ବେଆଇନ ଗୁଟଖା ପ୍ରସ୍ତୁତି କାରଖାନା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ; ୨ ଜଣ ଗିରଫ

ବେଆଇନ ଗୁଟଖା ପ୍ରସ୍ତୁତି କାରଖାନା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ। ୬ଟି ସ୍ଥାନରୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗୁଟଖା ପ୍ରସ୍ତୁତି ସାମଗ୍ରୀକୁ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପି.ଗୋପାଳକ୍ରିଷ୍ଣା ରାଓ ଫେରାର।

ବେଆଇନ ଗୁଟଖା ପ୍ରସ୍ତୁତି କାରଖାନା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ

ବେଆଇନ ଗୁଟଖା ପ୍ରସ୍ତୁତି କାରଖାନା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ କରି ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓ ଅଟୋନଗରରେ ଠାରେ ବେଆଇନ ଗୁଟଖା ପ୍ରସ୍ତୁତ କରାଯାଉଥିବା ନେଇ ପୋଲିସ ଖବର ପାଇଥିଲା। ଗୋଳନ୍ଥରା ଥାନା ପୋଲସ ଓ ସଦର ଏସଡ଼ିପିଓ ବେଆଇନ ଗୁଟଖା କାରାଖାନା ଉପରେ ଚଢ଼ାଉ କରିଥିଲେ।

ବେଆଇନ ଗୁଟଖା କାରବାରକୁ ନେଇ ମୋଟ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ। ବେଆଇନ ଗୁଟଖା ପ୍ରସ୍ତୁତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ୬ଟି ସ୍ଥାନରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ଗୁଟଖା, ଖଇନି, ମେସିନି୍‌ ସହ ଗୁଟଖା ପ୍ରସ୍ତୁତ କରିବା ନିମନ୍ତେ ରହିଥିବା ସାମଗ୍ରୀ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ। କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତି ଫେରାର ରହିଥିବା ବେଳେ ତାକୁ ଧରିବା ନିମନ୍ତେ ପୋଲିସ ଚେଷ୍ଟା ଆରମ୍ଭ କରିଥିବା କହିଛନ୍ତି ଏସପି। ପୋଲିସ ପାଇଁ ଏକ ବଡ଼ ସଫଳତା ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ପୋଲିସର ନାକ ତଳେ ଚାଲିଥିବା ଏଭଳି ବେଆଇନ ଗୁଟଖା କାରଖାନା କିଭଳି ପୋଲିସର ଆଖି ପଡ଼ିନଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସହରବାସୀ।

ବେଆଇନ ଗୁଟଖା ପ୍ରସ୍ତୁତି କାରଖାନା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ


ବଡ଼ ବଡ଼ କୋଠା, ଆଉ ଏହି କୋଠା ଭିତରେ ଚାଲିଥିଲା ବେଆଇନ ଗୁଟଖା କାରଖାନା। ବ୍ରହ୍ମପୁର ସହର ଉପକଣ୍ଠରେ ବର୍ଷ ବର୍ଷ ଧରି ଏଭଳି ଚାଲିଥିଲା ବେଆଇନ ଗୁଟଖା କାରଖାନା। ଏଠାରୁ ଗୁଟଖା ପ୍ରସ୍ତୁତ ହୋଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା। କିନ୍ତୁ ସହରକୁ ନୂଆ ଏସପି ଆସିବା ପରେ ବେଆଇନ ଗୁଟଖାର ଏକ ବଡ଼ କାରଖାନାକୁ ଧରିବାରେ ସଫଳ ହୋଇଛନ୍ତି ସେ। ଏକ ବିଶେଷ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଓ ସଦର ଏସଡ଼ିପିଓ ହଳଦିଆପଦର ଓ ଅଟୋନଗରରେ ରହିଥିବା ଏକ ବଡ଼ କୋଠା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ କରିବା ସମୟରେ ଦେଖିବାକୁ ମିଳିଥିଲା ଉକ୍ତ କୋଠାରେ ଚାଲିଥିଲା ବେଆଇନ ଭାବେ ଗୁଟଖା ପ୍ରସ୍ତୁତି। ପ୍ରଥମେ ଗୋଟିଏ କୋଠା ଉପରେ ଚଢ଼ାଉ କରିବା ପରେ ଏତେ ପରିମାଣର ବେଆଇନ ଗୁଟଖା ପ୍ରସ୍ତୁତ ସାମଗ୍ରୀକୁ ଦେଖି କୋଠାରେ କାର୍ଯ୍ୟରତ ଥିବା ଅନ୍ୟ କର୍ମଚାରୀଙ୍କୁ ଅଧିକ ପଚରାଉଚୁରା କରିଥିଲା।

