ପଶ୍ଚିମ ଓଡ଼ିଶାରେ ନୂଆ LPG ବଟଲିଂ ପ୍ଲାଣ୍ଟ୍‌ ଆଣିବ ନୂଆ ଆଶା; ଉପରାଷ୍ଟ୍ରପତି ଆଜି ଲୋକାର୍ପଣ କରୁଛନ୍ତି

ବଲାଙ୍ଗୀରର ଏହି ଏଲ୍ପିଜି ବଟଲିଂ ପ୍ଲାଣ୍ଟ୍ ରାଜ୍ୟରେ ବିପିସିଏଲ୍ (BPCL) ର ଦ୍ବିତୀୟ ପ୍ଲାଣ୍ଟ୍ ହେବ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦୃଷ୍ଟିରୁ ଏହା ଅତ୍ୟନ୍ତ ଅତ୍ୟାଧୁନିକ । ମାତ୍ର ୧୯ ମାସ ଭିତରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହାର ଲୋକାର୍ପଣ ପରେ ଓଡ଼ିଶାରେ ମୋଟ୍‌ ଏଲପିଜି ବଟଲିଂ ପ୍ଳାଣ୍ଟ୍ ସଂଖ୍ୟା ୭ ଛୁଇଁବ ।

ଏହି ବଟଲିଂ ପ୍ଲାଣ୍ଟ୍ ଦ୍ବାରା ରାଜ୍ୟର ୧୪ଟି ଜିଲ୍ଲାବାସୀ ଉପକୃତ ହେବେ ।

ଏହି ବଟଲିଂ ପ୍ଲାଣ୍ଟ୍ ଦ୍ବାରା ରାଜ୍ୟର ୧୪ଟି ଜିଲ୍ଲାବାସୀ ଉପକୃତ ହେବେ ।

  • Share this:
ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବଲାଙ୍ଗୀର ଜିଲ୍ଲାର ବରକାନୀସ୍ଥିତ ନବନିର୍ମିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଅତ୍ୟାଧୁନିକ ଏଲପିଜି ବଟଲିଂ ପ୍ଲାଣ୍ଟ୍‌କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ଦେଶର ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟରେ ଏହା ହେବ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ୍‌ (BPCL) ର ଦ୍ବିତୀୟ ଏଲପିଜି ବଟଲିଂ ପ୍ଲାଣ୍ଟ୍‌, ଯାହା ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଅତ୍ୟନ୍ତ ଅତ୍ୟାଧୁନିକ । ଓଡ଼ିଶାରେ ପୂର୍ବରୁ ବିପିସିଏଲ୍‌ର ଏଲପିଜି ବଟଲିଂ ପ୍ଲାଣ୍ଟ୍‌ ଖୋର୍ଦ୍ଧାରେ ଅଛି । ଏହି ନୂଆ ପ୍ଳାଣ୍ଟ୍‌ର ଲୋକାର୍ପଣ ପରେ ଓଡ଼ିଶାରେ ସମସ୍ତ ତୈଳ ବିପଣନକାରୀ କମ୍ପାନୀ ଦ୍ବାରା ସ୍ଥାପିତ ମୋଟ୍‌ ଏଲପିଜି ବଟଲିଂ ସଂଖ୍ୟା ୭ ଛୁଇଁବ ।

୨୦୧୮ ମସିହା ମେ’ ୨୧ ତାରିଖରେ ଏହି ବଟଲିଂ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ୧୯ ମାସ ଭିତରେ ସମ୍ପୂର୍ଣ୍ଣ ହୋଇପାରିଛି ଦେଶର ଏହି ଅତ୍ୟାଧୁନିକ ବଟଲିଂ ପ୍ଲାଣ୍ଟ୍‌ । ଏଥି ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୦୩ କୋଟି ଟଙ୍କା ।

ସାମ୍ବାଦିକ ସମ୍ମିଳନୀରେ BPCLର ଉଚ୍ଚ ଅଧିକାରୀଗଣ ।


ପ୍ରାୟ ୩୩ ଏକର ପରିମିତି ଅଞ୍ଚଳରୁ ୧୫ ଏକର ଅଞ୍ଚଳରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ବଟଲିଂ ପ୍ଲାଣ୍ଟ୍‌ । ବାକି ୧୮ ଏକର ଅଞ୍ଚଳକୁ ସବୁଜ ଅଞ୍ଚଳ ଭାବେ ନାମିତ କରାଯାଇଛି ।

