News18 Odia Digital
ପୁରୀ: ବ୍ରହ୍ମଗିରି ଥାନା ଅଧୀନ ସାହୁପଡ଼ା ଗ୍ରାମରେ ଅଘଟଣ। ପ୍ରେମିକା ଘରେ ଫ୍ୟାନରେ ଝୁଲି ପଡ଼ିବା ପରେ ପ୍ରେମିକର ଘଟିଛି ମୃତ୍ୟୁ। ତେବେ ପ୍ରେମିକର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଥିବା ବେଳେ ଥାନାରେ ପ୍ରେମିକା ପରିବାରର ୫ ଜଣଙ୍କୁ ଅଟକ ରଖିଛି ପୋଲିସ।
ମୃତ ଯୁବକ ସୂର୍ଯ୍ୟକାନ୍ତଙ୍କ ଭିଣୋଇଙ୍କ ଏତଲା ଅନୁଯାୟୀ,"ବ୍ରହ୍ମଗିରି ଥାନା ସାହୁପଡା ଗ୍ରାମର ରାଜକିଶୋର ବିଶ୍ବାଳଙ୍କ ପୁଅ ୩୦ ବର୍ଷୀୟ ସୂର୍ଯ୍ୟକାନ୍ତ ବିଶ୍ୱାଳ ଓ ଉକ୍ତ ଗ୍ରାମର ଶଙ୍କର ବେହେରାଙ୍କ ଝିଅ ପରସ୍ପରକୁ ଭଲ ପାଇଥିଲେ। ଏଥିରେ ଝିଅର ପରିବାର ଲୋକେ ବିରୋଧ କରୁଥିଲେ। ବୁଧବାର ସୂର୍ଯ୍ୟଙ୍କୁ ଝିଅ ପରିବାର ଲୋକେ ଘରକୁ ଭୋଜି ଖାଇବାକୁ ଡାକିଥିଲେ। ତେବେ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନ ଫେରିବାରୁ ସୂର୍ଯ୍ୟର ପରିବାର ଲୋକେ ପୁଅକୁ ନ ପାଇ ଖୋଜାଖୋଜି କରିଥିଲେ। ମାତ୍ର ସେ ପ୍ରେମିକା ଘର ଭିତରେ ଫ୍ୟାନରେ ଝୁଲୁଥିବା ବେଳେ ତାଙ୍କର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲୁ ପରିବାର ଲୋକ।’’
ଯୁବତୀଙ୍କ ବାପା ଶଙ୍କର ବେହେରାଙ୍କ କହିବା ଅନୁଯାୟୀ,"ସୂର୍ଯ୍ୟ ଆଗରୁ ଆମ ଘରକୁ ଯା ଆସ କରେ। ହେଲେ ବୁଧବାର ସେ ଆମ ଘରକୁ ଆସିଥିଲା। ହେଲେ ଆମେ ଘରେ ଝିଅ ସହ କଣ କଥାବାର୍ତ୍ତା ହେଲା ଆଉ ତା ପରେ ଆମେ ବାହାରକୁ ଯାଇ ଆସି ଦେଖିଲା ବେଳକୁ ସେ ଫ୍ୟାନରେ ଝୁଲି ଯାଇ ଆତ୍ମହତ୍ୟା କରିଥିଲା। ତେଣୁ ତୁରନ୍ତ ଆମେ ଗ୍ରାମବାସିଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲୁ। ସେପଟେ ସୂର୍ଯ୍ୟର ପରିବାର ଲୋକେ ଆମେ ହତ୍ୟା କରିଛୁ ବୋଲି ଅଭିଯୋଗ କରି ଆମ ପରିବାର ଲୋକଙ୍କୁ ମାରଧର କରୁଛନ୍ତି। ତେଣୁ ଡରରେ ଆମ ଘର ଲୋକେ ଗାଁ ଛାଡ଼ି ଦେଇଛନ୍ତି। ସେପଟେ ଘର ଭିତରେ ମୃତଦେହ ଝୁଲିଥିବା ବେଳେ ପୋଲିସ ନ ଆସିବା ଯାଏଁ ଆମେ ସେଥିରେ ହାତ ଲଗାଇନାହୁଁ।’’
"ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କ୍ରମେ ଗ୍ରାମବାସୀଙ୍କ ସହାୟତାରେ ଝିଅ ପରିବାର ଲୋକଙ୍କୁ ମିଶାଇ ୫ ଜଣଙ୍କୁ ଅଟକ ରଖିଛୁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରେମିକା ପରିବାରର ୫ ଜଣ ସଦସ୍ୟଙ୍କୁ ଆଣି ଥାନାରେ ପଚରାଉଚୁରା ଜାରି ରଖିଛି,’’ କହିଛନ୍ତି ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀ।
ଘଟଣାକୁ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସେଠାରେ ସାଇଣ୍ଟିଫିକ ଟିମ ପହଞ୍ଚି ନ ଥିଲା କି ପୋଲିସ ମୃତଦେହକୁ ଜବତ କରିନଥିଲା। ତେଣୁ ମାମଲାଟି ହତ୍ୟା କି ଆତ୍ମହତ୍ୟା ତାହାର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ପୋଲିସର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନବାଚୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।