ଯାହାଫଳରେ ହଳଦିଆପଦର ଓ ଅଟୋନଗରରେ ରହିଥିବା ଅନ୍ୟ ୫ଟି କୋଠାରେ ମଧ୍ୟ ଚଢ଼ାଉ କରିଥିଲା ପୋଲିସ। ଏହି ୬ଟି କୋଠାରୁ ୫୦ ଟନ ଗୁଆ, ୫ ଟନ ପାନ ମଧୁରୀ, ୨ ଟନ ଧନିଆ, ୭ ଟନ ଧୂଆ ପତ୍ର, ୩ ଟନ ଗୁଣ୍ଡ ଧୂଆଁ ପତ୍ର, ୫୦ ବସ୍ତା ରେଡ଼ିମେଡ଼ ଗୁଟ୍‌ଖା, ହଜାରେ ପିସ୍‌ ଜୋରି ରୋଲ, ୫୦ଟି ଓଜନ ମେସିନ, ୧୮ଟି ଗୁଆ କଟା ମେସିନ, ୧୨ଟି ମିକ୍ଚର ମେସିନ ସହ ଗୁଟଖା ପ୍ରସ୍ତୁତି ନିମନ୍ତେ ବ୍ୟବହାର ହେଉଥିବା ବହୁ ପରିମାଣର ପ୍ରସ୍ତୁତି ସାମଗ୍ରୀ ଓ ଅନ୍ୟାନ୍ୟ ମେସନକୁ ଜବତ କରିଥିଲା ପୋଲିସ।

ଜବତ ବେଆଇନ ଗୁଟଖା ପ୍ରସ୍ତୁତି ସାମଗ୍ରୀର ମୂଲ୍ୟ ୧୦ କୋଟି ଟଙ୍କା। ବେଆଇନ ଗୁଟଖା ପ୍ରସ୍ତୁତି ଅଭିଯୋଗରେ ପୋଲିସ ବଡ଼ ବଜାର ଥାନା ଅଞ୍ଚଳର ଏମ.ବ୍ରହ୍ମା ଓ ଗୋଷାଣୀ ନୂଆଗାଁ ଥାନା ଅଞ୍ଚଳର ସୁବ୍ରତ କୁମାର ବେହେରାଙ୍କୁ ଗିରଫ କରିଛି। ବେଆଇନ ଗୁଟଖା ପ୍ରସ୍ତୁତିର ମୁଖ୍ୟ ଅଭିଯୁକ୍ତ ପି.ଗୋପାଳ କ୍ରିଷ୍ଣା ରାଓ କେଉଁ ଆଡ଼େ ଫେରାର ହୋଇଥିବା ବେଳେ ତାକୁ ଗିରଫ କରିବା ନିମନ୍ତେ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ।

ଆଇନଜୀବୀ ଅଭୟ ପଣ୍ଡା କହିଛନ୍ତି, ‘‘ପ୍ରଥମ ଥର ନିମନ୍ତେ ୧୦ କୋଟି ଟଙ୍କାର ବେଆଇନ ଗୁଟଖା ଜବତ କରିବା ବ୍ରହ୍ମପୁର ପୋଲିସ ପାଇଁ ସଫଳତା ନିଶ୍ଚୟ। କିନ୍ତୁ ଯେଉଁ ସ୍ଥାନରୁ ଏଭଳି ୧୦ କୋଟି ଟଙ୍କାର ଗୁଟଖା ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି ପୂର୍ବରୁ ସେଠାରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଗୁଟଖା ଜବତ କରିଥିଲା ପୋଲିସ। ଯେହେତୁ ପୋଲିସ ଗୋଟିଏ ସ୍ଥାନରେ ଚଢ଼ାଉ କରିବା ପରେ ପରବର୍ତ୍ତୀ ସମୟରେ ସେଥିପ୍ରତି ଧ୍ୟାନ ଦେଉନାହିଁ। ଯାହାଫଳରେ ଅଭିଯୁକ୍ତମାନେ ପୁଣି ଥରେ ଏଭଳି ବେଆଇନ ଗୁଟଖା ନକଲି ପ୍ରସ୍ତୁତ କରୁଛନ୍ତି। ତେଣୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କର ଗତିବିଧି ଉପରେ ନଜର ରଖିବା ଆବଶ୍ୟକ ଅଛି।’’

‘‘ବ୍ରହ୍ମପୁର ସହର ଉପକଣ୍ଠରୁ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଗୁଟଖା ପ୍ରସ୍ତୁତ ହେଉଥିବା ବେଳେ ଏହା ଜିଲ୍ଲା ଓ ରାଜ୍ୟ ବାହାରକୁ ଯାଉଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ଉପରେ ଏହାର ନଜର ପଡ଼ିନଥିଲା। ବେଆଇନ ଗୁଟଖା ପ୍ରସ୍ତୁତ ଅଭିଯୋଗରେ ତଳିଆ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇ ଏହି ବେଆଇନ ଗୁଟଖା ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ରୂପେ କିଭଳି ବନ୍ଦ କରାଯାଇପାରିବ ସେ ଦିଗରେ ପୋଲିସ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି,’’ ବୁଦ୍ଧିଜୀବୀ ପ୍ରଦୀପ କୁମାର।

ପ୍ରକାଶ ଥାଉକି ଗତ ୨୦୧୬ରେ ସମ୍ପୃକ୍ତ ସ୍ଥାନରେ ପୋଲିସ ଚଢ଼ାଉ କରି ପି.ଗୋପାଳ କ୍ରିଷ୍ଣା ରାଓଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହି ମାମଲା ବିଚାରଧିନ ରହିଥିବା ବେଳେ ପୁଣି ବେଆଇନ ଗୁଟଖା ପ୍ରସ୍ତୁତ କରୁଥିଲା ଗୋପାଳ କ୍ରିଷ୍ଣା। ଥରେ ଚଢ଼ାଉ ପରେ ବି ପୁନଃ କିଭଳି ସେ ବେଆଇନ ଗୁଟଖା ପ୍ରସ୍ତୁତ କରୁଥିଲା ତାହାକୁ ନେଇ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ସହରବାସୀ।
Published by:Lipina Das
First published: