କୁକୁର ବନ୍ଧ୍ୟାକରଣ କୋଠାରେ ଝୁଲୁଛି ତାଲା; ଖତ ଖାଉଛି ଅତ୍ୟାଧୁନିକ ମେସିନ୍

କୁକୁର ବନ୍ଧ୍ୟାକରଣ ଯୋଜନା କୋଠାରେ ଝୁଲୁଛି ତାଲା । ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ମେସିନ୍ ଖତ ଖାଉଛି । ପ୍ରାଣୀ ଚିକିତ୍ସା ଓ ବିଏମସି ମଧ୍ୟରେ ସମନ୍ୱୟର ଅଭାବ ନେଇ ଅଭିଯୋଗ ।

କୁକୁର ବନ୍ଧ୍ୟାକରଣ କୋଠାରେ ଝୁଲୁଛି ତାଲା; ଖତ ଖାଉଛି ଅତ୍ୟାଧୁନିକ ମେସିନ୍

କୁକୁର ବନ୍ଧ୍ୟାକରଣ କୋଠାରେ ଝୁଲୁଛି ତାଲା; ଖତ ଖାଉଛି ଅତ୍ୟାଧୁନିକ ମେସିନ୍

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; କୁକୁରଙ୍କ ପ୍ରାଦୁର୍ଭାବକୁ ରୋକିବା ନିମନ୍ତେ ଆରମ୍ଭ ହୋଇଥିଲା କୁକୁର ବନ୍ଧ୍ୟାକରଣ ଯୋଜନା । କିନ୍ତୁ ଏହି ଯୋଜନା ମାତ୍ର ଦୁଇ ଦିନ ଧରି ଚାଲିବା ପରେ ବନ୍ଧ୍ୟାକରଣ କୋଠାରେ ଏବେ ତାଲା ଝୁଲୁଛି । ଯୋଜନା ଆରମ୍ଭ ହେବା ପରଠାରୁ ବନ୍ଧ୍ୟାକରଣ ନିମନ୍ତେ ଖାଦ୍ୟ ଯୋଗାଇବା ଓ ଡ଼ାକ୍ତରଙ୍କ ଅଭାବକୁ ନେଇ ସମସ୍ୟା ରହିଥିଲା । ଆଉ ଏହି ଦୁଇଟି କାରଣ ଯୋଗୁଁ ବନ୍ଦ ହୋଇ ରହିଛି କୁକୁର ବନ୍ଧ୍ୟାକରଣ । କୁକର ବନ୍ଧ୍ୟାକରଣ ବନ୍ଦ ହେବାର ଦୁଇଟି କାରଣ ରହିଥିଲେ ସୁଦ୍ଧା ବିଏମସି ଓ ପ୍ରାଣୀ ଚିକିତ୍ସା ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ଯୋଜନା ବନ୍ଦ ରହିଥିବା ନେଇ ସହରବାସୀ ଅଭିଯୋଗ କରିଛନ୍ତି । ଏଥିସହ କୁକୁରଙ୍କ ଭୟରେ ଦିନ କାଟୁଛନ୍ତି ବୋଲି କହିଛନ୍ତି ସହରବାସୀ ।

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ମେସିନ୍‌ । ଯୋଜନାର ଉଦ୍‌ଘାଟନ ହେବାର ମାତ୍ର ଦୁଇ ଦିନ ପରେ ସେଭଳି ବନ୍ଦ ହୋଇ ରହିଛି କୋଠା । ଆମେ ଆପଣଙ୍କୁ ଜଣାଉଛୁ ବ୍ରହ୍ମପୁରରେ ରହିଥିବା କୁକୁର ବନ୍ଧ୍ୟାକରଣ ଯୋଜନା ନିମନ୍ତେ ନିର୍ମିତ ହୋଇଥିବା କୋଠା ସମ୍ପର୍କରେ । ଗତ ବର୍ଷ ସେପ୍ଟେମ୍ବର ମାସ ୧୪ ତାରିଖରେ ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କୋଠାର ଶୁଭାରମ୍ଭ କରିଥିଲେ । ଏହାସହ ଆରମ୍ଭ ହୋଇଥିବା କୁକୁର ବନ୍ଧ୍ୟାକରଣ ଯୋଜନା ।
‘‘ପ୍ରଥମ ଦିନରେ ୧୦ଟି କୁକୁର ଓ ପରଦିନ ଅର୍ଥାତ୍‌ ୧୫ ତାରିଖରେ ୮ଟି କୁକୁରଙ୍କ ବନ୍ଧ୍ୟାକରଣ ହୋଇଥିଲା । କିନ୍ତୁ ତା ପରଦିନଠାରୁ ବନ୍ଦ ହୋଇଗଲା କୁକୁରଙ୍କ ବନ୍ଧ୍ୟାକରଣ । କୁକୁର ବନ୍ଧ୍ୟାକରଣ ବନ୍ଦ ହେବା ପଛରେ ରହିଛି ଦୁଇଟି କାରଣ । ପ୍ରଥମ ହେଲା କୁକୁରଙ୍କୁ ଖାଦ୍ୟ ଯୋଗାଇବାରେ ସମସ୍ୟା । ପ୍ରତିଦିନ ଦୁଇ ଓଳା ଖାଦ୍ୟ ପାଇଁ ସରକାର ମାତ୍ର ୧୨ ଟଙ୍କା ଖର୍ଚ୍ଚ କରିବେ । ଆଉ ଏହି ୧୨ ଟଙ୍କାର ଟେଣ୍ଡରକୁ ନେବା ନିମନ୍ତେ କୌଣସି ଠିକା ସଂସ୍ଥା ରାଜି ହେଉନାହାନ୍ତି । ସେହିପରି ବନ୍ଧ୍ୟାକରଣ ନିମନ୍ତେ ଜଣେ ଅଭିଜ୍ଞ ଡ଼ାକ୍ତର ସହିତ ତାଙ୍କୁ ସହାୟତା କରିବା ନିମନ୍ତେ ଜଣେ କର୍ମଚାରୀ ଆବଶ୍ୟକ । ଆଉ ଏଥିପାଇଁ ପ୍ରାଣୀ ଚିକିତ୍ସା ବିଭାଗର ପକ୍ଷରୁ ଏହି ବାବଦରେ ଯୋଜନାରେ ଟଙ୍କା ପୂର୍ବରୁ ହିଁ ଦିଆଯାଇଛି । ବିଏମସି ଚାହିଁଲେ ତାହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିପାରିବ ବୋଲି କହିଛନ୍ତି,‘‘ ପ୍ରାଣୀ ଚିକିତ୍ସକ ଡ଼ା.କିରଣ ବିଷୋୟୀ ।