‘‘ଓଡ଼ିଶାରେ ଥିବା ସମସ୍ତ ବଟଲିଂ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୧.୪୮ କୋଟି ସିଲିଣ୍ଡର । ବରକାନିରେ ଏହି ଅତ୍ୟାଧୁନିକ ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ମୋଟ୍‌ ଉତ୍ପାଦନ କ୍ଷମତା ୨.୯୬ କୋଟି ସିଲିଣ୍ଡରକୁ ବଢିବ,’’ କହିଛନ୍ତି ବିପିସିଏଲ୍‌ର ପୂର୍ବାଞ୍ଚଳ ଆଞ୍ଚଳିକ ଏଲପିଜି ମ୍ୟାନେଜର ଅତୁଲ୍‌ କୁମାର ।

ବିପିସିଏଲ୍‌ର ପୂର୍ବାଞ୍ଚଳ ଡିଜିଏମ୍‌ (ଇଞ୍ଜିନିୟରିଂ - ଇ ଆଣ୍ଡ୍‌ ପି) ସୁବୁଦ୍ଧି କେଭିଆରଙ୍କ ସୂଚନା ଅନୁସାରେ ୨୦୧୪ରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ଥିଲା ୨୦.୨୨ ଲକ୍ଷ । ୨୦୧୯ରେ ଏହି ସଂଖ୍ୟା ୮୮.୧୦ଲକ୍ଷରେ ପହଞ୍ଚିଛି । ଏହି ୪ ବର୍ଷ ଭିତରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୩୩୫.୭୧ ପ୍ରତିଶତ ବୃଦ୍ଧି ପାଇଛି ।

‘‘୨୦୧୮ ମସିହାରେ ରାଜ୍ୟରେ ଏଲପିଜିର ଆବଶ୍ୟକତା ୪୫୪.୩ ଟିଏମଟି ଥିବା ବେଳେ ୨୦୨୦ ସୁଦ୍ଧା ଏହା ୬୧୦ ଟିଏମଟିକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ରାଜ୍ୟରେ ଏଲପିଜି ବିତରକଙ୍କ ସଂଖ୍ୟା ୨୦୧୪ ମସିହାରେ ୩୬୭ ଥିବା ବେଳେ ୨୦୧୯ରେ ଏହା ୯୩୨ରେ ପହଞ୍ଚିଛି,’’ କହିଛନ୍ତି ସୁବୁଦ୍ଧି କେଭିଆର ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଏକାଧିକ ତୈଳ ବିପଣନ କମ୍ପାନୀଙ୍କ ମଧ୍ୟରୁ କେବଳ ବିପିସିଏଲ୍‌ର ୨୧.୫୯ ଲକ୍ଷ ଉପଭୋକ୍ତା ଅଛନ୍ତି । ଏହି ଉପଭୋକ୍ତାମାନେ ବାର୍ଷିକ ୭୮ ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । ୨୦୧୦ ସୁଦ୍ଧା ଏହି ଆବଶ୍ୟକତା ୧୦୫ଲକ୍ଷ ସିଲିଣ୍ଡରକୁ ବୃଦ୍ଧି ପାଇପାରେ ।

ବଲାଙ୍ଗୀର ରେଳ ଷ୍ଟେସନଠାରୁ ପ୍ରାୟ ୧୨ କିମି ଦୂରରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଏଲପିଜି ବଟଲିଂ ପ୍ଲାଣ୍ଟ୍‌ । ପ୍ରାୟ ୩୩ ଏକର ପରିମିତ ଜମିରୁ ୧୫ ଏକର ଜମିରେ ଏହା ତିଆରି ହୋଇଛି । ବାକି ୧୭ ଏକର ଅଞ୍ଚଳକୁ ସବୁଜ ଅଞ୍ଚଳଭାବେ ନିର୍ମାଣ କରାଯାଇଛି ।

ଏହି ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪୨ ଲକ୍ଷ ସିଲିଣ୍ଡର ରହିଛି । ଏହି ବଟଲିଂ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ହେବା ଦ୍ବାରା ରାଜ୍ୟର ୧୪ଟି ଜିଲ୍ଲାବାସୀ ଉପକୃତ ହେବେ ବୋଲି ଆଶା କରିଛନ୍ତି ବିପିସିଏଲ୍‌ କର୍ତ୍ତୃପକ୍ଷ ।
Published by:Anand Shankar Thankur Das
First published: