News18 Odia Digital
ଭୁବନେଶ୍ୱର: ବିପିୟୁଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଫାଇନାଲ୍ ସେମିଷ୍ଟରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ଅଧିନସ୍ଥ କଲେଜଗୁଡ଼ିକରେ ଷଷ୍ଠ ଅର୍ଥାତ ଶେଷ ସେମିଷ୍ଟର ପରୀକ୍ଷା ହେବାକୁ ଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ଅଭିଯୋଗ କରି ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀମାନେ ।
ଅନଲାଇନ ପରୀକ୍ଷା କରୁଥିବା ସଂସ୍ଥା ଏକ ତେଲେଙ୍ଗାନା କମ୍ପାନୀ ଓ ତା’ ନାଁରେ ପରୀକ୍ଷା ଆୟୋଜନ କରିବା, ଖାତାଦେଖା ଓ ଫଳ ପ୍ରକାଶନକୁ ନେଇ ଅନେକ ଅଭିଯୋଗ ରହିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ । ଏହି ପରିପ୍ରେକ୍ଷୀରେ କେମିତି ଏଭଳି ଏକ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଶ୍ନ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ନ ଖେଳନ୍ତୁ ବୋଲି କହିଛନ୍ତି ସେମାନେ ।
ପୂର୍ବରୁ ସବୁ ସେମିଷ୍ଟରରେ ସବଜେକଟିଭ୍ ପରୀକ୍ଷା ହେଉଥିବା ବେଳେ ଏବେ ଅବଜେକଟିଭ ବା ଏମ.ସି.କ୍ୟୁ. ପରୀକ୍ଷା ପାଇଁ ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ଅନେକ ଛାତ୍ରଛାତ୍ରୀ । ସେହି ଭଳି ପରୀକ୍ଷା ପାଇଁ ଇଣ୍ଟରନେଟ ବାଧ୍ୟତାମୂଳକ ହୋଇଥିବା ବେଳେ ସମସ୍ତଙ୍କ ପାଖେ ସେହି ସୁବିଧା ନାହିଁ ବୋଲି ସହିଛନ୍ତି ସେମାନେ । ପରୀକ୍ଷାକୁ ନେଇ ଆସିଥିବା ବିଜ୍ଞପ୍ତିରେ ଏକ ଏମବିପିଏସ ସ୍ପିଡ଼ ବାଧ୍ୟ୍ୟତାମୂଳକ ବୋଲି କୁହାଯାଇଥିବା ବେଳେ ଏହି ସ୍ପିଡ଼ ଓଡ଼ିଶାରେ କୌଣସି କମ୍ପାନୀ ଦେଉନାହିଁ ବୋଲି ସେମାନେ କହିଛନ୍ତି ।
ଅନ୍ୟ ସମସ୍ତ ପରୀକ୍ଷା ଫଳ ପିକ୍ୟୁ ମେଥଡ଼ରେ ପ୍ରକାଶ କରି ପିଲାଙ୍କୁ ଉତ୍ତୀର୍ଣ୍ଣ କରିବାକୁ ସ୍ଥିର କରାଯାଇଥିବା ବେଳେ ବିପିୟୁଟି କାହିଁକି ଉଚିତ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀମାନେ । ଆସନ୍ତା ୯ ତାରିଖରୁ ପରୀକ୍ଷା କରିବାକୁ ବିପିୟୁଟି ବିଧିବଦ୍ଧ ନୋଟିସ କରିଛି । ଦୁଇଟି ସିଟିଂରେ ପରୀକ୍ଷା ହେବ ।
କ୍ୟାମ୍ପସରେ ଚୟନ ହୋଇଥିବା ପିଲାଙ୍କ ପାଇଁ ମାର୍କ୍ ସିଟ ନିତାନ୍ତ ଆବଶ୍ୟକ । ତେଣୁ ସରକାର ଅନ୍ୟ ପରୀକ୍ଷା ଭଳି ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀମାନେ ।
‘‘କରୋନା ସଂକ୍ରମଣ ସଙ୍କଟ ଯୋଗୁଁ ରାଜ୍ୟରେ ଯୁକ୍ତ-୩, ସ୍ନାତକୋତ୍ତର ଓ ସିବିଏସଇ ପରି ବୋର୍ଡ଼ ସମସ୍ତେ ପରୀକ୍ଷା ବାତିଲ କରିଥିବା ବେଳେ ବିପିୟୁଟି ପରୀକ୍ଷା କାହିଁକି କରାଉଛି? ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଉଚିତ,’’ କହିଛନ୍ତି ବିପିୟୁଟି ଶେଷ ବର୍ଷର ଛାତ୍ର ଦେବାଶିଷ ପାତ୍ର ।
ଫାଇନାଲ ପରୀକ୍ଷା ପାଇଁ ବୈଷୟିକ ଶିକ୍ଷା ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜଣାଇଛି । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା କରାଯିବ ବୋଲି କହିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ‘‘ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ । ନିର୍ଦ୍ୱନ୍ଦ ରେ ପରୀକ୍ଷା ଦିଅନ୍ତୁ । କୌଣସି ଅସୁବିଧା ହେବ ନାହିଁ,’’ ସେ କହିଛନ୍ତି ।
ରାଜ୍ୟରେ କୋଭିଡ-୧୯ ସ୍ଥିତିକୁ ଦେଖି ସମସ୍ତ ପରୀକ୍ଷା ବାତିଲ କରାଯାଇଥିବା ବେଳେ ବିପିୟୁଟି ପ୍ରଥମ ଥର ପାଇଁ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।