‘‘ଯୋଜନା ବନ୍ଦ ହେବାର ଆଉ ଏକ ପ୍ରମୁଖ କାରଣ ହେଉଛନ୍ତି ଡ଼ାକ୍ତର । ବନ୍ଧ୍ୟାକରଣ ନିମନ୍ତେ ଅଭିଜ୍ଞ ଡ଼ାକ୍ତର ମିଳୁନାହାନ୍ତି । ଡ଼ାକ୍ତର ସମସ୍ୟାକୁ ନେଇ ପ୍ରାଣୀ ଚିକିତ୍ସା ବିଭାଗକୁ ସୂଚନା ଦିଆଯାଇଛି । ପ୍ରାଣୀ ଚିକିତ୍ସା ବିଭାଗ ଯଦି କୌଣସି ଡ଼ାକ୍ତରଙ୍କୁ ଯୋଗାଇ ଦେବେ ତେବେ ଖୁବଶୀଘ୍ର ବନ୍ଧ୍ୟାକରଣ ଯୋଜନାକୁ ଆରମ୍ଭ କରାଯିବ ବୋଲି କହିଛନ୍ତି,‘‘ ବିଏମସି କମିଶନର ଜେ.ସୋନାଲ ।

ସକାଳଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ କୁକୁରଙ୍କ ଦୌରାତ୍ମ୍ୟ ଲାଗି ରହୁଛି । ବାରମ୍ବାର କୁକୁରଙ୍କ ବନ୍ଧ୍ୟାକରଣ ନେଇ ଅଭିଯୋଗ ହେବା ପରେ ଆରମ୍ଭ ହୋଇଥିଲା କୁକୁର ବନ୍ଧ୍ୟାକରଣ ଯୋଜନା । ଯୋଜନା ଆରମ୍ଭ ହେବା ପରେ କୁକୁରଙ୍କ ପ୍ରାଦୁର୍ଭାବରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବନ୍ଧ୍ୟାକରଣ ଯୋଜନା ଚାଲିବା ପରିବର୍ତ୍ତେ ବନ୍ଦ ହେବା ପରିତାପର ବିଷୟ । ସକାଳୁ ରାତି ପର୍ଯ୍ୟନ୍ତ ସହରର ଯେଉଁ ସାହିକୁ ଗଲେ ସେଠାରେ କୁକୁରଙ୍କ ସଂଖ୍ୟା ଖୁବ ଅଧିକ । ବିନା କୌଣସି କାରଣରେ କିଛି କୁକୁର ଗୋଡ଼ାଇବା ସହିତ କାମୁଡ଼ିବାର ଅଭିଯୋଗ ଆସୁଛି । ଯାହାଫଳରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଏହି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକୁ ପୁନଃକାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି କରିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ ।

‘‘ପ୍ରାଣୀ ଚିକିତ୍ସା ବିଭାଗ ଡ଼ାକ୍ତର ଓ କର୍ମଚାରୀ ନିଯୁକ୍ତି କରିବା ନେଇ ଟଙ୍କା ମଞ୍ଜୁର କରି ହାତ ଟେକି ଦେଇଥିବା ବେଳେ ବିଏମସି ଡ଼ାକ୍ତର ମିଳୁନଥିବା ଯୋଗୁଁ ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସଫେଇ ଦେଇଛନ୍ତି । ତେବେ ଉଭୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ହିଁ ଏଭଳି ପରିସ୍ଥିତି ଉପୁଜିଛି । ଯାହାଫଳରେ ସହରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଦିଗରେ ଉଭୟ ବିଭାଗ ଯତ୍ନବାନ ହୋଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା କାହ୍ନଚରଣ ପତି ।
Published by:Soubhagya Mishra
First published: