ କଲେଜ ନିକଟରେ ପୂର୍ବରୁ ମଦ ପିଇବା ସହିତ ଡ଼୍ରଗ୍ସ ନେଇ ଛାତ୍ରୀମାନଙ୍କୁ ହଇରାଣ କରୁଥିଲେ । ଏନେଇ ଅଭିଯୋଗ ପାଇବା ପରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଡ଼କାଯାଇ ତାଗିଦ୍ କରାଯାଇଥିଲା । ପୁଣିଥରେ ଅଭିଷେକଙ୍କ ପାଇଁ କଲେଜ ଏଭଳି ବଦନାମ ହୋଇଛି । ତେଣୁ ଆଗାମୀ ଦିନରେ କୌଣସି ଛାତ୍ର ଯେପରି ଏଭଳି ଭୁଲ ନ କରନ୍ତି ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି,‘‘ କଲେଜର ଅଧ୍ୟକ୍ଷା ଡ଼.ପ୍ରମିଳା ଖାଡ଼ଙ୍ଗା ।

ଗତକାଲି ପୋଲିସ ତିନି ଅଭିଯୁକ୍ତ ଛାତ୍ରଙ୍କୁ କୋର୍ଟ ଚାଲଣ କରିଛି । ଦୁଇ ଛାତ୍ରଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ତେବେ ସହରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଗିରଫ ତିନି ଛାତ୍ରଙ୍କ ପାଇଁ ଗଞ୍ଜାମ ଓକିଲ ସଂଘ ପକ୍ଷରୁ କେହି ବି ଓକିଲ ଓକାଲତନାମା ପକାଇନଥିଲେ । ଯାହାଫଳରେ ତିନି ଅଭିଯୁକ୍ତ ଜେଲ୍ ଯାଇଥିଲେ ।

ଫରେନସିକ ଲ୍ୟାବରୁ ରିପୋର୍ଟ ଆସିବା ପରେ ଏକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯିବ । ତଦନ୍ତ ଶେଷ ହେବା ପରେ ଏନେଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ । ଏହା ସହିତ ଖୁବଶୀଘ୍ର ସହରର ବିଭିନ୍ନ କଲେଜରେ ନିକଟସ୍ଥ ଥାନା ପକ୍ଷରୁ ରାଗିଂକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼.ଶ୍ରବଣା ବିବେକ ଏମ । ରାଗିଂରେ ସମ୍ପୃକ୍ତି ନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଟିସି ଦେବା ପରେ ଅନେକ ଅଭିଭାବକ ଆଜି ମହାବିଦ୍ୟାଳୟକୁ ଆସିଥିଲେ । ‘‘ନିଜ ପିଲାମାନେ ରାଗିଂ କରିନଥିବା ବେଳେ ଭୟରେ ରାଗିଂ ଦେଖୁଥିବା ବେଳେ ଭିଡ଼ିଓରେ ସେମାନେ ରହିଛନ୍ତି । ଯେହେତୁ ଅଧିକାଂଶ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ତେଣୁ ସେମାନେ ରାଗିଂ ସମ୍ପର୍କରେ ଜାଣିନାହାନ୍ତି । ତେଣୁ ତାଙ୍କୁ କ୍ଷମା କରାଯାଉ ବୋଲି ନିବେଦନ କରିଛନ୍ତି ଅଭିଭାବକ । ଏହାଛଡ଼ା ଏଭଳି ରାଗିଂ କରିବା ସମୟରେ ଏହାକୁ ବିରୋଧ ନକରି ମଜା ନେବା ପିଲାମାନଙ୍କ ଭୁଲ ରହିଛି । ପରବର୍ତ୍ତୀ ସମୟରେ ଏଭଳି ଭୁଲ କରିବେ ନାହିଁ ବୋଲି କହିଛନ୍ତି,‘‘ ଅଭିଭାବକ ।

ରାଗିଂ ଘଟଣାକୁ ନେଇ ଉଭୟ ପୋଲିସ ଓ ଉଚ୍ଚଶିକ୍ଷା ବିଭାଗ ଆକ୍ସନ ମୋଡ଼ରେ ରହିଥିବା ବେଳେ ତଦନ୍ତ ଜାରୀ ରହିଛି । ଏହି ଘଟଣାରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ପରେ ସହରରେ ରହିଥିବା ଅନ୍ୟ କଲେଜରେ ଘଟଣାର ପୁନଃରାବୃତ୍ତି ହେବନାହିଁ ବୋଲି ଆଶା କରାଯାଉଛି ।
Published by:Soubhagya Mishra
First published: